ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସାରା ଓଡ଼ିଶାରେ ବିଜେଡି ଓ ବିଜେପିର ହାଓ୍ଵା ଦେଖିବାକୁ ମିଳୁଥିବାବେଳେ କୋରାପୁଟରେ ଏବେ ବି ଦମ୍ଭ ହୋଇ ଛିଡ଼ାହେଇଛି କଂଗ୍ରେସ। ୨୦୧୯ରେ ୨୧ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ମାତ୍ର ଗୋଟିଏ ଜିତିଥିଲା କଂଗ୍ରେସ। ଏକମାତ୍ର କୋରାପୁଟ ଲୋକସଭାରେ ହିଁ କଂଗ୍ରେସର ବିଜୟ ପତାକା ଉଡ଼ାଇଥିଲେ ସପ୍ତଗିରି ଉଲ୍ଲାକା।

ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟରେ ଭୋଟ୍ ପଡ଼ିବ। କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନ ଲାଗି ତିନି ଦଳର ଯୋଦ୍ଧା ଏବେ ନିର୍ବାଚନୀ ମଇଦାନରେ।

ପୁଣି ମୁହାଁମୁହିଁ ହେବେ ସପ୍ତଗିରି-କୌଶଲ୍ୟା

୧୯୫୭ ମସିହାରୁ ଏଯାଏଁ ୧୮ଟି ଲୋକସଭା ନିର୍ବାଚନ ଦେଖି ସାରିଲାଣି କୋରାପୁଟ। ଏଥିରୁ ୧୬ ଥର ଜିତିଛି କଂଗ୍ରେସ। ମଝିରେ ଦୁଇଥର ୨୦୦୯ ଓ ୨୦୧୪ କୋରାପୁଟ ଲୋକସଭା ଆସନ ଯାଇଥିବା ବିଜେଡି ହାତକୁ। ୧୦ ବର୍ଷର ପ୍ରତୀକ୍ଷା ପରେ ୨୦୧୯ରେ ପୁଣି କଂଗ୍ରେସ ଦଖଲକୁ ଆସିଥିଲା କୋରାପୁଟ ଲୋକସଭା ଆସନ।

୨୦୧୯ରେ ମାତ୍ର ୩,୬୧୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କଠାରୁ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା। ୨୦୨୪ରେ ପୁଣି କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ମୁହାଁମୁହିଁ ହେବେ ସପ୍ତଗିରି ଓ କୌଶଲ୍ୟା। ଅନ୍ୟପଟେ କୋରାପୁଟ ଲୋକସଭା ଆସନ ପାଇଁ କାଳିରାମ ମାଝିଙ୍କୁ ପ୍ରାର୍ଥୀ କରିଛି ବିଜେପି। କାଳିରାମ ୨୦୧୪ରେ ରାୟଗଡ଼ାରୁ ବିଜେପିର ବିଧାୟକ ପ୍ରାର୍ଥୀ ଥିଲେ। 

ଏଥର କିଏ ମାରିବ ବାଜି?

ଏଥର କୋରାପୁଟ ଲୋକସଭା ଆସନ ପାଇଁ କଡ଼ାକଡ଼ି ହେବ ନିର୍ବାଚନୀ ଲଢ଼େଇ। ୫ ବର୍ଷର ରିପୋର୍ଟ କାର୍ଡ ଓ କଂଗ୍ରେସର ପାରମ୍ପରିକ ଭୋଟ ବ୍ୟାଙ୍କକୁ ଭରସା କରି ପୁଣି ଥରେ ବାଜିମାତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସପ୍ତଗିରି ଉଲ୍ଲାକା। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ବିଜେଡିର ବିକାଶ ବାର୍ତ୍ତା କୌଶଲ୍ୟାଙ୍କ ପାଇଁ ବଳ ପାଲଟିବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି। ସେହିପରି ମୋଦୀ ଗ୍ୟାରେଣ୍ଟି ଓ ହିନ୍ଦୁତ୍ଵ କାର୍ଡ ବଳରେ କୋରାପୁଟରେ ପଦ୍ମ ଫୁଟାଇବାକୁ ବିଜେପି ବି ପୂରା ଦମ୍ ଲଗାଇଦେଇଛି। 

ରାୟଗଡ଼ା ଜିଲ୍ଲାର ୩ଟି ବିଧାନସଭା କ୍ଷେତ୍ର ଓ କୋରାପୁଟ ଜିଲ୍ଲାର ୪ଟି ବିଧାନସଭା ଆସନକୁ ନେଇ କୋରାପୁଟ ସଂସଦୀୟ କ୍ଷେତ୍ର। ୨୦୧୯ରେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଥିଲା କଡ଼ା ଟକ୍କର। କଂଗ୍ରେସର ହେଭିଓ୍ଵେଟ ନେତା ରାମଚନ୍ଦ୍ର ଉଲ୍ଲାକାଙ୍କ ଉଚ୍ଚଶିକ୍ଷିତ ପୁଅ ସପ୍ତିଗରି ଉଲ୍ଲାକା ଚାକିରି ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାଇ ସିଧା ଲୋକସଭା ନିର୍ବାଚନ ଲଢ଼ିଥିଲେ। କଂଗ୍ରେସକୁ ମିଳିଥିଲା ୩ ଲକ୍ଷ ୭୧ ହଜାର ୧୨୯ ଖଣ୍ଡ ଭୋଟ। ପୂର୍ବତନ ସାଂସଦ ଝୀନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକା ବିଜେଡି ଟିକଟରେ ନିର୍ବାଚନ ଲଢ଼ି ୩ ଲକ୍ଷ ୬୭ ହଜାର ୫୧୬ ଖଣ୍ଡ ଭୋଟ ପାଇଥିଲେ।  

୨୦୧୯ରେ ବିଜେପିରୁ ନିର୍ବାଚନ ଲଢ଼ିଥିଲେ ଜୟରାମ ପାଙ୍ଗୀ। ତାଙ୍କ ପ୍ରଭାବରେ ବିଜେପି ଭୋଟ୍ ପ୍ରଥମ ଥର ପାଇଁ ୨ ଲକ୍ଷ ଟପିଥିଲା। ଭୋଟ ହାର ବି ବଢ଼ିଯାଇଥିଲା। ଏଥର ବିଜେପି ସହ ନାହାନ୍ତି ଜୟରାମ ପାଙ୍ଗୀଙ୍କ ଭଳି ଟାଣୁଆ ନେତା। ୨୦୧୩ ମସିହା ଡିସେମ୍ବର ୨ ତାରିଖରେ କଂଗ୍ରେସରେ ସାମିଲ ହୋଇଥିଲେ। ପାଙ୍ଗୀଙ୍କ ସମର୍ଥନ ଏଥର କଂଗ୍ରେସକୁ ବଳ ଦେବ ବୋଲି ଚର୍ଚ୍ଚା ହେଉଛି।

ବିଜେପି ୨୦୧୯ରେ ପାଇଥିବା ଭୋଟରଙ୍କ ସମର୍ଥନ ବଜାୟ ରଖିବେ ନା ହାତଛଡ଼ା କରିବେ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେପି ଏବେ ସାରା ରାଜ୍ୟରେ ନିଜ ସଂଗଠନକୁ ସୁଦୃଢ଼ କରିବାରେ ଲାଗିପଡ଼ିଛି। ତେବେ କୋରାପୁଟ ଲୋକସଭା ଆସନରେ ମୋଦୀ ଗ୍ୟାରେଣ୍ଟି ବିଜେପି ପାଇଁ କେତେ ଫଳପ୍ରଦ ହେବ ତାହା ସମୟକୁ ଅପେକ୍ଷା।

ଅନ୍ୟ ପକ୍ଷରେ ବିଜେପି ପାଇଥିବା ଭୋଟ ଉପରେ ଏଥର ବିଜେଡି ଓ କଂଗ୍ରେସର ନଜର ରହିଛି। ଏହି ଭୋଟ ଯାହା ଭାଗରେ ପଡ଼ିବ ତା’ ପଲ୍ଲା ଭାରି ହେବ। ଭୋଟରଙ୍କୁ ଆକୃଷ୍ଟ କରି ଗଡ଼ ହାତେଇବାକୁ ଏବେ ଲାଗି ପଡ଼ିଛନ୍ତି କଂଗ୍ରେସ ଓ ବିଜେଡି।  

ଚଳିତ ଥର ବରିଷ୍ଠ ନେତା ଜୟରାମ ପାଙ୍ଗୀ ନିର୍ବାଚନ ମଇଦାନରେ ନାହାନ୍ତି। କଂଗ୍ରେସ କୌଣସି ଆସନରୁ ତାଙ୍କୁ ଟିକଟ ଦେଇନାହିଁ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗଙ୍କ ଘରବାହୁଡ଼ା ସତ୍ତ୍ଵେ କଂଗ୍ରେସରୁ ଟିକଟ ପାଇନାହାନ୍ତି। ପାଙ୍ଗୀ ଓ ଗମାଙ୍ଗ ଏବେ ନୀରବ ଅଛନ୍ତି। ଉଭୟ ପ୍ରଭାବଶାଳୀ ନେତାଙ୍କ କାର୍ଯ୍ୟକଳାପ ଆଗାମୀ ନିର୍ବାଚନ ଫଳ ଉପରେ ନିର୍ଣ୍ଣାୟକ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦିଅନ୍ତି।

ସପ୍ତଗିରିଙ୍କ ରଣନୀତି

କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଶିବିର ପାଇଁ ରାୟଗଡ଼ାକୁ ନେଇ ସେଭଳି ଟେନସନ ନାହିଁ। ମାତ୍ର କୈଳାସ କୁଲେସିକା କଂଗ୍ରେସ ଛାଡ଼ି ଯିବା ପରେ ଲକ୍ଷ୍ମୀପୁରରୁ କେମିତି ପୂର୍ବଭଳି ଭୋଟ ଅଧିକ ପାଇବେ, ସେଥିପାଇଁ ସପ୍ତଗିରି ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହାସହ ଗୁଣପୁର ଓ ପଟାଙ୍ଗୀ ଉପରେ ସପ୍ତଗିରିଙ୍କର ଅଧିକ ଫୋକସ ରହିଛି।

କୋରାପୁଟ ଜିଲ୍ଲାରେ ନିଜର ପ୍ରଭାବ ବଢ଼ାଇବାକୁ ଦଶ ମାସ ହେଲା କୋରାପୁଟରେ ଡେରା ପକାଇଛନ୍ତି ସପ୍ତଗିରି ଉଲ୍ଲାକା। ଜୟପୁରରେ ଭୋଟ ବଢ଼ାଇବା ପାଇଁ ପୁରୁଣା କଥାକୁ ଭୁଲି ତାରା ପ୍ରସାଦ ବାହିନୀପତିଙ୍କ ସହ ସେ ହାତ ମିଳାଇଛନ୍ତି। ବିଷମକଟକକୁ ନେଇ ସପ୍ତଗିରିଙ୍କ ପାଇଁ ଚିନ୍ତା ବଢ଼ିଛି। ସହରୀ ଭୋଟ ବିଜେପି ଓ ବିଜେଡି ଖାତାକୁ ଯିବା ନେଇ ଆଶଙ୍କା କରାଯାଉଛି। ଏହା ବାଦ୍ ତାରାପ୍ରସାଦ ବାହିନୀପତି, ଜୟରାମ ପାଙ୍ଗୀ ଏବଂ ଗିରିଧର ଗମାଙ୍ଗଙ୍କ ଆଭିମୁଖ୍ୟ ସପ୍ତଗିରିଙ୍କ ପ୍ରତି କ’ଣ ରହିବ, ତାହା ହିଁ ନିର୍ଣ୍ଣାୟକ ହେବ। 

ରାୟଗଡ଼ାରେ ରେଲଓ୍ଵେ ଡିଭିଜନ ଅଫିସ ଖୋଲିବା ନିଷ୍ପତ୍ତି ଓ ଦୁରୁଆ ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ମିଳିବାକୁ ସପ୍ତଗିରି ନିଜର ସଫଳତା ବୋଲି କହୁଛନ୍ତି। ଝୋଡ଼ିଆ ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ ଲଢ଼େଇକୁ ସେ ନିର୍ବାଚନୀ ଅସ୍ତ୍ର କରିପାରନ୍ତି। ତେଲୁଗୁ ଭୋଟ ହାତେଇବାକୁ ବି ସ୍ଵତନ୍ତ୍ର ରଣନୀତି ଚଳାଇଛନ୍ତି।

କୌଶଲ୍ୟାଙ୍କୁ ହାତକୁ ଯିବକି ବାଜି?

ଅନ୍ୟପଟେ ପୂର୍ବତନ ସାଂସଦ ଝୀନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କ ସ୍ଥିତି ବିଷମକଟକରେ ଏବେ ବି ସୁଦୃଢ଼ ଥିବା କୁହାଯାଉଛି। ଲକ୍ଷ୍ମୀପୁରରେ ସେ ବିଜେଡି ବିଧାୟକ ପ୍ରଭୁ ଜାନିଙ୍କ ସଂଗଠନ ଉପରେ ଭରସା କରିଥିବାବେଳେ ଜୟପୁରରେ ରବି ନନ୍ଦଙ୍କ ସଂଗଠନ ଉପରେ କୌଶଲ୍ୟା ନିର୍ଭରଶୀଳ। କୋରାପୁଟରେ ବି ବିଜେଡି ସଂଗଠନ ମଜଭୁତ ହୋଇଛି।

କୌଶଲ୍ୟାଙ୍କ ପାଇଁ ସମସ୍ୟା ହେଲା ୨୦୧୯ ନିର୍ବାଚନ ହାରିବା ପରେ ସେ ଏକ ପ୍ରକାର ରାଜନୀତି ମଇଦାନରୁ ଗାଏବ ହୋଇଯାଇଥିଲେ। କିଛି ମାସ ପୂର୍ବରୁ କୋରାପୁଟ ଜିଲ୍ଲା ସଭାପତି ହେବା ପରେ ଝୀନ ହିକକାଙ୍କ ସକ୍ରିୟତା ବଢ଼ିଛି। ହେଲେ ରାୟଗଡ଼ାରେ ଏନ୍.ଭାସ୍କର ରାଓ ଓ ସୁଧୀର ଦାସଙ୍କ ଶିବିର ଭିତରେ ଗୋଷ୍ଠୀ ବିବାଦ ବିଜେଡିର ଚିନ୍ତା ବଢ଼ାଇଛି। 

ଭୋଟରଙ୍କ ମନ ଜିତି ପାରିବ କି ବିଜେପି? 

ବିଜେପି କୋରାପୁଟ ଲୋକସଭା ମିଶନରେ ସବୁବେଳେ ଅପହଞ୍ଚ ରହିଛି। ନା ଜିତିଛି ନା କେବେ ରେସରେ ରହିଛି। ୨୦୧୯ରେ ଭୋଟ ହାର ବଢ଼ି ୧୯.୨୯ ପ୍ରତିଶତ ଛୁଇଁଥିଲା। ଇତି ମଧ୍ୟରେ କୋରାପୁଟ ବିଧାନସଭା ଆସନ ସହ ଲକ୍ଷ୍ମୀପୁରରେ ବି ବିଜେପର ବଳ ବୃଦ୍ଧି ହୋଇଛି। ମୁନିଗୁଡ଼ା, କଲ୍ୟାଣସିଂହପୁର ବ୍ଲକରେ ବିଜେପିର ପତିଆରା ବଢ଼ିଥିବା କୁହାଯାଉଛି।

Tags: #Politics #OdishaPolitics #KoraputLokSabhaElection #GeneralElection2024 #BJD #BJP #Congress

LEAVE A REPLY

Please enter your comment!
Please enter your name here