ଭାସ୍କର ପରିଚ୍ଛା

ବିଶ୍ୱବିଖ୍ୟାତ ଉତ୍କଳୀୟ କବି ତଥା ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କୁ ନେଇ ପୁନର୍ବାର ବିବାଦ ଆରମ୍ଭ ହୋଇଛି। ଏଥର ଏହି ବିବାଦର ସୂତ୍ରଧର ସ୍ୱୟଂ ଭାରତ ସରକାରଙ୍କ ସଂସ୍ଥା ଜାତୀୟ ଶିକ୍ଷା ଗବେଷଣା ପରିଷଦ ବା ଏନ୍‌ସିଇଆର୍‌‌ଟି। ଏହି ସଂସ୍ଥା ଦ୍ୱାରା ପ୍ରସ୍ତୁତ ଓ ପ୍ରକାଶିତ ସପ୍ତମଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ କବି ଜୟଦେବଙ୍କୁ ପଶ୍ଚିମବଙ୍ଗର ବୋଲି ଉଲ୍ଲେଖ କରାଯାଇଛି। ଏଭଳି ଭୁଲ୍‌‌ ଥିବା ଅଧ୍ୟାୟ ବର୍ତ୍ତମାନ ସାରା ଦେଶରେ ବିଦ୍ୟାଳୟ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପଢ଼଼ୁଛନ୍ତି।

ଦ୍ୱାଦଶ ଶତାବ୍ଦୀର କବି ଜୟଦେବଙ୍କ ଜନ୍ମସ୍ଥାନ ପ୍ରାଚୀନ ଉତ୍କଳର ତଥା ଅବିଭକ୍ତ ପୁରୀ ଜିଲ୍ଲାର କେନ୍ଦୁଲିଶାସନ ବୋଲି ଅନେକ ଭକ୍ତିଯୁଗୀୟ ଲେଖା ଓ ତଥ୍ୟାବଳୀରୁ ଜଣାପଡ଼େ। ପଶ୍ଚିମବଙ୍ଗର ଲୋକେ ତାଙ୍କୁ ବଙ୍ଗଦେଶର କବି ଓ ସେଠାକାର କେନ୍ଦୁଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବୋଲି ଦାବି କରନ୍ତି। ତେବେ ଗୀତଗୋବିନ୍ଦରେ ସ୍ୱୟଂ ଜୟଦେବଙ୍କ ଦ୍ୱାରା ଲିଖିତ ତଥ୍ୟ ଅନୁସାରେ ତାଙ୍କ ଜନ୍ମ ଓଡ଼ିଶାର ‘କେନ୍ଦୁବିଲ୍ୱ’ ଗ୍ରାମରେ।

ଗୀତଗୋବିନ୍ଦର ବିଷୟବସ୍ତୁ, ସଂସ୍କୃତ ଭାଷାର ପ୍ରସାର, ରାଧାକୃଷ୍ଣଙ୍କ ଲୀଳା ଓ ପ୍ରେମ ତଥା ଉତ୍କଳୀୟ ବୈଷ୍ଣବ ସଂସ୍କୃତି ତଥା ସର୍ବୋପରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନା ଓ ଲୀଳାକ୍ଷେତ୍ର ପୁରୀ ଆଦି ଦୃଷ୍ଟିରୁ ଅନେକ ବିଦ୍ୱାନ ଓ ଗବେଷକ ଜୟଦେବ ଏବଂ ଗୀତଗୋବିନ୍ଦକୁ ଓଡ଼ିଶାର ବୋଲି ସ୍ୱୀକାର କରନ୍ତି। ଏପରିକି ପଶ୍ଚିମବଙ୍ଗର ବହୁ ଗବେଷକ ଓ ପ୍ରତିଷ୍ଠିତ ବିଦ୍ୱାନ ମଧ୍ୟ ଜୟଦେବ ଓଡ଼ିଶାର ବୋଲି ସ୍ୱୀକାର କରିସାରିଛନ୍ତି।

ସବୁଠାରୁ ବଡ଼କଥା ହେଉଛି ଗୀତଗୋବିନ୍ଦର ସର୍ବାଧିକ ପାଣ୍ଡୁଲିପି ତାଳପତ୍ର ଲିଖନ ଓ ଅନ୍ୟାନ୍ୟ ଆକାରରେ ଓଡ଼ିଶାରୁ ମିଳିଛି, ଯାହାକି ଅନ୍ୟ କେଉଁ ଜାଗାରୁ ମିଳିନାହିଁ। ଗୀତଗୋବିନ୍ଦ ଓଡ଼ିଶା ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ତାହାର ଗଭୀର ପ୍ରଭାବ ଏବେ ମଧ୍ୟ ଆମ ରାଜ୍ୟରେ ସାହିତ୍ୟ, ସଙ୍ଗୀତ ଓ ନୃତ୍ୟ ଆଦିରେ ଦେଖିବାକୁ ମିଳେ।

ସେହିପରି ଓଡ଼ିଶାର ଲୋକକଥା ଓ ମନ୍ଦିର ଶିଳାଲେଖରେ ମଧ୍ୟ ଜୟଦେବଙ୍କ ବିଷୟରେ ତଥ୍ୟ ରହିଛି। ସେ ପୁରୀରେ ଥିବା ବେଳେ ପଦ୍ମାବତୀ ନାମକ ଜଣେ ନୃତ୍ୟାଙ୍ଗନାଙ୍କୁ ବିବାହ କରିଥିଲେ। ଜୟଦେବଙ୍କ ପିତା ଥିଲେ ଭୋଜଦେବ ଓ ମାତା ରମାଦେବୀ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ସମୟରେ ଗୀତଗୋବିନ୍ଦ ଗାୟନ କରାଯାଏ ଓ ମାହାରୀମାନେ ଏହି ଗୀତର ତାଳେ ତାଳେ ନୃତ୍ୟ କରୁଥିଲେ ଯେଉଁ ପ୍ରଥା ଏବେ କେବଳ ଗାୟନରେ ସୀମିତ ରହିଛି।

ଶ୍ରୀଲିଙ୍ଗରାଜ ମନ୍ଦିର ଶିଳାଲେଖ, ସିଂହାସନ ଓ ମଧୁକେଶ୍ୱର ମନ୍ଦିରର ଶିଳାଲେଖକୁ ପାଠୋଦ୍ଧାର କରି ବିଶିଷ୍ଟ ଐତିହାସିକ ତଥା ପ୍ରତ୍ନତତ୍ତ୍ୱବିଦ୍‌‌ ସତ୍ୟନାରାୟଣ ରାଜଗୁରୁ ଜୟଦେବଙ୍କ ଜୀବନର ପ୍ରାରମ୍ଭିକ କାଳ ସମ୍ପର୍କରେ ଯେଉଁ ତଥ୍ୟ ଦେଇଛନ୍ତି, ସେଥିରୁ ପ୍ରମାଣିତ ହେଉଛି ସେ ଓଡ଼ିଶାର। ବିଦେଶୀ ବିଦ୍ୱାନ ଥମାସ ଡୋନାଲ୍ଡସନ୍‌‌ ମଧ୍ୟ ଜୟଦେବଙ୍କୁ ଓଡ଼ିଶାର ବୋଲି କହିବା ସହ ତାଙ୍କ ଗୀତଗୋବିନ୍ଦ ପ୍ରାୟ ୧୧୯୦ ଖ୍ରୀଷ୍ଟାବ୍ଦ ବେଳକୁ ପୁରୀରେ ଲୋକପ୍ରିୟ ହୋଇସାରିଥିଲା ବୋଲି ଉଲ୍ଲେଖ କରିଛନ୍ତି।

 ପ୍ରସଙ୍ଗ କ୍ରମେ,ଆଞ୍ଚଳିକ ସ୍ୱାଭିମାନ ପାଇଁ ବେଳେବେଳେ ସଂସ୍କୃତି ଓ ଐତିହ୍ୟକୁ ନେଇ ସଂକୀର୍ଣ୍ଣ ରାଜନୀତି ହୁଏ ଏବଂ ମହାନ ସଂସ୍କୃତି ପୁରୁଷ, ବିଦ୍ୱାନ ଓ କବି, ଲେଖକଙ୍କୁ ନିଜ ଅଞ୍ଚଳର ବୋଲି କହି ଅନେକ ଦାବି କରିବାକୁ ଆଗେଇ ଆସିଥାନ୍ତି। ଖାଲି ସେତିକି ନୁହେଁ,ନିଜ ନିଜ ଦାବି ପାଇଁ ମିଥ୍ୟା ପ୍ରମାଣ ଉପସ୍ଥାପନ କରାଯାଏ। ଜୟଦେବ ସେଭଳି ଜଣେ ବ୍ୟକ୍ତିତ୍ୱ, ଯାହାଙ୍କୁ ନିଜର କରିବାକୁ ସବୁଠୁ ତତ୍ପର ହୋଇ ପଡ଼ିଛନ୍ତି ପଡ଼ୋଶୀ ବଙ୍ଗୀୟମାନେ।

ତେବେ ଜୟଦେବଙ୍କ ବିଷୟରେ ଯେତିକି ତଥ୍ୟ ପ୍ରମାଣ ମିଳିଛି, ତାହା ସୂଚାଉଛି ସେ ଯେ ଓଡ଼ିଶାର, ଏଥିରେ ସନ୍ଦେହ ନାହିଁ। କିଛିଦିନ ତଳେ ନ୍ୟାଶନାଲ ବୁକ୍‌‌ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ପୁସ୍ତକରେ ଜୟଦେବଙ୍କୁ ବଙ୍ଗଳାର ବୋଲି ଦର୍ଶାଯିବାରୁ ଓଡ଼ିଶାରେ ତୀବ୍ର ପ୍ରତିବାଦର ସ୍ୱର ଉଠିଥିଲା। ଏବେ ସେ ତ୍ରୁଟିର ପୁନରାବୃତ୍ତି ଘଟିଛି ଏବଂ ଏନ୍‌‌ସିଇଆର୍‌‌ଟି ପୁସ୍ତକରେ ତାହାର ଯେଉଁ ଉଲ୍ଲେଖ କରାଯାଇଛି, ତାହା ଉଦ୍ଦେଶ୍ୟମୂଳକ ଓ ‘ବଙ୍ଗଳା ଲବି’ର ପ୍ରଭାବରୁ ଘଟିଥିବା ଅନୁମାନ କରିହେଉଛି।

ଏନ୍‌‌ସିଇଆରଟି ପୁସ୍ତକରେ ଜୟଦେବଙ୍କ ସମ୍ବନ୍ଧରେ ଭୁଲ୍‌‌ ତଥ୍ୟ ଦିଆଯାଇଥିବାରୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରତିବାଦ ଆସିବାରେ ଲାଗିଛି। ଏଭଳି ଭ୍ରମାତ୍ମକ ତଥ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶନରେ କିପରି ରହିଲା ଏବଂ ଏ ବିବାଦର ବହୁ ଆଗରୁ ଅନ୍ତ ଘଟିଥିଲେ ସୁଦ୍ଧା ପୁଣି ଥରେ କାହିଁକି ତାହାର ପୁନରାବୃତ୍ତି କରାଗଲା ଏ କଥା ଅନେକ ଜଗନ୍ନାଥ ଭକ୍ତ ତଥା ଶ୍ରୀଜୟଦେବଙ୍କ ପ୍ରଶଂସକ ପ୍ରଶ୍ନ ଉଠାଇଛନ୍ତି।

ଭାରତ ସରକାରଙ୍କ ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ ‘ଗୀତଗୋବିନ୍ଦ ଅଫ୍‌‌ ଶ୍ରୀଜୟଦେବ’ ପୁସ୍ତକରେ ଗଭୀର ଗବେଷଣାଲବ୍ଧ ଅନେକ ତଥ୍ୟକୁ ନେଇ ଉପସ୍ଥାପନା କରାଯାଇଛି ଯେ ଭକ୍ତକବି ଶ୍ରୀଜୟଦେବ ଓଡ଼ିଶାରେ ଜନ୍ମିତ। ଏହି କାବ୍ୟ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଓଡ଼ିଶାରେ ହିଁ ରଚିତ। ତାଙ୍କ ସମୟକୁ ଓଡ଼ିଶା ଭାରତର ଏକ ସମୃଦ୍ଧ ସଂସ୍କୃତ ଭାଷା ଓ ସାହିତ୍ୟ କେନ୍ଦ୍ର ରୂପେ ପ୍ରସିଦ୍ଧି ଲାଭ କରିସାରିଥିଲା।

ଏନ୍‌‌ସିଇଆରଟି ସଂସ୍ଥା ଦ୍ୱାରା ପ୍ରକାଶିତ ପାଠ୍ୟପୁସ୍ତକ ପ୍ରତିଷ୍ଠିତ ଶିକ୍ଷାବିତ୍‌‌ ଓ ବିଦ୍ୱାନମାନଙ୍କ ଦ୍ୱାରା ଲେଖାଯାଇଥାଏ ତଥା ଏଥିରେ ପ୍ରଦତ୍ତ ତଥ୍ୟ ନିର୍ଭୁଲ ଓ ବିବାଦମୁକ୍ତ ହେବା ଆଶା କରାଯାଏ। ଐତିହାସିକ ତଥ୍ୟ, ଶ୍ରୀଜଗନ୍ନାଥ ସଂସ୍କୃତିର ତତ୍ତ୍ୱ ଓ ଶ୍ରୀଜୟଦେବଙ୍କ ସ୍ୱକୀୟ ଭଣତି ତଥା ଉତ୍କଳୀୟ ବୈଷ୍ଣବ ପରମ୍ପରାରେ ସର୍ବସ୍ୱୀକୃତ ଓ ଆଦୃତ ଏହି ସତ୍ୟକୁ ପୁନର୍ବାର ସନ୍ଦେହ ଘେରକୁ ଆଣିବାର ପ୍ରଚେଷ୍ଟା ନିନ୍ଦନୀୟ। ଭାରତ ସରକାର ତୁରନ୍ତ ଏହାର ସଂଶୋଧନ କରିବା ଦରକାର।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #GitaGovinda #Jayadeva #Poet #BhaktiMovement #Puri #NCERT #Odisha

LEAVE A REPLY

Please enter your comment!
Please enter your name here