ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୪ଟି ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନ ସାମିଲ ରହିଛି। ମେ’ ୧୩ ତାରିଖରେ ଏହିସବୁ ଆସନରେ ମତଦାନ ହେବ। ଗୁରୁବାରଠାରୁ ଏହି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଭାରତୀୟ ନିର୍ବାଚନ ଅଯୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବିଜ୍ଞପ୍ତି ଅନୁସାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଏପ୍ରିଲ ୨୫ ତାରିଖ ଯାଏଁ ଚାଲିବ। ସେହିପରି ଏପ୍ରିଲ ୨୬ ତାରିଖରେ ପ୍ରାର୍ଥିପତ୍ର ପତ୍ର ଯାଞ୍ଚ ଓ ଏପ୍ରିଲ ୨୯ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୨୮ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ପ୍ରତି ଲୋକସଭା ଆସନ ଅନ୍ତର୍ଗତ ୭ଟି ଲେଖାଏଁ ବିଧାନସଭା କ୍ଷେତ୍ର ରହିଛି।

ଅନ୍ୟପଟେ ମେ’ ୧୩ ତାରିଖରେ ସବୁ ଆସନରେ ଭୋଟ ଗ୍ରହଣର ସମୟ କ’ଣ ରହିବ ତାହା ମଧ୍ୟ ଦର୍ଶାଯାଇଛି। ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି ଓ ପାରଳାଖେମୁଣ୍ଡିରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ। କେବଳ ମୋହନା ବିଧାନସଭା ଆସନରେ ଭୋଟ ଗ୍ରହଣର ସମୟ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ରହିଛି।

ସେହିପରି କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଥିବା ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ ହେବ। ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲାରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏଁ ଭୋଟ ଗ୍ରହଣର ସମୟ ରହିଛି।

କୋରାପୁଟ ସଂସଦୀୟ କ୍ଷେତ୍ରର ଗୁଣୁପୁର, ବିଷମକଟକ, ରାୟଗଡ଼ା ଓ କୋରାପୁଟ ବିଧାନସଭା ଆସନରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏଁ ଭୋଟ ଗ୍ରହଣ ହେବ। ସେହିପରି ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଏବଂ ଜୟପୁର ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

ଅନ୍ୟପଟେ ନବରଙ୍ଗପୁର ଲୋକସଭା କ୍ଷେତ୍ରର ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ବିଧାନସଭା ଆସନରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ ହେବ। ଏହାସହ କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏଁ ଭୋଟ ଗ୍ରହଣ ହେବା ନେଇ ସମୟ ଧାର୍ଯ୍ୟ ହୋଇଛି।

Tags: #IndianGeneralElections #Voting #Odisha #ECI #India

Comment