ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ପାଇଁ ଶୁଭେଚ୍ଛା ଜଣାଇବା ସହ ତୃତୀୟ ଦିନର ସଂପାନରେ ପ୍ରଫେସର ଡକ୍ଟର ଆନ୍ନେଟେ ସ୍କିମଡଚେନ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ ସେ ଓଡ଼ିଆ ଜାଣି ନଥିଲେ ବି ନିଜ ଏକାଡେମିକ୍ ଜୀବନରେ ୨୦୧୧ ମସିହାରେ ପ୍ରଥମ ଥର ଏଠାକୁ ଆସିବାର ବହୁପୂର୍ବରୁ ଓଡ଼ିଶାର ଇତିହାସ ସହ ସେ ଦୀର୍ଘ ଦିନ ଧରି ଜଡ଼ିତ ହୋଇ ରହିଥିଲେ।
ତା’ ପରେ ୨୦୧୧ରୁ ୨୦୧୫ ମସିହା ମଧ୍ୟରେ ପ୍ରଫେସର ଆନ୍ନେଟେ ସ୍କିମଡଚେନ ବର୍ଷକୁ ଥରେ ଦୁଇଥର କରି ନିୟମିତ ଓଡ଼ିଶା ଆସିଲେ। ସେହି ସମୟରେ ୨୦୧୩ ମସିହାରେ କଟକରେ ଏପିଗ୍ରାଫିକ୍ ସୋସାଇଟି ପକ୍ଷରୁ ଆୟୋଜିତ ବାର୍ଷିକ ସଭାରେ ଯୋଗଦେବା ଅବସରରେ ସେ ପ୍ରଫେସର ସୁବ୍ରତ ଆଚାର୍ଯ୍ୟଙ୍କୁ ଭେଟିଲେ ଓ ତା’ ପରେ ୨୦୨୩ ମସିହାରୁ ପୁଣି ଓଡ଼ିଶା ଆସିବାକୁ ଲାଗିଲେ। ଏହା ପଛର ମୁଖ୍ୟ କାରଣଟି ହେଲା ଯେ ଆମ ରାଜ୍ୟ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଓ ଭଲ ପାଇବା।
ଓଡ଼ିଶାରେ ଗବେଷଣା କରିବା ସମୟରେ ଯାହା ବାରମ୍ବାର ବିଶେଷ ଭାବେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ତାହା ହେଲା ମଧ୍ୟଯୁଗୀୟ ଭୌମକରଙ୍କ ରାଜବଂଶ। ଏହି ରାଜବଂଶର ପୁରାତନ ତାମ୍ରଲିପିରୁ ଜଣାପଡ଼େ ଯେ ଏହି ରାଜବଂଶ କର ପରିବାର ଦ୍ୱାରା ପରିଚାଳିତ ହେଉଥିଲା, ଯେପରିକି ଶୁଭାକର ଓ ଶିବକର ଆଦି।
ଖୁସିର କଥା ଯେ ତାଙ୍କ ଗବେଷଣା କାଳରେ ସେ ଗବେଷକ ବିନାୟକ ମିଶ୍ରଙ୍କ ୧୯୩୪ ମସିହାରେ ପ୍ରକାଶିତ ‘ଓଡ଼ିଶା ଅଣ୍ଡର ଦି ଭୌମ କିଂଗସ୍’, ସ୍ନିଗ୍ଧା ତ୍ରିପାଠୀଙ୍କ ‘ଇନସ୍କ୍ରିପସନସ୍ ଅଫ୍ ଓଡ଼ିଶା’, ସୁବ୍ରତ କୁମାର ଆଚାର୍ଯ୍ୟ ତଥା ଡିପି ଦୁବେ ଓ ସୁବ୍ରତ କୁମାର ଆଚାର୍ଯ୍ୟ ଓ ଅନ୍ୟମାନଙ୍କ ପୁସ୍ତକଗୁଡ଼ିକରୁ ସେ ଯଥେଷ୍ଟ ଶିଖିବାକୁ ପାଇଥିଲେ। ପ୍ରଫେସର ସ୍କିମଡଚେନ କହିଲେ ଯେ, ମଧ୍ୟଯୁଗୀୟ ଭୌମକର ବଂଶ ସମ୍ଭବତଃ ଓଡ଼ିଶାରେ ଅଷ୍ଟମ ଓ ଦଶମ ଶତାବ୍ଦୀ ମଧ୍ୟରେ ଶାସନ କରୁଥିଲେ।
ସେ ଉଲ୍ଲେଖ କଲେ ଯେ ବହୁବର୍ଷ ତଳେ ସେ ଯେତେବେଳେ ଅଷ୍ଟମ ଶତାବ୍ଦୀରେ ଉତ୍ତର ଭାରତରେ ବୌଦ୍ଧ ସ୍ମାରକୀଗୁଡ଼ିକ ଉପରେ ତାଙ୍କର ପିଏଚଡି କରୁଥିଲେ ଭୌମକରଙ୍କ ଶାସନ ବିଷୟରେ ଜାଣିବାକୁ ପାଇଥିଲେ। ସେତେବେଳେ ତାଙ୍କ ଗବେଷଣା ବୁଦ୍ଧ ଧର୍ମ ଉପରେ ନିବେଶିତ ହୋଇଥିବାରୁ ସେ ଭୌମକରଙ୍କଠାରୁ ତୃତୀୟ ଶୁଭାକରଙ୍କ ସମୟକାଳ ଉପରେ କାର୍ଯ୍ୟ କରିବାକୁ ଚାହିଁଲେ। ଭୌମକରମାନେ ଶୈବ ଧର୍ମାବଲମ୍ବୀ ହୋଇଥିଲେ ବି ବୌଦ୍ଧ ଧର୍ମର ପ୍ରସାର ପାଇଁ ସହଯୋଗ କରୁଥିଲେ। ତେଣୁ ଭୌମକର ପ୍ରଥମ ନିଜକୁ ‘ପରମ ସୌଗତ’ ରୂପେ ଅଭିହିତ କରୁଥିଲେ, ତେଣୁ ତାଙ୍କୁ ଜଣେ ବୌଦ୍ଧ ଧର୍ମାବଲମ୍ବୀ କହିବା ଭୁଲ ହେବ ନାହିଁ।
ତାଙ୍କ ସମୟରେ ଭୌମକର ପ୍ରଥମ ୨୦୪ ଜଣ ବ୍ରାହ୍ମଣଙ୍କୁ ନେଇ ଏକ ସଭା କରିଥିଲେ- ସେହି ବ୍ରାହ୍ମଣ ସଭାରେ ଋକ୍, ଶାମ, ଅଥର୍ବ ଓ ଯର୍ଜୁ ଚାରିବେଦ ଅନୁଗାମୀମାନଙ୍କ ମଧ୍ୟରୁ ପ୍ରତି ବେଦର ୫୧ ଜଣ କରି ବ୍ରାହ୍ମଣ ସେହି ସଭାରେ ଏକତ୍ରିତ ହୋଇଥିଲେ।
ପ୍ରଫେସର ସ୍କିମଡଚେନ ବିଶେଷ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ତାଙ୍କ ଅଧ୍ୟୟନରେ ଭୌମକରଙ୍କ ରାଜତ୍ୱ କାଳରୁ ମିଳିଥିବା ତାମ୍ରଲିପି ଫଳକଗୁଡ଼ିକର ଲିପିସୂତ୍ର ଅନୁଯାୟୀ ସେତେବେଳେ ୧୨ ଜଣ ରାଜାଙ୍କ ବ୍ୟତୀତ ଆଉ ସାତଜଣ ରାଣୀ ଶାସନଭାର ସମ୍ଭାଳି ଥିଲେ। ସେ ମଧ୍ୟରୁ ଭୌମଙ୍କରମାନଙ୍କ ରାଜତ୍ୱର ଶେଷ ୫୦ ବର୍ଷରେ ପାଞ୍ଚ ଜଣ ରାଣୀ ଶାସନ କରିଥିଲେ।
ବାସ୍ତବରେ ଦେଖିବାକୁ ଗଲେ ଭୌମକର ଶାସନ କାଳ ନବମରୁ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ କୁହାଯାଉଥିବା ବେଳେ ପ୍ରଫେସର ସ୍କିମଡଚେନ ଓଡ଼ିଶାର ଗବେଷକମାନଙ୍କ ସହ ସହମତ ହୋଇ ତାହା ଅଷ୍ଟମରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଥିଲା ବୋଲି ମତ ଦେଇଥିଲେ। ଉଲ୍ଲେଖଯୋଗ୍ୟ କି ଓଡ଼ିଶାର ଗବେଷକମାନଙ୍କ ମତରେ ଭୌମକର ଶାସନ କାଳ ୭୩୬ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା, ୮୩୧ ଖ୍ରୀଷ୍ଟାବ୍ଦ ନୁହେଁ।
ପ୍ରଫେସର ସ୍କିମଡଚେନଙ୍କ ଉଲ୍ଲେଖ ଅନୁଯାୟୀ ଭୌମକର ରାଜତ୍ୱର ଶେଷ ୫୦ବର୍ଷରେ ଯେଉଁ ୫ ଜଣ ରାଣୀ ଶାସନ କରିଥିଲେ ସେମାନେ ସମସ୍ତେ ବିଧବା ଥିଲେ ଏବଂ ବିଶେଷ କରି ପ୍ରତି ବିଧବା ରାଣୀ ଅନ୍ୟ ଜଣେ ବିଧବା ରାଣୀଙ୍କ ପରେ ଶାସନ ଭାର ଗ୍ରହଣ କରିଥିଲେ। ଅବଶ୍ୟ ରାଜତ୍ୱର ଶେଷ ଭାଗରେ ରାଜା ଶୁଭାକର ପଞ୍ଚମଙ୍କ ରାଣୀ ଗୌରୀ ମହାଦେବୀଙ୍କ ଝିଅ ବକୁଳ ମହାଦେବୀ ଯୁବରାଣୀ ଭାବେ ଶାସନ କରିଥିଲେ।
ସେମାନଙ୍କ ଶାସନ କାଳରେ ରାଜାମାନଙ୍କ ପରି ରାଣୀମାନେ ମଧ୍ୟ ସେମାନଙ୍କ ବଂଶାନୁକ୍ରମକୁ ନେଇ ତାମ୍ରଲିପି ପ୍ରଚଳନ କରିଥିଲେ, ଯାହାକି ତତ୍କାଳୀନ ସମୟରେ ନିଶ୍ଚୟ ଗ୍ରହଣୀୟ ଥିଲା। ଏହା ମଧ୍ୟ ଉଲ୍ଲେଖନୀୟ କି ଭୌମକର ରାଜାମାନେ ନିଜକୁ ରାଜକୀୟ ସମ୍ମାନ ‘ପରମ ଭଟ୍ଟାରକ ମହାରାଜାଧିରାଜ ପରମେଶ୍ୱର’ ଉପାଧିରେ ଭୂଷିତ କରୁଥିବା ବେଳେ ମହାରାଣୀମାନେ ମଧ୍ୟ ସମାନ ଭାବେ ନିଜ ନିଜକୁ ‘ମହାରାଜାଧିରାଜ ପରମେଶ୍ୱରୀ’ ଉପାଧିରେ ଭୂଷିତ କରୁଥିଲେ।
ଏହି ତାମ୍ରଲିପି ଫଳକଗୁଡ଼ିକ ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ହୋଇ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।
Tags: #WorldOdiaLanguageConference #ProfAnnetteSchemiedchen #HistoryOfOdisha #WorldOdiaLanguageConference2024 #BiswoOdiaBhashaSammilani