ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କଟକରେ ଭର୍ତ୍ତୃହରି ମହତାବ ଓ ଡକ୍ଟର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ ଟକ୍କର। ପରୀକ୍ଷା ହେବ ବିଜେଡି, ବିଜେପିର ସାଂଗଠନିକ ଶକ୍ତି।   

କଟକ ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଚଳିତ ନିର୍ବାଚନରେ ଏହି ଆସନରେ ଲଢ଼େଇ ରୋଚକ ହେବାକୁ ଯାଉଛି। ଏଥର କଟକରେ ଛ’ ଥର ସାଂସଦ ଭାବେ ଅଭିଜ୍ଞତା ରଖୁଥିବା ଭର୍ତ୍ତୃହରି ମହତାବଙ୍କ ସହିତ ନବାଗତ ଡକ୍ଟର ସଂତୃପ୍ତ ମିଶ୍ରଙ୍କର ସିଧାସଳଖ ଲଢ଼େଇ ହେବ।

ଯେଉଁ ଦଳରୁ ଛ’ ଥର ସାଂସଦ ହୋଇଥିଲେ, ଆଜି ସେହି ଦଳର ପ୍ରମୁଖ ବିରୋଧୀ ହୋଇଛନ୍ତି ବରିଷ୍ଠ ରାଜନେତା ଭର୍ତ୍ତୃହରି ମହତାବ। ସେ କଟକ ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ। ତାଙ୍କ ବିରୋଧରେ ବିଜେଡି ଜଣେ ନୂଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। କର୍ପୋରେଟ୍ ଜଗତର ଚିହ୍ନା ମୁହଁ ଡକ୍ଟର ସଂତୃପ୍ତ ମିଶ୍ର ଏଥର ଶଙ୍ଖ ଚିହ୍ନରେ ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

ତେବେ ଭର୍ତ୍ତୃହରିଙ୍କ ଦମରେ ବିଜେପି କଟକରେ ଏଥର କେଉଁ କରିସ୍ମା ଦେଖାଇପାରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଦଳୀୟ ନେତା ଓ କର୍ମୀ ଭର୍ତ୍ତୃହରିଙ୍କ ରାଜନୈତିକ ଅଭିଜ୍ଞତାକୁ ନେଇ ବିଶ୍ୱାସ ରଖିଥିବାବେଳେ ଭର୍ତ୍ତୃହରିଙ୍କ ସାଂଗଠନିକ ଶକ୍ତି ପରୀକ୍ଷା ହେବାର ସମୟ ଆସିଛି।

ଭର୍ତ୍ତୃହରିଙ୍କ ପାଖରେ ଦୀର୍ଘ ୨୬ ବର୍ଷର ଅଭିଜ୍ଞତା ସହ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅଳ୍ପ ହେଲେ ବି ନିଜସ୍ୱ ସାଂଗଠନିକ ସାମର୍ଥ୍ୟ ରହିଛି। ସେହିପରି ବିଜେପିର ପ୍ରଦର୍ଶନ ବି ଗତ ନିର୍ବାଚନରେ କିଛି କମ ନଥିଲା। ଅନ୍ୟପକ୍ଷରେ ବିଜେଡିର ବ୍ୟାପକ କାର୍ଯ୍ୟକ୍ରମ ଏବଂ ଦଳୀୟ ବିଧାୟକମାନଙ୍କ ସାଂଗଠନିକ ଶକ୍ତି ବଳରେ ଡକ୍ଟର ସଂତୃପ୍ତ ମିଶ୍ର ନିର୍ବାଚନର ବୈତରଣୀ ପାର୍ କରିବା ଲକ୍ଷ୍ୟରେ ରହିଛନ୍ତି।

କଟକ ଆସନରେ ବିଜେପିର ପ୍ରଦର୍ଶନ

କଟକ ଲୋକସଭା ନିର୍ବାଚନରେ ଭୋଟରଙ୍କ ମତରେ ହଲଚଲ ହେବାର ଦେଖିବାକୁ ମିଳୁଛି। ପୂର୍ବ କିଛି ନିର୍ବାଚନରୁ ଏଠାରେ ବିଜେଡିର ଭୋଟ ହାର କମୁଥିବାବେଳେ ବିଜେପିର ଭୋଟ ହାର ବଢ଼ୁଥିବା ନଜର ଆସୁଛି। ଯାହାର ପ୍ରମାଣ ୨୦୧୯ ନିର୍ବାଚନରେ ମିଳିଥିଲା। ୨୦୧୪ ତୁଳନାରେ ୨୦୧୯ରେ ବିଜେପିକୁ ଅଢ଼େଇଗୁଣା ଅଧିକ ଭୋଟ୍ ମିଳିଥିଲା।

୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ କଟକ ଲୋକସଭା ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ରହୁଥିଲା। ଏମିତିକି ୨୦୧୪ ନିର୍ବାଚନରେ ମଧ୍ୟ ଦଳ ବହୁ ପ୍ରଚେଷ୍ଟା ସତ୍ତ୍ୱେ ଦ୍ୱିତୀୟ ସ୍ଥାନକୁ ବି ଉଠିପାରିନଥିଲା। ପୂର୍ବତନ ମନ୍ତ୍ରୀ ସମୀର ଦେ ବିଜେପି ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ମାତ୍ର ୧ ଲକ୍ଷ ୪୬ ହଜାର ୯୩ ଖଣ୍ଡ ଭୋଟ୍ ପାଇଥିଲେ। ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କଂଗ୍ରେସ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କଠାରୁ ୭୩ ହଜାର ଭୋଟ ବ୍ୟବଧାନରେ ପଛରେ ଥିଲେ ସମୀର।

ତେବେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାରକୁ ଫେରିବା ପରେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଥିଲା। ୨୦୧୪ରେ କଟକରେ ଯେଉଁଠି ବିଜେପିର ଲୋକସଭା ପ୍ରାର୍ଥୀ ୧ ଲକ୍ଷ ୪୬ ହଜାର ୯୩ ଖଣ୍ଡ ଭୋଟ୍ ପାଇଥିଲେ, ୨୦୧୯ରେ ତାହା ବଢ଼ି ୪ ଲକ୍ଷ ପାର୍ ହୋଇଥିଲା। ଓଡ଼ିଶାର ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଏଠାରୁ ପ୍ରଥମଥର ଲାଗି ନିର୍ବାଚନ ଲଢ଼ି ୪ ଲକ୍ଷ ୩ ହଜାର ୩୯୧ ଖଣ୍ଡ ଭୋଟ୍ ପାଇଥିଲେ।

ସେତେବେଳେ ଯଦିଓ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୧ ଲକ୍ଷ ୨୧ ହଜାର ୨୦୧ ଖଣ୍ଡ ଭୋଟରେ ଜିତିଥିଲେ, କିନ୍ତୁ ବିଜେପିର ଶକ୍ତି ବୃଦ୍ଧି ଦଳର ବିଜୟ ବ୍ୟବଧାନକୁ ପ୍ରଭାବିତ କରିଥିଲା। ସଂଗଠନ ସହିତ ଜଡ଼ିତ ନଥାଇ ମଧ୍ୟ ପ୍ରକାଶ ମିଶ୍ରଙ୍କୁ ଏତେ ଭୋଟ୍ ମିଳିବା ରାଜ୍ୟରେ ବିଜେପି ଲହରର ପ୍ରଭାବ ବୋଲି ଦର୍ଶାଯାଇଥିଲା। ବିଶେଷ କରି ସହରାଞ୍ଚଳରୁ ଅଧିକ ଭୋଟ୍ ପ୍ରକାଶଙ୍କ ଖାତାକୁ ଯାଇଥିଲା। ୨୦୧୪ ତୁଳନାରେ ୨୦୧୯ରେ ଭର୍ତ୍ତୃହରିଙ୍କ ଭୋଟ୍ ମଧ୍ୟ କମିଥିବା ଦେଖିବାକୁ ମିଳିଥିଲା।

ରୋଚକ ହେବ ଚଳିତ ବର୍ଷର ନିର୍ବାଚନ !

ଏଭଳି ସ୍ଥିତିରେ ଚଳିତ ବର୍ଷର ନିର୍ବାଚନ ରୋଚକ ହେବାର ସମ୍ଭାବନା ରହିଛି। ଯଦିଓ ଉଭୟ ବିଜେପି ଓ ବିଜେଡିରେ ପ୍ରାର୍ଥୀ ଅଦଳବଦଳ ହୋଇଛି, ତଥାପି ଉଭୟପକ୍ଷ ନିଜ ନିଜ ରଣନୀତି ସହ ଆଗେଇବେ। ରାଜନୈତିକ ମଇଦାନରେ ନୂଆ ଚେହେରା ଭାବେ ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ କଟକ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ ୭ ନିର୍ବାଚନ ମଣ୍ଡଳୀର ସଂଗଠନ ସହିତ ମିଶିବା ପାଇଁ ଚାଲେଞ୍ଜିଂ ରହିବ। ଅବଶ୍ୟ ଦଳୀୟ ନିର୍ଦ୍ଦେଶରେ ବିଧାନସଭା କ୍ଷେତ୍ରର ନେତାମାନେ ସଂତୃପ୍ତଙ୍କୁ ସହଯୋଗ କରିବାକୁ ଆଗେଇ ଆସିବେ। ତେବେ ତୃଣମୂଳ ସଂଗଠନ ସହିତ ସଂତୃପ୍ତ ନିଜକୁ ଖାପ ଖୁଆଇବେ କେମିତି ତାହା ଉପରେ ଅନେକ କିଛି ନିର୍ଭର କରିବ।

ଅନ୍ୟପକ୍ଷରେ ବିଜେପି ଏଥର କଟକ ଜିଲ୍ଲାରେ ଯୋଜନାବଦ୍ଧ ଭାବେ ଆଗେଇବାକୁ ଯାଉଛି। ବିଜେପି ଭର୍ତ୍ତୃହରିଙ୍କୁ ମଇଦାନରେ ଓହ୍ଲାଇଛି ସତ, ହେଲେ ଏହାପୂର୍ବରୁ ତାଙ୍କୁ ନିର୍ବାଚନମଣ୍ଡଳ ସ୍ତରରେ ସଂଗଠନକୁ ନେଇ ଅଙ୍କକଷା କରିବାକୁ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।

ସେହିପରି କଟକ ଜିଲ୍ଲାର କୌଣସି ନିର୍ବାଚନ ମଣ୍ଡଳୀରେ ବିଜେପି କ୍ଷମତାରେ ନାହିଁ। ବାରବାଟୀ-କଟକ ଏବଂ ବାଙ୍କୀରେ ଦଳ ଏବେ ତୃତୀୟ ସ୍ଥାନରେ। ଅନ୍ୟ ଯେଉଁଠି ଦଳୀୟ ନେତା ରହିଛନ୍ତି ସେମାନେ ଏତେ ପ୍ରଭାବଶାଳୀ ଦେଖାଯାଉନାହାନ୍ତି। ସବୁଠାରେ ପ୍ରାୟ ଏକାଧିକ ଆଶାୟୀଙ୍କୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି। ବିଧାନସଭା ଟିକେଟ ଘୋଷଣା ହେବା ପରେ ବିରୋଧାଭାସ ମଧ୍ୟ ସାମ୍ନାକୁ ଆସିଲାଣି। ଏ ସ୍ଥିତିରେ ଭର୍ତ୍ତୃହରି ବିଜେପି ଶିବିରକୁ କେମିତି ନିୟନ୍ତ୍ରଣ କରିବେ ତାହା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ।

ବିଜେଡିରେ ଥିବାବେଳେ ଭର୍ତ୍ତୃହରିଙ୍କୁ ଏ ସବୁ ଚିନ୍ତା ନଥିଲା। କାରଣ ୨୦୧୯ରେ କେବଳ ବାରବାଟୀ-କଟକ ଛାଡ଼ିଲେ କଟକ ଲୋକସଭାର ଅନ୍ୟ ସବୁଠି ବିଜେଡି ନେତାମାନେ ବିଧାନସଭା ଆସନ ଦଖଲ କରିଥିଲେ। ତେଣୁ ଲୋକସଭା ଭୋଟ୍ ଲାଗି ଭର୍ତ୍ତୃହରିଙ୍କ କସରତ କମ୍ ରହୁଥିଲା। ଏବେ ବିଜେପିରେ ମିଶିବା ପରେ ଭର୍ତ୍ତୃହରି ସାଂଗଠନିକ କ୍ଷମତା କେମିତି ପ୍ରତିପାଦନ କରିବେ ତାହା ଆଗକୁ ଜଣାପଡ଼ିବ।

Tags: #IndianGeneralElections #CuttackLoksabhaSeat #BhartruhariMahtab #SantruptMisra #BJD #BJP #Politics #Odisha

Comment