ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଭୁବନେଶ୍ୱରଠାରେ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରିଛି ‘ଓଡ଼ିଶା ୱିମେନ୍‌ ଇନ ମିଡିଆ’ (ଓଡବ୍ଲ୍ୟୁଏମ୍‌)। ଓଡବ୍ଲ୍ୟୁଏମ୍‌ ପକ୍ଷରୁ ଆୟୋଜିତ ସମାରୋହରେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ପଦ୍ମଶ୍ରୀ ପ୍ୟାଟ୍ରିସିଆ ମୁଖିମ ଏବଂ ପିପ୍‌ଲିକାର ପ୍ରତିଷ୍ଠାତା ନିର୍ଦେଶିକା ଦୀପିକା ଅଧିକାରୀ।

ଏହି ଅବସରରେ ‘ଅଶୁଣା ସ୍ୱର: ତୃଣମୂଳ ସ୍ତରର କାହାଣୀ’ ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟତର ସାମ୍ବାଦିକା କେବେ ହାର ନମାନି ନିଜ କର୍ତ୍ତବ୍ୟ ପଥରେ ଆଗେଇଯିବାକୁ ଆହ୍ଵାନ କରିଥିଲେ ମେୟର ସୁଲୋଚନା ଦାସ। ସେହିପରି ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ମୀନତି ବେହେରା କହିଥିଲେ, ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅତ୍ୟାଚାରକୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ମହିଳା ସାମ୍ବାଦିକାମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି।

ସମାରୋହରେ ପଦ୍ମଶ୍ରୀ ପ୍ୟାଟ୍ରିସିଆ ମୁଖିମ ଏବଂ ଦୀପିକା ଅଧିକାରୀ ମହିଳାମାନଙ୍କୁ ସାମ୍ବାଦିକତା ମାଧ୍ୟମରେ ତୃଣମୂଳ ସ୍ତରରେ ଲୋକଙ୍କ ସ୍ୱର ପାଲଟିବାକୁ ପରାମର୍ଶ ଦେବା ସହ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଅବସରରେ ଓଡବ୍ଲ୍ୟୁଏମ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅର୍ଗସ ଟିଭିର ମହିଳା ସାମ୍ବାଦିକା ସତରୂପା ସାମନ୍ତରାୟ ଓ ସ୍ୱାଧୀନ ସାମ୍ବାଦିକା ଅଶ୍ୱର୍ଯ୍ୟା ମହାନ୍ତିଙ୍କୁ ଇଂରାଜୀ ସାମ୍ବାଦିକତା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିଲା।

ଓଡବ୍ଲ୍ୟୁଏମ୍‌ର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ପ୍ରାୟ ୧୭୦ ଜଣ ସଦସ୍ୟ ଉପସ୍ଥିତ ଥିଲେ। ଓଡବ୍ଲ୍ୟୁଏମ୍‌ର ଅଧ୍ୟକ୍ଷା କସ୍ତୁରୀ ରାଏ ଏହାକୁ ପରିଚାଳନା କରିଥିଲେ।

Tags: #OWM #WomenPower#1stFoundationDay #WomenJournalist

Comment