ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି-ବିଜେଡି ମେଣ୍ଟକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବା ନେଇ ସ୍ପଷ୍ଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏନେଇ ମନମୋହନ ସାମଲ ‘ଏକ୍ସ’ରେ ଏକ ଲେଖା ଫୋଷ୍ଟ କରିଛନ୍ତି।

ସେ କହିଛନ୍ତି ଚଳିତ ଥର ସମସ୍ତ ୨୧ ଲୋକସଭା ଏବଂ ୧୪୭ ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ଏକାକୀ ନିର୍ବାଚନ ଲଢ଼ିବ। ଦିଲ୍ଲୀରୁ ଫେରିବା ପରେ ମନମୋହନ ସାମଲ ଏଭଳି କହିଛନ୍ତି।

ଦୀର୍ଘ ୧୦ ବର୍ଷ ଧରି ରାଷ୍ଟ୍ରୀୟ ମହତ୍ତ୍ଵ ଥିବା ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ସମର୍ଥନ କରିଆସୁଥିବାରୁ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।

ସେ ନିଜ ପୋଷ୍ଟରେ ଲେଖିଛନ୍ତି, “ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣ କାର୍ଯ୍ୟ ତ୍ଵରାନ୍ଵିତ ହୋଇଛି। ସବୁ କ୍ଷେତ୍ରରେ ସମ୍ପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଛୁ।”

ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ। ଫଳରେ ଓଡ଼ିଶାର ଗରିବ ଭାଇଭଉଣୀ ଏହାର ସୁଫଳ ପାଇପାରୁ ନାହାନ୍ତି। ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ଵାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କ ସହ ସହ‌ମତ ହୋଇପାରୁନଥିବା ମନମୋନହ ସାମିଲ କହିଛନ୍ତି।

ଅନ୍ୟପଟେ ମନମୋହନ ସାମଲଙ୍କ ‘ଏକ୍ସ’ ଷ୍ଟୋରିକୁ ରିପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦୀର୍ଘ ଦିନ ହେଲା ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚାକୁ ନେଇ ଲାଗି ରହିଥିବା ସସ୍‌ପେନ୍ସ ଉପରୁ ମନମୋହନ ସାମଲ ପରଦା ହଟାଇବା ପରେ ଓଡ଼ିଶାରେ ବିଜେପି ଏବଂ ବିଜେଡି ଏକା ଏକା ନିର୍ବାଚନ ଲଢ଼ିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି।   

Tags: #Politics #OdishaPolitics #Election #GeneralElection #BJP #BJD #Odisha #ManmohanSamal

Comment