ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ୩ ବର୍ଷର ଅପେକ୍ଷା ପରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ୟାରେଡରେ ଦେଖିବାକୁ ମିଳିବ। ଏନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଚିଠି ଲେଖାଯାଇଛି।

ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ରଘୁରାଜପୁର ପଟ୍ଟଚିତ୍ର ମାଧ୍ୟମରେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ମହିଳା ସଶକ୍ତିକରଣର ବିଷୟ ପ୍ରଦର୍ଶିତ ହେବ। ସମ୍ବଲପୁରୀ ଗୀତର ତାଳେତାଳେ ଏହି ମେଢ଼ ଗଡ଼ିବ।

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ମୋଟ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼କୁ ଅନୁମତି ଦିଆଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଉକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇ ପ୍ରଜ୍ଞାପନ ମେଢ଼ ସମ୍ପର୍କିତ ମାର୍ଗଦର୍ଶିକା ଉଲ୍ଲେଖ କରାଯାଇଛି।

୨୦୨୪ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଜ୍ଞାପନ ମେଢ଼ ପାଇଁ ଓଡ଼ିଶାରୁ ୩ଟି ବିଷୟର ପ୍ରସ୍ତାବକୁ ଚୟନ କମିଟି ନିକଟରେ ଦାଖଲ କରାଯାଇଥିଲା। ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ମଡେଲ୍ ପ୍ରସ୍ତୁତ ହୋଇଥିଲା। ଏଥିରେ ରଘୁରାଜପୁର ପଟ୍ଟଚିତ୍ର ବ୍ୟତୀତ ଡ୍ରିଙ୍କ ଫ୍ରମ୍ ଟ୍ୟାପ ଓ ମିଲେଟ୍ ମିଶନର ବିଷୟବସ୍ତୁ ରଖାଯାଇଥିଲା।  

ମେଢ଼ର ଚୂଡ଼ାନ୍ତ ତାଲିକା ବାହାରିବା ପରେ ଏବେ ପ୍ରଜ୍ଞାପନ ମେଢ଼ ନିର୍ମାଣ କାମ ଆରମ୍ଭ ହେବ। ଏହା ସଂପୂର୍ଣ୍ଣ ଭାବେ ତିଆରି ହେବା ପାଇଁ ପ୍ରାୟ ୧୬ ଦିନ ସମୟ ଲାଗିବ। ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପୂର୍ବରୁ ହେବାକୁଥିବା ରିହରସଲରେ ପ୍ରଥମେ ଏହି ମେଢ଼ ଗଡ଼ିବ। ଶେଷ ଥର ପାଇଁ ୨୦୨୦ ମସିହା ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା।

Tags: #RepublicDay2024 #KartavyaPathParade #Tableau #Odisha  

Comment