ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର (ଏନଏସି) ଅଧ୍ୟକ୍ଷ ଉପନିର୍ବାଚନ ଫଳାଫଳ ଗୁରୁବାର ଘୋଷଣା ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ଦେବସ୍ମିତା ଶତପଥୀ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତର ପ୍ରତିଦ୍ଵନ୍ଦ୍ଵୀ ବିଜେପିର ରଞ୍ଜିତା ନାୟକଙ୍କୁ ୨,୩୭୪ ଭୋଟରେ ହରାଇଛନ୍ତି। ଏନେଇ ନିର୍ବାଚନ ଅଧିକାରୀ ରଞ୍ଜନ କୁମାର ସାହୁ ଘୋଷଣା କରିଛନ୍ତି।

ଜି.ଉଦୟଗିରି ଏନଏସି ଅଧ୍ୟକ୍ଷ ଉପନିର୍ବାଚନରେ ବିଜୟୀ ହୋଇଥିବା ଦେବସ୍ମିତା ଶତପଥୀଙ୍କୁ ୩,୧୧୧ଟି ଭୋଟ ମିଳିଛି। ସେହିପରି ବିଜେପିର ରଞ୍ଜିତା ନାୟକ ୭୩୭ଟି ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ମଧୁଲିନା ଦିଗାଲ ମାତ୍ର ୬୨୭ଟି ଭୋଟ ପାଇଛନ୍ତି। ଅନ୍ୟପଟେ ନୋଟାରେ ୪୪ଟି ଭୋଟ ପଡ଼ିଛି।

ବୁଧବାର ଜି.ଉଦୟଗିରି ଏନଏସି ଅଧ୍ୟକ୍ଷ ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏଥିରେ ସମୁଦାୟ ୮,୧୫୫ ମତଦାତାଙ୍କ ମଧ୍ୟରୁ ମାତ୍ର ୪,୫୧୯ ଜଣ ଭୋଟ ଦେଇଥିଲେ।

ଦେବସ୍ମିତା ଶତପଥୀ ବିଜୟୀ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଡକ୍ଟର ଅଚୁତ୍ୟ ସାମନ୍ତ, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବଂ ବିଜେଡିର ଅନ୍ୟ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଜି.ଉଦୟଗିରି ଏନଏସିର ପୂର୍ବତନ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଗତ ଜୁଲାଇ ୧୭ ତାରିଖରେ ଦେହାନ୍ତ ହୋଇଥିଲା। ସେବେଠୁ ଏହି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ଏବେ ତାଙ୍କ ଝିଅ ଦେବସ୍ମିତା ଶତପଥୀ ଏହି ଆସନରୁ ବିଜୟ ହାସଲ କରିଛନ୍ତି।

Tags: #G.UdayGiri #NACChairman #ByElection #BJD #BJP #Congress #Kandhamal #Odisha  

Comment