ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୨୦୨୪ ମସିହାରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ଫେବ୍ରୁଆରି ୧୬ ତାରିଖରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ। ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଭୋକେସନାଲ ବିଷୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଛି।

କାର୍ଯ୍ୟସୂଚୀ ଅନୁସାରେ ଫେବ୍ରୁଆରି ୧୬ ତାରିଖ ପ୍ରଥମ ଦିନରେ ଯୁକ୍ତ ୨ ବିଜ୍ଞାନର ଓଡ଼ିଆ ପେପର ରହିଛି। ଏହାପରେ ଫେବ୍ରୁଆରି ୧୭ ତାରିଖରେ ଯୁକ୍ତ ୨ କଳା ଓ ବଣିଜ୍ୟର ଓଡ଼ିଆ ପରୀକ୍ଷା ହେବ।

ମାର୍ଚ୍ଚ ୧୮ରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସରିବ। ଶେଷରେ ମାର୍ଚ୍ଚ ୨୦ ତାରିଖରେ ଯୁକ୍ତ ୨ କଳା ଓ ବଣିଜ୍ୟ ପରୀକ୍ଷା ସରିବ।  

ସବୁ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧ଟାରେ ଶେଷ ହେବ। କେବଳ ଭୋକେସନାଲ ବିଷୟର ପରୀକ୍ଷା ଅବଧି ୧୦ଟାରୁ ଦିନ ୧୨ଟା ୩୦ ଯାଏଁ ରହିବ। ଯୁକ୍ତ ୨ ଥିଓରି ପରୀକ୍ଷା ପୂର୍ବରୁ ଜାନୁଆରି ୨ରୁ ୧୨ ତାରିଖ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ।

ରେଗୁଲାର ଓ ଏକ୍ସ-ରେଗୁଲାରରେ ୩ ଲକ୍ଷ ୮୪ ହଜାର ୫୯୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ରେଗୁଲାରରେ ୩ ଲକ୍ଷ ୫୯ ହଜାର ୩୯ଜଣ ରହିଥିବାବେଳେ ଏକ୍ସରେଗୁଲାରରେ ୨୫ ହଜାର ୫୫୮ ଜଣ ପରୀକ୍ଷାର୍ଥୀ ଅଛନ୍ତି।

ସେହିପରି କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫ ଜଣ, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୪୪୭ ଜଣ, ବାଣିଜ୍ୟରେ ୨୫ ହଜାର ୯୬୦ ଜଣ ଓ ଧନ୍ଦାମୂଳକ ବିଷୟରେ ୫ ହଜାର ୭୬୫ ଜଣ ପରୀକ୍ଷାର୍ଥୀ ରହିଛନ୍ତି।

Tags: #PlusTwoExam #Theory #Science #Arts #Commerce #Education #CHSE #GovtofOdisha

Comment