ଓଡ଼ିଶାଲାଇଭ୍ ବ୍ୟୁରୋ

ଟିକେଟ କସରତ ଏବଂ ପ୍ରାର୍ଥୀ ଚୟନକୁ ନେଇ ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ଲାଗି ରହିଛି ଅସନ୍ତୋଷ। ଅସନ୍ତୁଷ୍ଟ ନେତାମାନେ ଏବେ ଗୋଟିଏ ଦଳ ଛାଡ଼ି ଆଉ ଗୋଟେ ଦଳରେ ସାମିଲ ହେଉଛନ୍ତି। ଏହାରି ମଧ୍ୟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା।

ଶୁକ୍ରବାର ଦିନ ବିଜେପି ମୁଖ୍ୟାଳୟରେ ପହଞ୍ଚି ରାଜ୍ୟ ବିଜେପି ସଭାପତି ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କୈଳାଶ କୁଲେସିକା ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ଏହା ସହ ବ୍ଲକ ବିଜେଡି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

କୈଳାଶ କୁଲେସିକା ଲକ୍ଷ୍ମୀପୁର ବିଧାନସଭା ଆସନ ଲାଗି ବିଜେଡିରୁ ଟିକେଟ ଆଶାୟୀ ଥିଲେ। ତେବେ ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ପ୍ରଭୁ ଜାନିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏହାକୁ ନେଇ କୈଳାଶ କୁଲେସିକା ବିଜେଡିରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ କୈଳାଶ କୁଲେସିକା। ବିଜେପିରେ ଯୋଗ ଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି କୈଳାଶ କୁଲେସିକା।

ସେ କହିଛନ୍ତି, “ମୋତେ ପ୍ରତିଶ୍ରୁତି ଦେଇ ଦଳ ମୋ ସହ ବିଶ୍ଵାସଘାତ କରିଛି। ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ମୋତେ ପ୍ରାର୍ଥୀ କରିବାର ପ୍ରତିଶ୍ରୁତି ଦେଇ ଦଳରେ ମିଶାଇଥିଲେ। ମୋତେ ଟିକେଟ ନଦେଇ କୋଟିଏ ଟଙ୍କା ଏବଂ ଏସଡିସି ଉପଦେଷ୍ଟା ପଦ ଦେବାକୁ ପ୍ରଲୋଭନ ଦେଖାଉଛନ୍ତି। ମୁଁ ଗୋଟେ ସ୍ଵାଭିମାନୀ ଆଦିବାସୀ ପିଲା। ଏ ସବୁ ମୋତେ ଭାରି ବାଧିଲାରୁ ମୁଁ ବାଧ୍ୟ ହେଲି ବିଜେଡି ଛାଡ଼ିବାକୁ।”

ସେ ଆହୁରି କହିଛନ୍ତି ଯେ, ଲକ୍ଷ୍ମୀପୁରରେ ବିଜେଡିର କେବେ ହେଲେ ବିଜୟ ହେବ ନାହିଁ, ବିପୁଳ ଭୋଟରେ ବିଜେପି ଜିତିବ।

କୈଳାଶ କୁଲେସିକା ୨୦୧୪ରେ ଲକ୍ଷ୍ମୀପୁର ଆସନରୁ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ମଧ୍ୟ ସେ କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନୀଙ୍କଠାରୁ ମାତ୍ର ୨୨୯ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ କୈଳାଶ।

Tags: #Politics #OdishaPolitics #BJD #BJP #Congress #KailashKulesika #GeneralElection2024

Comment