ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏଥର ନୂଆପଡ଼ା ବିଧାନସଭା ଆସନ ଲାଗି ଜୋରଦାର ହେବ ରାଜନୈତିକ ଲଢ଼େଇ। ମଇଦାନରେ ମୁହାଁମୁହିଁ ହେବେ ତିନି ପ୍ରମୁଖ ଦଳର ଟାଣୁଆ ନେତା। ତେବେ ବିଜେଡି-ବିଜେପି ନା କଂଗ୍ରେସ, କାହା ଉପରେ ଭରସା କରିବେ ନୂଆପଡ଼ା ଭୋଟର ତା’ ଉପରେ ଏବେ ସମସ୍ତଙ୍କ ନଜର।

ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଜମୁଛି ନିର୍ବାଚନୀ ପ୍ରଚାର। ଓଡ଼ିଶାର ସମସ୍ତ ନିର୍ବାଚନମଣ୍ଡଳୀରେ ବଢ଼ିଛି ରାଜନୈତିକ ଉଷ୍ମତା। ଆଗାମୀ ୫ ବର୍ଷ ପାଇଁ କିଏ ହେବ ବିଧାୟକ, ତାକୁ ନେଇ ଚାଲିଛି ଅଙ୍କକଷା।

ନୂଆପଡ଼ା ବିଧାନସଭା ଆସନରେ ଏଥର ଦେଖିବାକୁ ମିଳିବ ହାଇପ୍ରୋଫାଇଲ ଲଢ଼େଇ। କାରଣ, ଏଥର ନିର୍ବାଚନ ମଇଦାନରେ ଅଛନ୍ତି ତିନି ଅଭିଜ୍ଞ ନେତାଙ୍କ ସହିତ ଜଣେ ନୂଆ ଚେହେରା। ତେଣୁ ନୂଆପଡ଼ା ଭୋଟର ଏଥର କାହା ମୁଣ୍ଡରେ ବିଧାୟକ ପଗଡ଼ି ବାନ୍ଧିବେ ତାକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି।

ନୂଆପଡ଼ାରେ ବିଜେଡି ଏଥର ରାଜେନ୍ଦ୍ର ଢୋଲକିଆଙ୍କୁ ପୁଣିଥରେ ରିପିଟ୍ କରିଛି। ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଛନ୍ତି ଘାସିରାମ ମାଝି। ଏହି ତିନି ଅଭିଜ୍ଞ ନେତାଙ୍କୁ ଟକ୍କର ଦେବା ପାଇଁ ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ମଇଦାନକୁ ପଠାଇଛି ବିଜେପି। ନୂଆପଡ଼ା ବିଧାନସଭା ଆସନର ଏହି ଲଢ଼େଇରେ କିଏ ବାଜି ମାରିବ ତାକୁ ହିଁ ଅପେକ୍ଷା ରହିଛି।

ବିଜେଡି-ବିଜେପି ଭିତରେ ହେବ କଡ଼ା ଟକ୍କର

ନୂଆପଡ଼ା ବିଧାନସଭା ଆସନରେ ଆଗରୁ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖି ଲଢ଼େଇ ହେଉଥିଲା। ନୂଆପଡ଼ା ଭୋଟର ପାଳିକରି ଏଠାରୁ ତିନି ଦଳର ନେତାଙ୍କୁ ବିଧାନସଭା ପଠାଉଥିବାର ନଜିର ରହିଛି। କିନ୍ତୁ ଏଥର ନୂଆପଡ଼ାରେ ଗଣିତ ବଦଳିବ ବୋଲି ଆକଳନ କରାଯାଉଛି। କାରଣ କଂଗ୍ରେସର ଭୋଟ ବିଭାଜିତ ହେବାର ସମ୍ଭାବନା ରହିଥିବାରୁ ମୁଖ୍ୟ ଲଢ଼େଇ ବିଜେଡି ଓ ବିଜେପି ଭିତରେ ହେବ ବୋଲି ଚର୍ଚ୍ଚା ହେଉଛି।

ବିଜେଡିର ଭରସା ରାଜେନ୍ଦ୍ର ଢୋଲକିଆ

ରାଜେନ୍ଦ୍ର ଢୋଲକିଆ ହେଉଛନ୍ତି ବିଜେଡିର ଜଣେ ଟାଣୁଆ ନେତା। ନୂଆପଡ଼ା ଅଞ୍ଚଳର ଜଣାଶୁଣା ଚେହେରା। ୨୦୦୪ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଧାୟକ ହୋଇଥିଲେ। ପରେ ୨୦୧୪ ଏବଂ ୨୦୧୯ରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଧାନସଭାକୁ ଯାଇଥିଲେ ରାଜେନ୍ଦ୍ର ଢୋଲକିଆ। ନବୀନ ପଟ୍ଟନାୟକଙ୍କ ସରକାରରେ ସେ ମନ୍ତ୍ରୀ ମଧ୍ୟ ରହିଥିଲେ। ତେଣୁ ଏହି ବରିଷ୍ଠ ନେତାଙ୍କ ଉପରେ ପୁଣି ଭରସା କରିଛି ବିଜେଡି। ୨୦୨୪ରେ ତାଙ୍କୁ ଟିକେଟ ଦେଇ ନୂଆପଡ଼ା ଗଡ଼ ହାତେଇବା ଲକ୍ଷ୍ୟରେ ରହିଛି ବିଜୁ ଜନତା ଦଳ।

ନୂଆ ଚେହେରା ଅଭିନନ୍ଦନ

ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ନୂଆପଡ଼ା ଆସନରେ ପ୍ରାର୍ଥୀ ବଦଳାଇଛି। ଜଣେ ଯୁବ ଚେହେରାଙ୍କୁ ଏଥର ସୁଯୋଗ ଦେଇଛି ଦଳ। ସେ ହେଉଛନ୍ତି ବିଜେପିର ହେଭିୱେଟ୍ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା।

ବସନ୍ତ ପଣ୍ଡା ୨୦୦୦ ଓ ୨୦୧୪ ମସିହାରେ ନୂଆପଡ଼ାର ବିଧାୟକ ଥିଲେ। ୨୦୧୯ରେ ସେ କଳାହାଣ୍ଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ବ୍ୟତୀତ ସେ ରାଜ୍ୟ ବିଜେପି ସଭାପତି ମଧ୍ୟ ଥିଲେ।

ଅଭିନନ୍ଦନଙ୍କର ନିର୍ବାଚନ ଲଢ଼ିବାର କୌଣସି ଅଭିଜ୍ଞତା ନାହିଁ। ତେବେ ନିର୍ବାଚନ ମଇଦାନରେ ବାପାଙ୍କ ପାଇଁ ଆଗରୁ ସେ ପ୍ରଚାର କରିଛନ୍ତି। ତେଣୁ ବାପାଙ୍କ ଲୋକପ୍ରିୟତା ଓ ନୂଆପଡ଼ାରେ ବିଜେପିର ସଙ୍ଗଠନକୁ ଆଧାର କରି ଅଭିନନ୍ଦନ ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ନୂଆପଡ଼ାରେ ଶରତ

ନୂଆପଡ଼ାରେ ଏଥର ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଖୋଦ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଶରତ ପଟ୍ଟନାୟକ ଏଥର ନିଜ ନିର୍ବାଚନମଣ୍ଡଳୀ ଛାଡ଼ି ନୂଆପଡ଼ାରୁ ପ୍ରାର୍ଥୀ ହୋଇଥିବାରୁ ଦଳ ଭିତରେ ବିଦ୍ରୋହ ଦେଖାଦେଇଛି। ୨୦୧୯ରେ ଶରତ ପଟ୍ଟନାୟକ ସମ୍ବଲପୁର ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ।

ଏହା ପୂର୍ବରୁ ୧୯୯୧ ଏବଂ ୧୯୯୬ରେ ସେ ବଲାଙ୍ଗିର ଲୋକସଭା କ୍ଷେତ୍ରରୁ ସାଂସଦ ହୋଇଥିଲେ। କିନ୍ତୁ ଏଥର ସେ ନୂଆପଡ଼ା ବିଧାନସଭା ଆସନକୁ ବାଛିଛନ୍ତି। ଯେଉଁଥିପାଇଁ ସ୍ଥାନୀୟ କଂଗ୍ରେସ ନେତାଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାକୁ ସାମ୍ନା କରି ଏପାଳି ଭୋଟରେ ଜିତିବା ଶରତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଶରତଙ୍କ ପାଇଁ ଘାସିରାମ ଅଡୁଆ

ଶରତ ପଟ୍ଟନାୟକ ନୂଆପଡ଼ାରେ କଂଗ୍ରେସର ସଂଗଠନ ସଜାଡ଼ିବାରେ ଲାଗିଛନ୍ତି। ପୁରୁଣା କର୍ମୀଙ୍କୁ ଏକାଠି କରିବାରେ ଲାଗିଛନ୍ତି। କିନ୍ତୁ ତାଙ୍କ ଏ ରାସ୍ତାରେ କଣ୍ଟା ସାଜିପାରନ୍ତି କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଘାସିରାମ ମାଝି।

୨୦୧୪ ଓ ୨୦୧୯ରେ ନୂଆପଡ଼ାରୁ ଘାସିରାମ ମାଝି କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିଥିଲେ। ୨୦୧୯ରେ ସେ ୪୫ ହଜାରରୁ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ଏଥର ଘାସିରାମଙ୍କ ଜାଗାରେ ନିଜେ ପିସିସି ସଭାପତି ପ୍ରାର୍ଥୀ ହୋଇଛନ୍ତି।

ଚଳିତ ବର୍ଷ ସୁଯୋଗ ନମିଳିବାରୁ ଶେଷରେ ଘାସିରାମ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସବୁଠାରୁ ବଡ଼କଥା ହେଉଛି ଘାସିରାମଙ୍କ ହାତରେ ଆଦିବାସୀ ଭୋଟବ୍ୟାଙ୍କ ରହିଛି। ଏହା ଶରତଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

ମେ’ ୧୩ ତାରିଖରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ପୁଣି କାହାକୁ ୫ ବର୍ଷ ପାଇଁ ବିଧାୟକ ବାଛିବେ ନୂଆପଡ଼ା ଭୋଟର ତା’ ଉପରେ ଏବେ ସମସ୍ତଙ୍କ ନଜର।

Tags: #Politics #OdishaPolitics #AssemblyElections2024 #Odisha #BJD #NuapadaAssemblyElection2024 #BJP #BJD #Congress

Comment