ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଧୀରେ ଧୀରେ ପାରଦ ଉପରକୁ ଉଠୁଥିବାବେଳେ ଶୀତର ପ୍ରକୋପ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କୋରାପୁଟରେ ରାତି ତାପମାତ୍ରା ସର୍ବନିମ୍ନ ୭.୧ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଶିମିଳିଗୁଡ଼ାରେ ୮.୩, ଜି. ଉଦୟଗିରିରେ ୯ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ ଏବଂ କିରେଇରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି।

୨୪ ଘଣ୍ଟାର ରେକର୍ଡ ଅନୁସାରେ ରାଉରକେଲାରେ ଘନ କୁହୁଡ଼ି ଦେଖାଦେଇଛି। ଏଠାରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିଲା। ସେହିପରି ଫୁଲବାଣୀ, ନୟାଗଡ଼, କଟକ ଏବଂ କୋରାପୁଟରେ ମଧ୍ୟ କୁହୁଡ଼ି ଦେଖାଦେଇଥିଲା। ଏଠାରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିବା ରେକର୍ଡ କରାଯାଇଛି।

ଶୀତ ପ୍ରକୋପ ନେଇ ଆସନ୍ତା ୫ ଦିନ ପାଇଁ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ଧୀରେ ଧୀରେ ପାରଦ ଉପରକୁ ଉଠିବା ସହ ଶୀତର ପ୍ରକୋପ କମିବ। ଡିସେମ୍ବର ୨୮ ତାରିଖ କୋରାପୁଟରେ ରାତି ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି। ଅନ୍ୟ ସବୁ ଜିଲ୍ଲାଗୁଡ଼ିକରେ ରାତିର ସର୍ବନିମ୍ନ ତାପମାତ୍ରା ୧୧ରୁ ୧୯ ଡିଗ୍ରୀ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ଡିସେମ୍ବର ୨୯ ତାରିଖରେ ମଧ୍ୟ କୋରାପୁଟର ରାତି ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି। ଅନ୍ୟ ସବୁ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ରୁ ୧୮ ଡିଗ୍ରୀ ମଧ୍ୟରେ ରହିବ। ଡିସେମ୍ବର ୩୦ ଓ ୩୧ ତାରିଖରେ କୋରାପୁଟରେ ରାତି ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରୀ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହା ବ୍ୟତୀତ ଅନ୍ୟ ଜିଲ୍ଲାଗୁଡ଼ିକରେ ୧୦ରୁ ୧୮ ମଧ୍ୟରେ ରାତି ତାପମାତ୍ରା ରହିବ।

ଆସନ୍ତା ୨୦୨୪ ଜାନୁଅରି ୧ ତାରିଖ କୋରାପୁଟରେ ରାତି ତାପମାତ୍ରା ୯ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି। ଅନ୍ୟ ସବୁ ଜିଲ୍ଲାଗଡ଼ିକରେ ରାତିର ସର୍ବନିମ୍ନ ତାପମାତ୍ରା ୧୧ରୁ ୧୮ ଡିଗ୍ରୀ ମଧ୍ୟରେ ରହିବ।

Tags: #Weather #WeatherUpdates #ColdWave #fogwarning #Odisha

Comment