ଓଡ଼ିଶାଲାଇଭ୍ ବ୍ୟୁରୋ

  • ଫେବ୍ରୁଆରି ୩ରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
  • ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
  • ଭାଷା ସମ୍ମିଳନୀ ସହ ଅନଲାଇନରେ ଯୋଡ଼ି ହେବ ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତ
  • ଗୁରୁତ୍ୱପୂର୍ଣ୍ଣ ଅଧିବେଶନଗୁଡ଼ିକର ହେବ ଲାଇଭ ଷ୍ଟ୍ରିମିଙ୍ଗ

(ଭୁବନେଶ୍ୱର): ଫେବ୍ରୁଆରି ୩ରୁ ୫ ତାରିଖ ଯାଏଁ ଆରମ୍ଭ ହେବାକୁ ଯାଉଛି ତିନିଦିନିଆ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଆୟୋଜିତ ହେବାକୁ ଥିବା ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସହ ରାଜ୍ୟର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଅନଲାଇନ ମାଧ୍ୟମରେ ଯୋଡ଼ିବାକୁ ୫-ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନଗୁଡ଼ିକର ଲାଇଭ ଷ୍ଟ୍ରିମିଙ୍ଗ, ଭାଷା ଓ ଏହାର ଭବିଷ୍ୟତ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଲାଗି ସେ ଗୁରୁତ୍ଵାରୋପ କରିଛନ୍ତି।

ଏହି ସମ୍ମିଳନୀରେ ଭାଷା ସମ୍ପର୍କରେ ଯେଉଁ ପ୍ରସ୍ତାବ ଗୃହୀତ ହେବ, ତାକୁ ଭିତ୍ତି କରି ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ କରି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଭିକେ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି।

କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହେଉଛି ‘ଭାଷା ହିଁ ଭବିଷ୍ୟତ’। ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ ୧୬ଟି ଏକାଡେମିକ୍ ଅଧିବେଶନ ରହିଛି। ଏଥିରେ ବହୁ ମାନ୍ୟଗଣ୍ୟ ଭାଷାବିତ୍‌, ବୁଦ୍ଧିଜୀବୀଙ୍କ ସମେତ  ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହେବେ।

ଏହି ସମ୍ମିଳନୀ ଓଡ଼ିଶାର ଅତୀତ ଓ ବର୍ତ୍ତମାନର ରୂପାନ୍ତରଣ ପ୍ରକ୍ରିୟା ଉପସ୍ଥାପିତ କରିବ। ଅକ୍ଷର ଭୂମିରେ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରାଯିବ। ଐତିହ୍ୟ ନଗରୀ ଭୁବନେଶ୍ୱର କେନ୍ଦ୍ର ସ୍ଥଳରେ ଏହି ସମ୍ମିଳନୀ ଓଡ଼ିଆ ଭାଷାର ଜୟଗାନ କରିବ। ଆମ ଭାଷାର ସୌନ୍ଦର୍ଯ୍ୟ ଓ ଖାଣ୍ଡେଲାଇଟ ପଥରରେ ଲିପିବଦ୍ଧ ହୋଇଥିବା କଳିଙ୍ଗ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ଏହା ମାଧ୍ୟମରେ ପ୍ରତିଫଳିତ ହେବ। ଭାଷାପ୍ରେମୀ ବିଶେଷ କରି ଯୁବପିଢ଼ିଙ୍କ ପାଇଁ ଏହା ହେବ ପ୍ରମୁଖ ଆକର୍ଷଣର ସ୍ଥାନ।

Tags: #WorldOdiaLanguageConference #WorldOdiaLanguageAward2024 #Inauguration #CMOdisha #NaveenPatnaik #VKPandian #BiswoOdiaBhashaSammana

LEAVE A REPLY

Please enter your comment!
Please enter your name here