ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଜୋରଦାର ହେବ ରାଜନୈତିକ ଲଢ଼େଇ। ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଅପରାଜିତା ଷଡ଼ଙ୍ଗୀ ଏବଂ ମନ୍ମଥ ରାଉତରାୟ।

ଭୁବନେଶ୍ଵର ସାଂସଦ ଥିବା ଅପରାଜିତା ଷଡ଼ଙ୍ଗୀ ଏବଂ ବୁଧବାର ଦିନ ବିଜେଡିରେ ଯୋଗ ଦେଇଥିବା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କ ମଧ୍ୟରେ କଡ଼ାକଡ଼ି ହେବ ଟକ୍କର।

ଭୁବନେଶ୍ଵର ଲୋକସଭା ଆସନ ଉପରେ ପୁଣି ଅପରାଜିତାଙ୍କ ନଜର

୨୦୧୯ରେ ବିଜେପି ଟିକେଟରେ ଭୁବନେଶ୍ଵର ଲୋକସଭା ଆସନରୁ ନିର୍ବାଚନ ଲଢ଼ି ସାଂସଦ ହୋଇଥିଲେ ଅପରାଜିତା ଷଡ଼ଙ୍ଗୀ। ଏଥର ପୁଣି ଅପରାଜିତାଙ୍କୁ ଟିକେଟ ଦେଇଛି ବିଜେପି।

ଗତ ନିର୍ବାଚନରେ ଭୁବନେଶ୍ଵର ଲୋକସଭା ଆସନରେ ପୂର୍ବତନ ଆଇପିଏସ ଅଧିକାରୀ ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ଅପରାଜିତା ଏବଂ ଅରୁପଙ୍କ ମଧ୍ୟରେ ଜୋରଦାର ହୋଇଥିଲା ରାଜନୈତିକ ଲଢ଼େଇ। ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ୨୩ ହଜାରରୁ ଅଧିକ ଭୋଟରେ ଅରୁପ ପଟ୍ଟନାୟକଙ୍କୁ ହରାଇଥିଲେ। ଚଳିତ ଥର ମଧ୍ୟ ଭୁବନେଶ୍ଵର ଲୋକସଭା ଆସନ ଦଖଲ ଆଶାରେ ରହିଛନ୍ତି ଅପରାଜିତା।

ମିଶୁ ମିଶୁ ମନ୍ମଥଙ୍କୁ ଲୋକସଭା ଟିକେଟ

ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ଵର ଲୋକସଭା ଆସନ ଜିତିଥିଲେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ହାରିବା ପରଠାରୁ ଭୁବନେଶ୍ଵର ଲୋକସଭା ଆସନ ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛି ବିଜେଡି।

ବୁଧବାର ଦିନ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡିରେ ଯୋଗ ଦେଲେ। ବିଜେଡିରେ ମନ୍ମଥ ରାଉତରାୟ ଯୋଗ ଦେବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ସେ ଜଟଣୀ ବିଧାନସଭା କିମ୍ବା ଭୁବନେଶ୍ଵର ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି।

ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲାଗି ବୁଧବାର ଦିନ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା ବିଜେଡି। ପ୍ରଥମ ପର୍ଯ୍ୟାୟ ତାଲିକାରେ ଭୁବନେଶ୍ଵର ଲୋକସଭା ଆସନ ଲାଗି ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ବିଜେଡି।   

ବିଜେଡି ମନ୍ମଥଙ୍କୁ ପ୍ରାର୍ଥୀ କରିବା ଦ୍ୱାରା କଂଗ୍ରେସର ଭୋଟ ବିଜେଡି ଖାତାକୁ ଆସିବାର ସମ୍ଭାବନା ରହିଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଏଥର ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଭୁବନେଶ୍ଵର ଲୋକସଭା ଆସନ ଦଲଖ ପାଇଁ ମନ୍ମଥଙ୍କ ଉପରେ ଦଳ ଆସ୍ଥା ରଖିଛି।

ପୂର୍ବରୁ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଭୁବନେଶ୍ଵର ଲୋକସଭା ଆସନରେ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ବୁଧବାର ଦିନ ଦଳରେ ମିଶୁ ମିଶୁ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ସବୁ ଚର୍ଚ୍ଚା ଉପରେ ବିରାମ ଲାଗିଲା।   

ମନ୍ମଥ ନା ଅପରାଜିତା, ଏଥର କାହା ଉପରେ ଭସରସା କରିବେ ଭୁବନେଶ୍ଵର ଭୋଟର, ଦେଖିବାକୁ ବାକି ରହିଲା।

Tags: #Politics#OdishaPolitics #Election #LokSabhaElection #AparajitaSarangi #ManmathRoutray #BJD #BJP

Comment