ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦାର ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ୯ କୋଟି ୫୬ ଲକ୍ଷ ଟଙ୍କାର ଠକେଇ ଘଟଣାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।

ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ‘ଜିଲ୍ଲା ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟ’ ଆକାଉଣ୍ଟରୁ ଦୁଇଟି ପର୍ଯ୍ୟାୟରେ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ଠକେଇ ହୋଇଥିଲା। ଏ ସମ୍ପର୍କରେ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ପରିଚାଳକ ସୁଜାତା କାନୁନଗୋ ଗତ ୧୯ ତାରିଖରେ ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ର ଅଧିକାରୀମାନେ ବାରିପଦାଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ପରିଷଦ ଦ୍ୱାରା ପରିଚାଳିତ ‘ଜିଲ୍ଲା ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟ’ର ଅଧ୍ୟକ୍ଷ ହେଉଛନ୍ତି ଖୋଦ ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ। ଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲ କରାଯାଇ ଟ୍ରଷ୍ଟ ଆକାଉଣ୍ଟରୁ ଏହି ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।

ଏପ୍ରିଲ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଚେକ୍ ମାଧ୍ୟମରେ ସାଢ଼େ ୪ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ପରେ ଏପ୍ରିଲ ୧୯ ତାରିଖରେ ଆଉ ୫ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଏନେଇ ଭଞ୍ଜପୁର ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଏହାର ଗୁରୁତ୍ଵକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ ଭାର ନେଇଛି।

Tags: #BaripadaBankofIndia #EOWInvestigation ##Mayurbhanj #ForgeryCase

Comment