ଓଡ଼ିଶାଲାଇଭ୍ ବ୍ୟୁରୋ

ଉଦଘାଟନ ହେଲା ବହୁ ପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନବନ୍ଦରକୁ ଉଦଘାଟନ କରିଛନ୍ତି। ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ଟର୍ମିନାଲ-୨ ପରିଦର୍ଶନ କରିଥିଲେ।

ମାଲକାନଗିରି ବିମାନବନ୍ଦର ଲୋକାର୍ପିତ ହେବା ପରେ ଜିଲ୍ଲାବାସୀଙ୍କର ବହୁ ଦିନର ସ୍ଵପ୍ନ ପୂରଣ ହୋଇଛି। ସ୍ଵାଭିମନ ଅଞ୍ଚଳକୁ ଆକାଶ ପଥରେ ସଂଯୋଗ କରାଯାଇଛି।

ଏହା ପୂର୍ବରୁ କୋରାପୁଟ ଜିଲ୍ଲାର ଜୟପୁର, କଳାହାଣ୍ଡି ଜିଲ୍ଲାର ଉତ୍‌କେଲା, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଏବଂ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବିମାନବନ୍ଦର ଲୋକାର୍ପିତ ହୋଇଥିଲା।

ମାଲାକାନଗିରି ସହର ଉପକଣ୍ଠସ୍ଥିତ କୋଟଲିଗୁଡ଼ାଠାରେ ଏହି ବିମାନବନ୍ଦରର ନିର୍ମାଣ କରାଯାଇଛି। ମାଲାକାନଗିରି ବିମାନବନ୍ଦର ୯୪.୫ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଏହାର ରନୱେର ଲମ୍ବ ୧,୬୨୦ ମିଟର ହୋଇଥିବାବେଳେ ଓସାର ୩୦ ମିଟର ରହିଛି। ଭବିଷ୍ୟତରେ ରନୱେକୁ ୩,୦୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ। ମୋଟ ୩୩ କୋଟି ଟଙ୍କା ବ୍ୟୟରେ ଏବଂ ୧୪ ମାସର ସମୟ ମଧ୍ୟରେ ଏହି ବିମାନବନ୍ଦର ନିର୍ମାଣ କରାଯାଇଛି।

ରବିବାର ଦିନ ମାଲକାନଗିରି ବିମାନବନ୍ଦର ରନୱେରେ ଏକ ଛୋଟ ବିମାନକୁ ପରୀକ୍ଷାମୂଳକ ଭାବେ ଅବତରଣ କରାଯାଇଥିଲା। ଏହି ଟ୍ରାଏଲ୍ ରନ ସମୟରେ ରନୱେର ମାନ ଓ ଅନ୍ୟାନ୍ୟ ପାରାମିଟରର ଯାଞ୍ଚ କରାଯାଇଥିଲା।  

ଉଦଘାଟନ ଉତ୍ସବରେ ମନ୍ତ୍ରୀ ଟୁକୁନି ସାହୁ, ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ମାଲକାନଗିରି ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Tags: #MalkangiriAirport #AirServices #CMOdisha #NaveenPatnaik #Inauguration #RegionalConnectivity #Odisha 

Comment