ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ଦ ହୋଇଯାଇଥିବା ସ୍କୁଲକୁ ପୁନର୍ବାର ଖୋଲିବା ଦାବିରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଗଣିଆ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ଗାଁର କୁନି କୁନି ଛାତ୍ରଛାତ୍ରୀ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟଟି କିଛି ବର୍ଷ ହେଲା ବନ୍ଦ ହୋଇଯାଇଛି। ଫଳରେ କାଳିକାପ୍ରସାଦ ଗାଁର କୁନି କୁନି ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଶିକ୍ଷା ପାଇଁ ଗାଁଠାରୁ ଦୁଇ କିଲୋମିଟରରୁ ଅଧିକ ଦୂରରେ ବିଦ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି।

ଗାଁଠାରୁ ଦୂରକୁ ପାଠପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି। ଗଣିଆଁ-ଦଶପଲ୍ଲା ମୁଖ୍ୟ ସଡ଼କ ଡେଇଁ ପିଲାମାନେ ସ୍କୁଲ ଯାଉଥିବାରୁ ଚିନ୍ତାରେ ରହୁଛନ୍ତି ଅଭିଭାବକ। ପାଠପଢ଼ା ପାଇଁ ପିଲାଙ୍କୁ ସମସ୍ୟା ହେଉଥିବାରୁ ଅଭିଭାବକ ଏବଂ କାଳିକାପ୍ରସାଦ ଗ୍ରାମବାସୀ ପୁନର୍ବାର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଖୋଲିବା ଲାଗି ଦାବି କରିଆସୁଛନ୍ତି।

ବାରମ୍ବାର ଦାବି ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ମଙ୍ଗଳବାର ଦିନ କାଳିକାପ୍ରସାଦ ଗାଁର ୩୦ରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଗ୍ରାମବାସୀ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ପରେ ଅଭିଭାବକଙ୍କ ପକ୍ଷରୁ ଏକ ଦାବିପତ୍ର ନୟାଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ୱଧାଦେବ ସିଂ କହିଛନ୍ତି।

Tags: #Nayagar #Strike #SchoolStudentsStrike #DMOfficeNayagarh #Education #Odisha

LEAVE A REPLY

Please enter your comment!
Please enter your name here