ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରାର୍ଥୀ ଘୋଷଣା ଏବଂ ଟିକେଟ କସରତକୁ ନେଇ ବିଭିନ୍ନ ଦଳ ଭିତରେ ଅସନ୍ତୁଷ୍ଟ ବଢ଼ିବାକୁ ଲାଗିଛି। ଏହାରି ମଧ୍ୟରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର। ନିଜ ଇସ୍ତଫା ପତ୍ରକୁ ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି।

ବୁଧବାର ଦିନ ୨୭ଟି ବିଧାନସଭା ଆସନ ଏବଂ ୫ଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି। ଟିକେଟ ଘୋଷଣା ହେବା ପରେ ଦେବେନ୍ଦ୍ର କହଁର ବିଜେଡିରୁ ଇସ୍ତଫା ଦେଇଥିଲେ। ଫୁଲବାଣୀ ବିଧାନସଭା ଆସନ ଲାଗି ଟିକେଟ ଆଶାୟୀ ଥିଲେ ଦେବେନ୍ଦ୍ର। କିନ୍ତୁ ସେହି ଆସନରୁ ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ଦେବେନ୍ଦ୍ର କହଁର ୨୦୦୯ରୁ ୨୦୧୪ ଯାଏଁ ଫୁଲବାଣୀ ଆସନରୁ ବିଜେଡି ବିଧାୟକ ଥିଲେ। ପରେ ତାଙ୍କୁ ଟିକେଟ ଦିଆଯାଇନଥିଲା। ଚଳିତ ଥର ସେ ଟିକେଟ ଆଶାୟୀ ଥିଲେ ମଧ୍ୟ ତାଙ୍କୁ ଦିଆଯାଇନଥିଲା। ଦଳରେ ଆଉ ଗୁରୁତ୍ଵ ନଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

ବୁଧବାର ଦିନ ଟିକେଟ ନମିଳିବାରୁ ସୋର ବିଧାୟକ ପର୍ଶୁରାମ ଧଡ଼ା ମଧ୍ୟ ବିଜେଡିରୁ ଇସ୍ତଫା ଦେଇଥିଲେ।

Tags: #Politics #Odishapolitics #Odisha #BJD ##Election #LokSabhaElection #AssemblyElection #GeneralElection2024

Comment