ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ପ୍ୟାରିସରେ ଅନୁଷ୍ଠିତ ହେବାକୁ ଯାଉଛି ଅଲିମ୍ପିକ୍ସ ପ୍ରତିଯୋଗିତା। ପ୍ରଥମଥର ପାଇଁ ଏହି ପ୍ରତିଯୋତାର ଆଥଲେଟିକ୍ସ ଖେଳରେ ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ ମିଳିବ ଆର୍ଥିକ ପୁରସ୍କାର। ଆଥଲେଟିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ ୫୦ ହଜାର ଡଲାର (ପ୍ରାୟ ୪୨ ଲକ୍ଷ ଟଙ୍କା) ପ୍ରଦାନ କରିବାକୁ ବିଶ୍ଵ ଆଥଲେଟିକ୍ସ ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି।

୨୦୨୪ ଅଲିମ୍ପିକ୍ସର କେବଳ ଆଥଲେଟିକ୍ସର ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ ଆର୍ଥିକ ପୁରସ୍କାର ଦିଆଯାଇବାକୁ ସ୍ଥିର କରାଯାଇଥିବାବେଳେ ୨୦୨୮ରେ ଲସ୍‌ ଏଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକ୍ସରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତାମାନଙ୍କୁ ମଧ୍ୟ ଆର୍ଥିକ ମିଳିବ।

“ଅଲିମ୍ପିକରେ ଆଥଲେଟିକ୍ସ ଖେଳର ଆୟୋଜନ ପାଇଁ ଅନ୍ତର୍ଜାତିକ ଅଲିମ୍ପିକ୍ କମିଟି ବିଶ୍ଵ ଆଥଲେଟିକ୍ସ ମହାସଂଘକୁ ଆର୍ଥିକ ଅନୁଦାନ ପ୍ରଦାନ କରିଥାଏ। ଏହି ଅର୍ଥରୁ ପ୍ୟାରିସ୍‌ ଅଲିମ୍ପିକ୍ସରେ ହେବାକୁଥିବା ୪୮ଟି  ଦୌଡ଼କୁଦ ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ ବିଜେତାମାନଙ୍କୁ ୨.୪ ମିଲିଅନ୍‌ ଡଲାର (ପ୍ରାୟ ୨୧ କୋଟି ଟଙ୍କା) ପୁରସ୍କାର ବାବଦରେ ପ୍ରଦାନ କରାଯିବ। ଏନେଇ ଆମେ ୨୦୧୫ ମସିହାରୁ ପଦକ୍ଷେପ ଆରମ୍ଭ କରିଥିଲୁ”, କହିଛନ୍ତି ବିଶ୍ଵ ଆଥଲେଟିକ୍ସ ମହାସଂଘର ସଭାପତି ସବାଷ୍ଟିଆନ୍ କୋ।

ତେବେ ଆଥଲେଟିକ୍ସ ରିଲେ ଦୌଡ ଇଭେଣ୍ଟରେ ଏକାଧିକ ଖେଳାଳି ଖେଳୁଥିବାରୁ ଏହାର ବିଜେତାମାନେ ଆର୍ଥିକ ପୁରସ୍କାରକୁ ନିଜ ଭିତରେ ଭାଗ ବାଣ୍ଟି ନେବେ ବୋଲି ବିଶ୍ଵ ଆଥଲେଟିକ୍ସ ମହାସଂଘ ପକ୍ଷରୁ କୁହାଯାଇଛି।

Tags: #Olympics #Athletics #GoldMedalists #CashPrize #WorldAtheletics #Sports

LEAVE A REPLY

Please enter your comment!
Please enter your name here