ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନ ଧରି ବିହାରରେ ଚାଲିଥିବା ରାଜନୈତିକ ଅନିଶ୍ଚିତତାର ଅନ୍ତ ଘଟାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆରଜେଡି, କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକୁ ନେଇ ଗଠିତ ମହାମେଣ୍ଟ ଛାଡ଼ି ସେ ପୁଣି ବିଜେପି ସମର୍ଥିତ ଏନଡିଏରେ ସାମିଲ ହୋଇଛନ୍ତି। ଏଥିପାଇଁ ରବିବାର ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ବିଜେପି ସମର୍ଥନରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଥିଲେ। ଏହାପରେ ସେ ନବମ ଥର ଲାଗି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ନୀତୀଶ କୁମାର ଜେଡିୟୁରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ବିଜେପିର ଦୁଇ ଜଣ ନେତା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ ଏବଂ ବରିଷ୍ଠ ବିଜେପି ନେତା ବିଜୟ ସିହ୍ନା ବିହାରର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ସେହିପରି ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ମୋଟ ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଜେଡିୟୁର ୩ ଜଣ, ବିଜେପିର ୩ ଜଣ ଓ ଏଚଏଏମର ଜଣେ ଏବଂ ଜଣେ ସ୍ଵାଧୀନ ବିଧାୟକ ଅଛନ୍ତି। ସୋମବାର ସେମାନଙ୍କୁ ନେଇ ବିହାରର ନୂଆ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ।   

ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “ମୁଁ ପୂର୍ବରୁ ଯେଉଁ ଏନଡିଏରେ ଥିଲି ଏବେ ସେଠାକୁ ପୁଣି ଫେରିଛି। ମୋର ଆଉ ମେଣ୍ଟ ବଦଳାଇବାର ନାହିଁ। ଏନଡିଏ ମେଣ୍ଟ ହିଁ ବିହାରର ବିକାଶ କରିପାରିବ ଏବଂ ଆମେ ତାହା ଜାରି ରଖିବୁ।”

ଏହି ନୂଆ ସରକାରକୁ ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ଵାଧୀନ ଆରଜେଡି ପକ୍ଷରୁ ବିରୋଧ କରାଯାଇଛି। ଦଳ ନୀତୀଶ କୁମାରଙ୍କ ସରକାର ବିରୋଧରେ ବିହାର ବିଧାନସଭାରେ ଅବିଶ୍ଵାସ ପ୍ରସ୍ତାବ ଆଣିବା ନେଇ ଯୋଜନା କରୁଛି।

ଅନ୍ୟପଟେ ନୀତୀଶଙ୍କ ସରକାର ବଦଳିବା ଯୋଗୁଁ ବିରୋଧୀ ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟକା ଲାଗିଛି। ନୀତୀଶ କୁମାର ‘ଇଣ୍ଡିଆ’ ମେଣ୍ଟର ଜଣେ ବଡ଼ ଚେହେରା ଥିଲେ। ତାଙ୍କ ଅନୁପସ୍ଥିତିରେ ଆଗାମୀ ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟକୁ ବହୁତ କ୍ଷତି ହେବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି।

ତେବେ ଭାରତୀୟ ରାଜନୀତିରେ ନୀତୀଶ କୁମାରଙ୍କ ମେଣ୍ଟ ବଦଳେଇବାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ସେ ଗତ ୧୦ ବର୍ଷ ମଧ୍ୟରେ ପଞ୍ଚମ ଥର ପାଇଁ ମେଣ୍ଟ ବଦଳାଇଛନ୍ତି। ଏହାପୂର୍ବରୁ ୨୦୨୨ ମସିହାରେ ସେ ଏନଡିଏରୁ ଅଲଗା ହୋଇ ଆରଜେଡି ଓ କଂଗ୍ରେସ ସହ ହାତ ମିଳାଇ ବିହାରରେ ସରକାର ଗଠନ କରିଥିଲେ। 

Tags: #NitishKumar #CMofBihar #JDU #NDA #BJP #INDIAlliance #Politics #Bihar

Comment