ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିବସ ଷୋଡ଼ଶ ଆଲୋଚନା ସଭା ‘ବିଜ୍ଞାନର ଭାଷା ରୂପେ ଓଡ଼ିଆ’ର ସଭାପତି ରୂପେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ପ୍ରଫେସର ଶିବପ୍ରସାଦ ଅଧିକାରୀ ମତ ବ୍ୟକ୍ତ କରି କହିଲେ ଯେ ଓଡ଼ିଆରେ ବିଜ୍ଞାନ ଲେଖିବା କ୍ଷେତ୍ରରେ ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କ ଅବଦାନ ଚିର ସ୍ମରଣୀୟ। ସେ ଓଡ଼ିଶାର ଟେକ୍ସଟ ବୁକ୍ ପ୍ରେସ୍‌ର ନିର୍ଦ୍ଦେଶକ ଥିବାବେଳେ ୧୯୭୧ ମସିହାରେ ପ୍ରକାଶ କରିଥିଲେ ‘ବିଜ୍ଞାନର ପରିଭାଷା’।

ଅନେକଙ୍କର ଧାରଣା ଯେ ବିଜ୍ଞାନର ବ୍ୟବହାର ପାଇଁ ପ୍ରତିଟି ଇଂରାଜୀ ଶବ୍ଦ ପାଇଁ ଓଡ଼ିଆ ଶବ୍ଦ ସୃଷ୍ଟି ହେବା ଦରକାର। କିନ୍ତୁ ଏଭଳି ଧାରଣା ଭ୍ରମାତ୍ମକ। କାରଣ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଯେଉଁ ବିଦେଶୀ ଶବ୍ଦଗୁଡ଼ିକ ବ୍ୟବହାର କରୁଛନ୍ତି, ସେଗୁଡ଼ିକ ବଦଳରେ ଓଡ଼ିଆ ପ୍ରତିଶବ୍ଦ ବ୍ୟହାର କରିବାର କୌଣସି ଆବଶ୍ୟକତା ନାହିଁ।

ବିଜ୍ଞାନରେ ବ୍ୟବହାର କରାଯାଇଥିବା ଆନ୍ତର୍ଜାତିକ ଶବ୍ଦଗୁଡ଼ିକୁ ଯେମିତିକି ସୋଡିୟମ୍, ପଟାସିୟମ୍ ଆଦି ଶବ୍ଦକୁ ନ ବଦଳାଇ ସେଗୁଡ଼ିକୁ ଓଡ଼ିଆ ଲିପିରେ ଲେଖାଯାଇପାରେ। ବିଭିନ୍ନ ରାସାୟନିକ, ଯୌଗିକ ତଥା ବିଭିନ୍ନ ମାପ ପ୍ରଣାଳୀ ଆଦିକୁ ସେମିତି ଲେଖିବା ଜରୁରୀ। ତେବେ ବିଜ୍ଞାନର ବ୍ୟବହାର ପାଇଁ ଶବ୍ଦ ଓ ପରିଭାଷାକୁ ଘେନି ଶବ୍ଦକୋଷ ତିଆରି କରିବାର ଯଥେଷ୍ଟ ଆବଶ୍ୟକତା ରହିଛି।

ପ୍ରଥମ ବକ୍ତା ରୂପେ ପଦାର୍ଥ ବିଜ୍ଞାନର ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ ମୂଳତଃ ପ୍ରଫେସର ଶିବପ୍ରସାଦଙ୍କ ମତ ସହ ନିଜର ସହମତି ଜଣାଇ ତାଙ୍କ ବକ୍ତବ୍ୟ ଉପସ୍ଥାପିତ କରିଥିଲେ। ବିଜ୍ଞାନ, ବିଶେଷ କରି ପଦାର୍ଥ ବିଜ୍ଞାନରେ ଓଡ଼ିଆ ବ୍ୟବହାର କରିବାର ଚେଷ୍ଟା ସମୟ ଅନୁଯାୟୀ ଯଥେଷ୍ଟ ହୋଇପାରିଲା ନାହିଁ। ଆଧୁନିକ ବିଜ୍ଞାନ, ଭାରତରେ ପ୍ରଥମେ ପଶ୍ଚିମବଙ୍ଗକୁ ଆସିଲା ଓ ପରେ ଅନ୍ୟତ୍ର ପ୍ରସାରିତ ହେଲା। ବିଜ୍ଞାନରେ ଓଡ଼ିଆ ବ୍ୟବହାର ପାଇଁ ପ୍ରଥମେ ଏହାକୁ ଜନପ୍ରିୟ କରିବା, ଟେକ୍ସଟ ବୁକ୍ ଲେଖିବା ଓ ଆଲୋଚନା କରିବା ପରି ତିନିଟି କ୍ଷେତ୍ରରେ କାମ କରିବାର ଆବଶ୍ୟକତା ରହିଛି। ଏହି ସମସ୍ତ ବିଭାଗର ଡିଜିଟାଇଜେସନ୍ ସହ ଏଆଇ ଉପଯୋଗରେ ଏହାକୁ ସମୃଦ୍ଧ କରାଯାଇପାରିବ।

ତେବେ ଉନବିଂଶ ଶତାବ୍ଦୀରେ ସାମନ୍ତ ଚନ୍ଦ୍ରଶେଖରଙ୍କ ଚେଷ୍ଟାକୁ ଓଡ଼ିଆରେ ପ୍ରଥମ ପଦକ୍ଷେପ ବୋଲି କୁହାଯାଇପାରେ। ପଠାଣି ସାମନ୍ତଙ୍କ କାର୍ଯ୍ୟକୁ ନିଶ୍ଚିତରେ ଆମେ ବିଶ୍ୱସ୍ତରୀୟ ପଦକ୍ଷେପ ବୋଲି କହିପାରିବା।

ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ‘ଚିକିତ୍ସା ବିଜ୍ଞାନର ଭାଷା ଭାବେ ଓଡ଼ିଆ’ ବିଷୟରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ନିଜ ଛାତ୍ରଜୀବନର ଉଦାହରଣ ଦେଇ ସେ କହିଥିଲେ ଯେ ଓଡ଼ିଆ ମାଧ୍ୟମ ଛାତ୍ରୀ ରୂପେ କଲେଜ ଗଲା ପରେ ଓଡ଼ିଆରେ ଶିଖିଥିବା ସମସ୍ତ ବିଜ୍ଞାନ ଶବ୍ଦକୁ ଇଂରାଜୀ ସହ ମିଶାଇବା ଭାରି କଷ୍ଟକର ଥିଲା।

ପରେ ମେଡିକାଲ୍ କଲେଜ ଗଲା ପରେ ଯେଉଁ ଶିକ୍ଷକମାନେ ଓଡ଼ିଆରେ କହୁଥିଲେ ଛାତ୍ରୀମାନେ ସେ ଶିକ୍ଷକ କିଛି ଜାଣିନାହାନ୍ତି ବୋଲି ଭାବୁଥିଲେ, କିନ୍ତୁ ତାହା ସେମାନଙ୍କର ଭୁଲ ଧାରଣା ଥିଲା। କାରଣ ଆମେ ଭଲ ଭାବେ ବୁଝିବା ପାଇଁ ସେମାନେ ଓଡ଼ିଆରେ କହୁଥିଲେ। ତେଣୁ ‘‘ଉଚ୍ଚ ହେବା ପାଇଁ ଯଦି କର ଆଶା, ଉଚ୍ଚ କର ତେବେ ନିଜ ମାତୃଭାଷା’’।

ସଂଘମିତ୍ରା ପତି ଜଣେ ଡାକ୍ତର ହୋଇଥିବାରୁ ତାଙ୍କ ପେସାର ଉଦାହରଣ ଦେଇ କହିଲେ ଯେ ଜଣେ ରୋଗୀ ଯେତେବେଳେ ଡାକ୍ତରଙ୍କ ପାଖକୁ ଆସେ ସେ ତା’ର ସମସ୍ୟା ଇଂରାଜୀରେ କହେ ନାହିଁ। ସେ ତା’ ନିଜ ଭାଷାରେ କହେ। କାରଣ କଷ୍ଟ ପାଇବା ଓ ଖୁସି ହେବା ସମୟରେ ଲୋକେ ନିଜ ଭାଷାରେ ତାହାକୁ ପ୍ରକାଶ କରିଥାନ୍ତି। ତେଣୁ ନିଜ ପେସାଗତ ସୁବିଧା ପାଇଁ ଜଣେ ଡାକ୍ତର ଓଡ଼ିଆ ଭାଷାରେ ବିଭିନ୍ନ ରୋଗ ସମ୍ପର୍କରେ ଜାଣିବା ଦରକାର।

ଗବେଷଣା ପାଇଁ ୨୦୦୦ ମସିହାରେ ଡାକ୍ତର ସଂଘମିତ୍ରା ପତି ଯେତେବେଳେ ନେଦରଲ୍ୟାଣ୍ଡ ଗଲେ, ସେ ଭାବିଥିଲେ ଯେ ସେଠାକାର ଡାକ୍ତରୀ ପୁସ୍ତକ ଇଂରାଜୀରେ ଲେଖାଯାଇଥିବ। କିନ୍ତୁ ସେ ଯେତେବେଳେ ସେଗୁଡ଼ିକୁ ଦେଖିଲେ ଆଶ୍ଚର୍ଯ୍ୟ ହେଲେ ଯେ ତାହା ଡଚ୍‌ ଭାଷାରେ ଲେଖାଯାଇଥିଲା। ସେହି ଉଦାହରଣ ଦେଇ ସେ କହିଲେ ଯେ ସେବେଠାରୁ ଆଜି ୨୪ ବର୍ଷ ପରେ ଆମେ ଡାକ୍ତରୀ ପୁସ୍ତକ ଆମ ନିଜ ଭାଷାରେ ଲେଖିବା କଥା କେବଳ ଭାବୁଛୁ ଯେ ଏହା କରାଯାଇପାରିବ ନା ନାହିଁ। ତେବେ ଡାକ୍ତରମାନେ ସେମାନଙ୍କ ପ୍ରେସକ୍ରିପସନ୍ ଓଡ଼ିଆରେ ଲେଖିବାଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବା ଦରକାର।

କୃଷିବିଜ୍ଞାନୀ ଡକ୍ଟର ସ୍ୱାତୀ ନାୟକ ‘ସ୍ଥାନୀୟ ଭାଷା ଓଡ଼ିଆରେ ବିଜ୍ଞାନ ବିଷୟକ ଜ୍ଞାନ ଆହରଣ ଓ ବିକେନ୍ଦ୍ରିକରଣ’ ବିଷୟବସ୍ତୁ ଉପରେ ନିଜର ବକ୍ତବ୍ୟ ରଖି କହିଥିଲେ ଯେ ଓଡ଼ିଶାରେ ୭୦ରୁ ୮୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ତେଣୁ ସ୍ଥାନୀୟ ଭାଷା ରୂପେ ଓଡ଼ିଆ ଭାଷା କୃଷି କ୍ଷେତ୍ରରେ ବ୍ୟବହାରର ଯଥେଷ୍ଟ ଆବଶ୍ୟକତା ରହିଛି।

‘ମାତୃଭାଷା ଓଡ଼ିଆ ମାଧ୍ୟମରେ ବିଜ୍ଞାନର ଯୋଗାଯୋଗ’ ବିଷୟରେ ବକ୍ତବ୍ୟ ଉପସ୍ଥାପନ କରିବାକୁ ଯାଇ ବିଶିଷ୍ଟ ରସାୟନ ବିଜ୍ଞାନୀ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହିଲେ ଯେ “ମା’ର ବିକଳ୍ପ ନାହିଁ, ମା’ ଭାଷାର ବିକଳ୍ପ ନାହିଁ, ମା’ କ୍ଷୀରର ବିକଳ୍ପ ନାହିଁ”।

ଖାଲି ବିଜ୍ଞାନ ନୁହେଁ, ଜୀବନର ଚଲାପଥରେ ଆମେ ସମସ୍ତ କ୍ଷେତ୍ରରେ ମାତୃଭାଷା ବ୍ୟବହାର କରିବାର ଗୁରୁତ୍ୱ ରହିଛି।

ଭାରତରେ ବିଜ୍ଞାନର ପ୍ରଥମ ପଦ ଧ୍ୱନି ଶୁଣିବାକୁ ମିଳିଥିଲା କଲିକତାରେ। ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ରନାଥ ବୋଷ ୧୯୪୮ ମସିହା ଜାନୁଆରି ୨୫ ତାରିଖରେ କଲିକତାରେ ଗଠନ କରିଥିଲେ ଭାରତର ପ୍ରଥମ ବିଜ୍ଞାନ ଅନୁଷ୍ଠାନ ‘ବଙ୍ଗୀୟ ବିଜ୍ଞାନ ପରିଷଦ’ ଓ ଠିକ୍ ତା’ ପରବର୍ଷ ୧୯୪୯ ମସିହା ଅଗଷ୍ଟ ୭ ତାରିଖରେ ଭାରତର ଦ୍ୱିତୀୟ ବିଜ୍ଞାନ ଅନୁଷ୍ଠାନ ଭାବେ ଓଡ଼ିଶାରେ ଗଢ଼ା ଗଲା ‘ବିଜ୍ଞାନ ପ୍ରସାର ସମିତି’।

ତେବେ ୧୯୫୦ ମସିହାରେ ସାରା ପୃଥିବୀକୁ ଚମତ୍କୃତ କଲା ଭଳି ଯେଉଁ ଘଟଣାଟି ଘଟିଲା ତା’ ହେଲା ଯେ ବିଜୁବାବୁ କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ନାମରେ ଅନୁଷ୍ଠାନଟିଏ ଗଢ଼ିଲେ, ଯାହା ପକ୍ଷରୁ ସେ ୧୯୫୧ ମସିହାରେ ପ୍ୟାରିସ ଗଲେ ଏବଂ ସେଠାରେ ୧୯୫୦ ମସିହାରେ ଗଠିତ ହୋଇଥିବା ୟୁନେସ୍କୋର ମୁଖ୍ୟଙ୍କୁ ଭେଟି କିଛି ଅର୍ଥ ତାଙ୍କୁ ଦେଲେ, ଯେଉଁଥିରୁ କି ସାରା ବିଶ୍ୱରେ ବିଜ୍ଞାନ କ୍ଷେତ୍ରରେ କାମ କରୁଥିବା ବୈଜ୍ଞାନିକମାନଙ୍କୁ ‘କଳିଙ୍ଗ ପୁରସ୍କାର’ ଦିଆଯିବା ଆରମ୍ଭ ହେଲା।

ଏହି କଳିଙ୍ଗ ପୁରସ୍କାର ୟୁନେସ୍କୋ ପକ୍ଷରୁ ୧୯୫୨ ମସିହାଠାରୁ ଦେବା ଆରମ୍ଭ କରାଗଲା। ଏହା ଥିଲା ବିଶ୍ୱରେ ୟୁନେସ୍କୋର ପ୍ରଥମ ପୁରସ୍କାର ଓ ପୁରା ବିଶ୍ୱରେ ଭାରତ ପକ୍ଷରୁ ବିଜ୍ଞାନ କ୍ଷେତ୍ର ପାଇଁ ମଧ୍ୟ ଏକମାତ୍ର ପୁରସ୍କାର। ବିଜ୍ଞାନକୁ ଲୋକପ୍ରିୟ କରିବାରେ ଏହା ବିଜୁବାବୁଙ୍କର ମହାନ୍ ଅବଦାନ ଥିଲା।

 ‘ଓଡ଼ିଆ ଭାଷାରେ ପରିବେଶ ସଚେତନତା ବୃଦ୍ଧି’ ବିଷୟରେ ବିଶିଷ୍ଟ ପରିବେଶବିତ୍ ପ୍ରଫେସର ଡ. ଜୟକୃଷ୍ଣ ପାଣିଗ୍ରାହୀ ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ମଧ୍ୟରେ ପରିବେଶ ସମସ୍ୟା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ବିଶ୍ୱର ଭବିଷ୍ୟତ ପାଇଁ ଆଜି ପରିବେଶ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ ମନ୍ତବ୍ୟ ଦେଇଥିଲେ।

ଯେଉଁ ଭଳି ଭାବେ ପୃଥିବୀର ପାଣି, ମାଟି, ପବନ ଇତ୍ୟାଦି ପ୍ରଦୂଷିତ ହୋଇ ଚାଲିଛି, ଜଙ୍ଗଲ ସମ୍ପଦର ଅବକ୍ଷୟ ଘଟି ଚାଲିଛି, ଜୈବ ବିବିଧତା ହ୍ରାସ ପାଇ ଚାଲିଛି, ପୃଥିବୀର ତାପମାତ୍ରାରେ ବୃଦ୍ଧି ଘଟୁଛି, ଯାହାକୁ ଆମେ ଗ୍ଲୋବାଲ୍ ୱାର୍ମିଙ୍ଗ ବୋଲି କହୁଛେ- ଏସବୁର ପରିଣାମ ସଦୃଶ ଜଳବାୟୁର ପ୍ରଭୂତ ପରିବର୍ତ୍ତନ ଘଟୁଛି ଏବଂ ପୃଥିବୀର କୋଣ ଅନୁକୋଣରେ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଇଚାଲିଛି।

ଏସବୁର କାରଣ ପଛରେ ରହିଛନ୍ତି ପୃଥିବୀରେ ବସବାସ କରୁଥିବା ୮୦୦ କୋଟି ଲୋକଙ୍କ ଚାପ। ପରିବେଶର ଏହି ଦୁର୍ଗତିରୁ ତ୍ରାହି ପାଇବା ପାଇଁ ପ୍ରତ୍ୟେକ ଅଞ୍ଚଳର ଲୋକଙ୍କୁ ପରିବେଶ ଅନୁକୂଳ ଅଭ୍ୟାସ ତିଆରି କରିବାକୁ ପଡ଼ିବ ଏବଂ ପରିବେଶ ସମ୍ପର୍କରେ ସଚେତନ ହେବାକୁ ପଡ଼ିବ। ଲୋକମାନଙ୍କୁ ସଚେତନ କରିବା ପାଇଁ ସ୍ଥାନୀୟ ଭାଷା ବ୍ୟବହାର କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

Tags: #WorldOdiaLanguageConference #WorldOdiaLanguageConference2024 #BiswoOdiaBhashaSammilani

LEAVE A REPLY

Please enter your comment!
Please enter your name here