ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାର ଅନନ୍ୟ ଦେବପୀଠ ଶ୍ରୀ ଜଗନ୍ନାଥ ସଂସ୍କୃତିର ଆଦି ସ୍ଥଳ କଣ୍ଟିଲୋ ଶ୍ରୀନୀଳମାଧବଙ୍କ ମହାବାରୁଣୀ ସ୍ନାନ ନୀତି ଲାଗି ଦିନ ଧାର୍ଯ୍ୟ ହୋଇଛି। ଚୈତ୍ରମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଏପ୍ରିଲ ୬ ତାରିଖରେ ମହାବାରୁଣୀ ସ୍ନାନ ଉତ୍ସବ ପାଳନ ହେବ। ଏଥିଲାଗି ଜୋରସୋର ଚାଲିଛି ପ୍ରସ୍ତୁତି।

ମନ୍ଦିର ପ୍ରଶାସନ ଶ୍ରୀନୀଳମାଧବଙ୍କ ବାରୁଣୀ ସ୍ନାନ ଯାତ୍ରା ଲାଗି ସମସ୍ତ ବ୍ୟବସ୍ଥା କରାଯାଉଛି। ଏପ୍ରିଲ ୬ ତାରିଖ ଦିନ ୯ଟାରୁ ମହାବାରୁଣୀ ବେଳା ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହେବ। ଏଥିଲାଗି ଠାକୁରଙ୍କ ଦେବନୀତି ଯଥା ସମୟରେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି।

ମନ୍ଦିର ନୀତି ପରେ ଶ୍ରୀମାଧବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନଙ୍କ ସହ ପାର୍ଶ୍ଵ ଦେବଦେବୀ ସକାଳ ସାଢ଼େ ୧୦ଟାରେ ମହାନଦୀ ବାରୁଣୀ ସ୍ନାନ ଘାଟକୁ ବିଜେ କରିବେ। ସେଠାରେ ଦେବସ୍ନାନ ଓ ପୂଜା ଆଳତୀ ଆଦି ସମ୍ପନ୍ନ ହେବା ପରେ ଦିନ ସାଢ଼େ ୧୧ଟାରୁ ଭକ୍ତମାନେ ବୁଡ଼ ପକାଇବେ।

କଣ୍ଟିଲୋ ମହାନଦୀ ଘାଟରେ ମହାବାରୁଣୀ ଯୋଗରେ ଗଙ୍ଗା ସ୍ନାନ, ପିଣ୍ଡଦାନ, ଅସ୍ତି ବିଷର୍ଜନ ଓ ଦେବ ଦର୍ଶନ ଆଦି କରିବା ଦ୍ଵାରା ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି। ମହାବାରୁଣୀ ସ୍ନାନ ଉତ୍ସବରେ ସାମିଲ ହେବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ କଣ୍ଟିଲୋଠାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ।

ମହାବାରୁଣୀ ଉତ୍ସବ ସମୟରେ ଲକ୍ଷାଧିକ ଭକ୍ତଙ୍କ ସମ୍ଭାଗମ ହେବାର ସମ୍ଭାବନା ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି। ଯାତାୟତ ପାଇଁ ବ୍ୟବସ୍ଥା, ନିରାପଦ ସ୍ନାନ ଲାଗି ବ୍ୟାରିକେଡ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ମାନବ ସହାୟତା କେନ୍ଦ୍ର, ଶୌଚାଳୟ ଆଦି ସ୍ଥାପନ କରାଯିବ ବୋଲି ଜିଲ୍ଲାପାଳ ସ୍ୱାଧାଦେବ ସିଂ ସୂଚନା ଦେଇଛନ୍ତି। ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳ ମହାବାରୁଣୀ ସ୍ନାନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆଇନ ଶୃଙ୍ଖଳା ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳ ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି

ଶ୍ରୀନୀଳମାଧବଙ୍କ ପୀଠରେ ଦୀର୍ଘ ୧୨ ବର୍ଷ ପରେ ମହାବାରୁଣୀ ସ୍ନାନ ଯୋଗ ପଡ଼ୁଥିବାରୁ ଉତ୍ସବରେ ଯୋଗ ଦେବାକୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Tags: #KantiloNilamadhab #MahabaruniSnanaUtsav #Nayagarh #SnanaUtsavPreparation

LEAVE A REPLY

Please enter your comment!
Please enter your name here