ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭାରତରେ ଲୋକସଭା ନିର୍ବାଚନ ୨୦୨୪ ଲାଗି ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ଦେଶର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟରମାନେ ନିଜ ଭୋଟ ମାଧ୍ୟମରେ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାସହ ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଭୋଟ ଗ୍ରହଣ ହେଉଛି।

ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୬ କୋଟି ୬୩ ଲକ୍ଷ ଭୋଟର ମତଦାନ କରିବେ। ଏଥିପାଇଁ ୧ ଲକ୍ଷ ୮୭ ହଜାର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରେ ୧୮ ଲକ୍ଷ ପୋଲିଂ କର୍ମଚାରୀଙ୍କୁ ମତଦାନ ପ୍ରକ୍ରିୟା ପରିଚାଳନା କରିବାକୁ ଦାୟିତ୍ଵ ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧,୬୨୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏଥିରେ ୧,୪୯୧ ଜଣ ପୁରୁଷ ଓ ୧୩୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।

ଏହି ପର୍ଯ୍ୟାୟରେ ବହୁ ବରିଷ୍ଠ ନେତା ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ମଧ୍ୟରେ ବିଜେପିର ନିତିନ ଗଡକରି, କିରେନ ରିଜିଜୁ, ସର୍ବାନନ୍ଦ ସୋନୱାଲ, ଡାକ୍ତର ସଂଜୀବ ବାଲିଆନ, ଜିତେନ୍ଦ୍ର ସିଂ ପ୍ରମୁଖ ସାମିଲ ଅଛନ୍ତି। ସେହିପରି କଂଗ୍ରେସରୁ କାର୍ତ୍ତି ଚିଦାମ୍ବରମ, ନକୁଳ ନାଥ ଏବଂ ଡିଏମକେରୁ କନିମୋଝି ଓ ଏ ରାଜା ପ୍ରମୁଖ ନିର୍ବାଚନ ଲଢ଼ୁଛନ୍ତି।  

ଜାଣନ୍ତୁ କେଉଁ ରାଜ୍ୟରେ କେତୋଟି ଆସନରେ ଚାଲିଛି ମତଦାନ

  • ଅରୁଣାଚଳ ପ୍ରଦେଶ – ୨
  • ଆସାମ – ୫
  • ବିହାର – ୪
  • ଛତିଶଗଡ଼ – ୧  
  • ମଧ୍ୟପ୍ରଦେଶ – ୬
  • ମହାରାଷ୍ଟ୍ର – ୫
  • ରାଜସ୍ଥାନ – ୧୨
  • ତାମିଲନାଡୁ – ୩୯ (ସମସ୍ତ ଆସନ)
  • ଉତ୍ତରପ୍ରଦେଶ – ୮
  • ଉତ୍ତରାଖଣ୍ଡ – ୫  
  • ପଶ୍ଚିମବଙ୍ଗ – ୩
  • ଜମ୍ମୁ କାଶ୍ମୀର – ୧
  • ମଣିପୁର – ୨
  • ମେଘାଳୟ – ୨
  • ମିଜୋରାମ – ୧
  • ନାଗାଲାଣ୍ଡ – ୧  
  • ତ୍ରିପୁରା – ୧
  • ପୁଡୁଚେରି – ୧   
  • ସକ୍କିମ – ୧
  • ଲକ୍ଷଦ୍ଵୀପ – ୧
  • ଆଣ୍ଡାମାନ ଏବଂ ନିକୋବର – ୧

Tags: #IndianGeneralElections #Voting #Voters #ECI #India

Comment