ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାର କଣ୍ଟିଲୋରେ ଶ୍ରୀଜଗନ୍ନାଥ ସଂସ୍କୃତିର ଆଦି ଦେବତା ଶ୍ରୀନୀଳମାଧବ ଜୀଉଙ୍କ ମହାବାରୁଣୀ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି। ଶନିବାର ସକାଳ ୯ଟା ୩୦ରେ ଏଠାରେ ଶ୍ରୀନୀଳମାଧବଙ୍କ ମହାବାରୁଣୀ ସ୍ନାନ ନୀତି ଆରମ୍ଭ ହୋଇଥିଲା। ପରେ ଲକ୍ଷାଧିକ ଭକ୍ତ କଣ୍ଟିଲୋ ସ୍ଥିତ ମହାନଦୀର ବାରୁଣୀ ସ୍ନାନ ଘାଟରେ ବୁଡ଼ ପକାଇଛନ୍ତି। 

ପୂର୍ବରୁ ପାଞ୍ଜି ଗଣନା ଅନୁସାରେ ଏପ୍ରିଲ୍ ୬ ତାରିଖ ଚୈତ୍ର କୃଷ୍ଣ ତ୍ରୟୋଦଶୀରେ ଶ୍ରୀନୀଳମାଧବ ଜୀଉଙ୍କ ମହାବାରୁଣୀ ସ୍ନାନ ଯାତ୍ରା ପାଇଁ ତିଥି ଧାର୍ଯ୍ୟ ହୋଇଥିଲା। ଏହି ଅବସରରେ ଦେବପୀଠ କଣ୍ଟିଲୋରେ ଲକ୍ଷାଧିକ ଭକ୍ତ ମହାବାରୁଣୀ ବୁଡ଼, ପିତୃପୁରୁଷଙ୍କୁ ପିଣ୍ଡଦାନ, ଅସ୍ଥି ବିସର୍ଜନ ଆଦି ପୂଣ୍ୟ କର୍ମ ଓ ଅନୁଷ୍ଠାନର ସୁଯୋଗ ଉଠାଇଛନ୍ତି।  

ଶନିବାର ନିର୍ଦ୍ଧାରିତ ସମୟରେ ଶ୍ରୀନୀଳମାଧବ ଜୀଉଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ବିମାନରେ ବାରୁଣୀ ଘାଟରେ ବିଜେ କରିବା ପରେ ଦେବନୀତି ତଥା ମହାବାରୁଣୀ ସ୍ନାନ ଅନୁଷ୍ଠିତ ହୋଇଛି। ଘଣ୍ଟ, ଘଣ୍ଟା, ଖୋଳ, ତାଳ ଓ ମହୁରୀ ଶବ୍ଦ ସହ ହରିନାମ ସଙ୍କୀର୍ତ୍ତନରେ ବାରୁଣୀ ଘାଟ ଭକ୍ତିମୟ ହୋଇପଡ଼ିଛି।

ମହାନଦୀର ବାରୁଣୀ ଘାଟରେ ଶ୍ରୀନୀଳମାଧବ ଜୀଉଙ୍କ ପୂଜା, ନୈବେଦ୍ୟ ଓ ମଙ୍ଗଳ ଆଳତୀର ମନୋହର ଦୃଶ୍ୟ ସମବେତ ଭକ୍ତଙ୍କୁ ବିଭୋର କରିଛି। ଏହି ବିଶେଷ ମୁହୂର୍ତ୍ତରେ ସବୁ ଭକ୍ତଙ୍କ ହରିବୋଲ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପତି ହୋଇଛି।  

ଭକ୍ତଙ୍କ ସମାଗମ କଣ୍ଟିଲୋ ବଜାରଠାରୁ ଆରମ୍ଭ କରି ନଦୀଘାଟ ଓ ମନ୍ଦିର ପରିସର ଆଦି ଚାରିଆଡ଼େ ଜନସମୁଦ୍ର ସୃଷ୍ଟି କରିଛି। ବ୍ୟାପକ ପ୍ରସ୍ତୁତି ସତ୍ତ୍ଵେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଛି। ତେବେ ବିଭିନ୍ନ ସ୍ଥାନରେ ରାସ୍ତା ଜାମ ହୋଇଯିବା, ପ୍ରଚଣ୍ଡ ଖରାରେ ଅନେକ ଭକ୍ତ ବେହୋସ ହୋଇପଡ଼ିବା, ସବୁ ସ୍ଥାନରେ ଖାଦ୍ୟ ପାନୀୟ ସାମଗ୍ରୀ ନ ମିଳିବା ଭଳି ପରିସ୍ଥିତି ଭକ୍ତଙ୍କ ପାଇଁ ବହୁ ଅସୁବିଧା ସୃଷ୍ଟି କରିଥିବା ଦେଖାଯାଇଛି। 

ଶ୍ରୀନୀଳମାଧବଙ୍କ ପୀଠରେ ଅନନ୍ୟ ମହାବାରୁଣୀ ସ୍ନାନ ଯାତ୍ରାରେ ସ୍ନାନ ଓ ଦେବଦର୍ଶନ କରିବା ଦ୍ଵାରା ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି। ଏଠାରେ ଦୀର୍ଘ ୧୨ ବର୍ଷ ପରେ ମହାବାରୁଣୀ ସ୍ନାନ ଯୋଗ ପଡ଼ୁଥିବାରୁ ଏହି ଉତ୍ସବରେ ଯୋଗ ଦେବାକୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ସ୍ନାନ, ଶ୍ରାଦ୍ଧ ତଥା ତର୍ପଣ ପରେ ଲକ୍ଷାଧିକ ଭକ୍ତ ଶ୍ରୀନୀଳମାଧବଙ୍କ ଦର୍ଶନ କରି ନିଜକୁ ଧନ୍ୟ ମଣିଛନ୍ତି।

କଣ୍ଟିଲୋରେ ଶ୍ରୀନୀଳମାଧବଙ୍କ ଏହି ମହାବାରୁଣୀ ସ୍ନାନ ଯାତ୍ରାର ସବୁ ନୀତିକାନ୍ତି ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବା ଖଣ୍ଡପଡ଼ା ତହସିଲଦାର ତଥା ଶ୍ରୀନୀଳମାଧବ ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଧୋବେଇ ନାୟକ ସୂଚନା ଦେଇଛନ୍ତି।

Tags: #SriNilamadhab #MahabaruniSnanaUtsav #Kantilo #Nayagarh

LEAVE A REPLY

Please enter your comment!
Please enter your name here