ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଗୁରୁବାର ଦିନ ୧୧ଟା ସମୟରେ ଅଶ୍ଵିନୀ ବୈଷ୍ଣବ ବିଜେପି କାର୍ଯ୍ୟାଳୟରୁ ସିଧାସଳଖ ବିଧାନସଭାରେ ପହଞ୍ଚି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ପ୍ରାର୍ଥିପତ୍ର ଦାଖଲ ସମୟରେ ଅଶ୍ଵିନୀ ବୈଷ୍ଣବଙ୍କ ସହ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟ ସଚେତକ ମୋହନ ମାଝି, ବିଧାୟିକା କୁସୁମ ଟେଟେ, ବିଧାୟକ ନାଉରୀ ନାୟକ ଓ ନବ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

ମଙ୍ଗଳବାର ଦିନ କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ପୁରୀର ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଆସନ୍ତା ଏପ୍ରିଲ ୩ ତାରିଖରେ ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଖାଲି ହେବାକୁ ଥିବା ଏହି ୩ ଆସନ ଲାଗି ନିର୍ବାଚନ ହେବ। ଏମାନଙ୍କ ସ୍ଥାନରେ ୩ ଜଣ ଯିବେ ରାଜ୍ୟସଭା।

ଅଶ୍ଵିନୀ ବୈଷ୍ଣବଙ୍କୁ ଦ୍ଵିତୀୟ ଥର ପାଇଁ ବିଜେପି ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀ କରିଥିବାବେଳେ ବିଜେଡି ସମର୍ଥନ ଜଣାଇଥିଲା। ଅଶ୍ଵିନୀ ବୈଷ୍ଣବ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ବିଜେଡିର କୌଣସି ନେତାଙ୍କୁ ଦେଖିବାକୁ ମିଳିନଥିଲା।

ଫେବ୍ରୁଆରି ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ଫେବ୍ରୁଆରି ୧୫ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଫେବ୍ରୁଆରି ୧୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ରହିଛି।

Tags: #Politics #OdishaPolitics #AshwiniVaisanaw #Election #RajyasabhaElection #BJD #Odisha #Nomination

Comment