ଓଡ଼ିଶାଲାଇଭ୍ ବ୍ୟୁରୋ

  • କୃଷି ଓଡ଼ିଶା-୨୦୨୪କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • କୃଷି କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ସମ୍ମାନ ଜଣାଇ ଏ ବର୍ଷର କୃଷିମେଳା
  • କୃଷି ଉଦ୍ୟୋଗ ଭବନ ଏବଂ ଇମେଜ (ଆଇଏମଏଜିଇ)ର ନୂଆ କ୍ୟାମ୍ପସ ପାଇଁ ଭିତ୍ତି ସ୍ଥାପନ
  • ସଫଳ ପୋର୍ଟାଲର ଶୁଭାରମ୍ଭ
  • ମାମାନେ ସଶକ୍ତ ହେଲେ ପରିବାର ସହ ପୂରା ସମାଜ ସଶକ୍ତ ହେବ – ମୁଖ୍ୟମନ୍ତ୍ରୀ
  • କୃଷି ଉଦ୍ୟୋଗରେ ମହିଳାମାନଙ୍କ ସହଭାଗିତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

(ଭୁବନେଶ୍ଵର): “ଘରଠାରୁ କୃଷି କ୍ଷେତ୍ର ପର୍ଯ୍ୟନ୍ତ ମହିଳାମାନଙ୍କର ଯୋଗଦାନ ରହିଆସିଛି। କୃଷି କ୍ଷେତ୍ରରେ ମା’ମାନଙ୍କୁ ଆହୁରି ଆଗକୁ ଯିବାର ସମୟ ଆସିଛି। କୃଷି ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କ ପାଇଁ ଅନେକ ସୁଯୋଗ ରହିଛି। ମହିଳାମାନେ ସଶକ୍ତ ହେଲେ କେବଳ ପରିବାର ନୁହେଁ, ପୂରା ସମାଜ ସଶକ୍ତ ହେବ”, ଶୁକ୍ରବାର ଦିନ ଭୁବେନଶ୍ଵରସ୍ଥିତ ଜନତା ମଇଦାନଠାରେ ‘କୃଷି ଓଡ଼ିଶା- ୨୦୨୪’ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାନୁଆରି ୧୨ ତାରିଖରୁ ଭୁବନେଶ୍ୱରରେ ଚାଲିଥିବା ବାର୍ଷିକ ବିଶାଳ କୃଷି ପ୍ରଦର୍ଶନୀ ‘କୃଷି ଓଡ଼ିଶା-୨୦୨୪’ ତିନିଦିନ ଧରି ଚାଲିବ। କୃଷି କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନକୁ ସମ୍ମାନ ଜଣାଇ ଚଳିତ ବର୍ଷ କୃଷି ଓଡ଼ିଶାର ଥିମ୍ ରହିଛି ‘କୃଷି ପ୍ରଗତିରେ ମହିଳା’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷ ‘କୃଷି ଓଡ଼ିଶା’ ମହିଳାଚାଷୀମାନଙ୍କ ପାଇଁ ସମର୍ପିତ ଥିବାରୁ ଖୁସି ବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, “ଚାଷର ଉନ୍ନତି ଏବଂ ଚାଷୀଙ୍କ କଲ୍ୟାଣ ଉପରେ ରାଜ୍ୟ ସରକାର ସବୁବେଳେ ଗୁରୁତ୍ଵ ଦେଇଆସୁଛନ୍ତି। କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଲାଗି ଅନେକ ସୁଯୋଗ ରହିଛି। ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ବିକାଶର ସବୁ କ୍ଷେତ୍ରରେ ସହଭାଗୀ ହୋଇପାରୁଛନ୍ତି। ମହିଳାମାନଙ୍କ ଲାଗି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମିଲେଟସ ମିଶନ, କଫି ମିଶନ ଆଦି ଅନେକ ଯୋଜନା ଚାଲିଛି। ସେମାନେ ଏହାର ସୁଯୋଗ ନେବା ଆବଶ୍ୟକ।”

ଏଠାରେ ଉପସ୍ଥିତ କୃଷି ବିଜ୍ଞାନୀ ତଥା ବିଶେଷଜ୍ଞମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବା ସହ ରାଜ୍ୟର କୃଷି କ୍ଷେତ୍ରର ଅଭିବୃଦ୍ଧିରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଭବନ ଏବଂ ଇମେଜ (ଆଇଏମଏଜିଇ)ର ନୂଆ କ୍ୟାମ୍ପସ ପାଇଁ ଭିତ୍ତି ରଖିଥିଲେ। ଏହି କ୍ୟାମ୍ପସ ଶିରିପୁରଠାରେ ହେବାକୁ ଯାଉଛି। ୧୧୩ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେଉଥିବା ଏହି କ୍ୟାମ୍ପସ କୃଷି ସଂପ୍ରସାରଣର କ୍ଷେତ୍ରରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଭାବେ କାମ କରିବ।  ସେହିପରି ନୂଆପଲ୍ଲୀଠାରେ କୃଷି ଉଦ୍ୟୋଗ ଭବନ ପ୍ରତିଷ୍ଠା କରାଯାଉଛି। ଏଥିପାଇଁ ୨୮ କୋଟି ଟଙ୍କା ବିନିଯୋଗ କରାଯିବ। କୃଷି ଉଦ୍ୟୋଗ କ୍ଷେତ୍ରରେ ଏହା ରାଜ୍ୟର ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବ।

କୃଷି ଓଡ଼ିଶା ଉଦଘାଟନୀ ଉତ୍ସବରେ ବିଶିଷ୍ଟ କୃଷି ବିଜ୍ଞାନୀ ଡକ୍ଟର ସ୍ୱାତୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଥିଲେ। ଏହା ସହିତ ଅଭିନବ କୃଷି ଯନ୍ତ୍ରପାତି ପ୍ରୋତ୍ସାହନ ଯୋଜନାରେ ୧୭ ଜଣ କୃଷକଙ୍କୁ ପୁରସ୍କୃତ କରିବା ସହ  ୧୦ ଜଣ ସଫଳ ମହିଳା ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର କୃଷି ଋଣ ମଡ୍ୟୁଲାର ସଫଳ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ଚାଷୀମାନେ ଖୁବ୍ ଶୀଘ୍ର ଓ ସୁବିଧାରେ ଫସଲ ଋଣ ପାଇପାରିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆୟୋଜିତ ଏକ କୃଷି ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, “୧୯୯୯ରେ କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବ୍ୟୟ ରାଜ୍ୟ ବଜେଟ୍‌ର ମାତ୍ର ୪.୬୬ ପ୍ରତିଶତ ଥିବାବେଳେ ଆଜି ଏହା ୧୧ ପ୍ରତିଶତ ହୋଇପାରିଛି। କୃଷି କ୍ଷେତ୍ରରେ ଏହି ବ୍ୟାପକ ବିନିଯୋଗ ଯୋଗୁଁ ଆଜି ରାଜ୍ୟର ସବୁ କ୍ଷେତ୍ରରେ ପ୍ରଗତି ଆସିଛି। କୃଷି କ୍ଷେତ୍ରରେ ମହିଳା ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।”

ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଉଦଘଟନୀ ଉତ୍ସବରେ ଯୋଗଦେଇ କହିଥିଲେ, “କ୍ଷେତରୁ ଆରମ୍ଭ କରି ଖାଦ୍ୟଥାଳି ପର୍ଯ୍ୟନ୍ତ ମହିଳାମାନଙ୍କର ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରହିଆସୁଛି। ମହିଳାମାନଙ୍କୁ କୃଷିଭିତ୍ତିକ କାର୍ଯ୍ୟକ୍ରମରେ ପ୍ରୋତ୍ସାହନ ଦିଆଯାଉଛି। ମିଶନ ଶକ୍ତି କାର୍ଯ୍ୟକ୍ରମ ଯୋଗୁଁ ଓଡ଼ିଶାର ମହିଳାମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛନ୍ତି।”

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବାବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଯୋଗ ଦେଇଥିଲେ।

Tags: #KrushiOdisha2024 #CelebratingWomenInAgriculture #CMOdisha #NaveenPatnaik

Comment