ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ବ୍ରହ୍ମଗିରିରେ ସବୁଠାରୁ ଜୋରଦାର ଲଢ଼େଇ ହୁଏ। ଦକ୍ଷିଣ ଓ ପୂର୍ବ ଓଡ଼ିଶାକୁ ସଂଯୋଗ କରୁଥିବା ଚିଲିକା ଓ ବଙ୍ଗୋପସାଗର କୂଳରେ ପରିବ୍ୟାପ୍ତ ଏ ନିର୍ବାଚନମଣ୍ଡଳୀର ଫଳାଫଳକୁ ଜାଣିବା ପାଇଁ ସାରା ଓଡ଼ିଶା ଅପେକ୍ଷା କରିଥାଏ। ଏଥର ବି ସେମିତି ଲଢ଼େଇ ଦେଖିବ ବ୍ରହ୍ମଗିରି। ଦିନେ କଂଗ୍ରେସର ଟାଇଗର ଥିବା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ଏଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସହ ମୁକାବିଲା କରୁଛନ୍ତି ବିଜେଡିର ଉମାକାନ୍ତ ସାମନ୍ତରାୟ।

ବିଜେପିର ଉପାସନା

ବ୍ରହ୍ମଗିରି ଆସନରେ ଏଥର ବିଜେପି ପ୍ରାର୍ଥୀ ବଦଳାଇଛି। ୨୦୧୯ରେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଟିକେଟ ଦେଇଥିଲା ଦଳ। ସେ ନିର୍ବାଚନ ଜିତି ବିଧାନସଭାକୁ ଯାଇଥିଲେ। ଏଥର ବିଜେପି ଲଳିତେନ୍ଦୁଙ୍କ ଜାଗାରେ ଲୁଲୁଙ୍କ ଝିଅ ଉପାସନାଙ୍କୁ ଟିକେଟ ଦେଇଛି। ଲୁଲୁଙ୍କ ଲିଗାସି, କଂଗ୍ରେସର ପୁରୁଣା କର୍ମୀ ଓ ବିଜେପିର ସଂଗଠନ; ଏ ତିନିଟି ଅସ୍ତ୍ର ଧରି ବ୍ରହ୍ମଗିରି ବିଜୟ ପାଇଁ ଲଢ଼େଇ ଆରମ୍ଭ କରିଛନ୍ତି ଉପାସନା।

ନିର୍ବାଚନ ରାଜନୀତିରେ ଉପାସନାଙ୍କ ଅଭିଜ୍ଞତା ନାହିଁ। ହେଲେ ଛୋଟ ବେଳୁ ସେ ଅତି ନିକଟରୁ ନିର୍ବାଚନ ପରିଚଳନାକୁ ପାଖରୁ ଦେଖି ଆସିଛନ୍ତି। ଏହାସହ ଲୁଲୁଙ୍କ ପାଇଁ ସେ ପ୍ରଚାର ମଧ୍ୟ କରିଛନ୍ତି। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ସହ ଓଡ଼ିଶା ରାଜନୀତିରେ ଉତ୍ଥାନ ପତନ ସେ ଦେଖିଛନ୍ତି ଓ ମିଶାଣ ଫେଡ଼ାଣକୁ ବୁଝିଛନ୍ତି। ଲଢ଼େଇରେ ନୂଆ ହେଲେ ମଧ୍ୟ ରାଜନୀତିର ପେଞ୍ଚ ବୁଝିବା ତାଙ୍କ ପାଇଁ ଅସହଜ ନୁହେଁ। ବିଜେପିର ମଧ୍ୟ ସାଂଗଠନିକ ଶକ୍ତି ବୃଦ୍ଧି ପାଇଥିବାରୁ ସେ ଜୋରଦାର ଲଢ଼େଇ କରିବେ ବୋଲି ରାଜନୀତି ସମୀକ୍ଷକ କହୁଛନ୍ତି।

ବିଜେଡିରୁ ଉମାକାନ୍ତ

୨୦୦୪ରୁ ୨୦୧୪ ଯାଏଁ ଲୁଲୁ ମହାପାତ୍ରଙ୍କ ସହ ଲଢ଼େଇ କରୁଥିଲେ ବିଜେଡିର ସଞ୍ଜୟ ଦାସବର୍ମା। ୨୦୦୯ ଓ ୨୦୧୪ରେ ଜିତିଥିଲେ ଦାସବର୍ମା। କିନ୍ତୁ ୨୦୧୯ରେ ଖେଳ ଓଲଟିଯାଇଥିଲା। ଲୁଲୁଙ୍କ ଭାଇ ବିଜେପିରୁ ପ୍ରାର୍ଥୀ ହୋଇ ସଞ୍ଜୟଙ୍କୁ ହରାଇଥିଲେ। ଏଥର ସଞ୍ଜୟ ସତ୍ୟବାଦୀ ଯାଇଥିବା ବେଳେ ସେଠାକାର ବିଧାୟକ ଉମାକାନ୍ତ ସାମନ୍ତରାୟ ବ୍ରହ୍ମଗିରି ଲଢ଼େଇରେ ଲମ୍ଫ ଦେଇଛନ୍ତି।

ଉମାକାନ୍ତ ବି ବେଶ ଟାଣୁଆ ନେତା। ବିଜେଡି ଟିକେଟରୁ ସେ ଦୁଇ ଥର ଜିତିଥିଲେ। ୨୦୧୪ରେ ସ୍ଵାଧୀନ ପ୍ରାର୍ଥୀ ଭାବେ ମଧ୍ୟ ଜିତିଥିଲେ। ୨୦୧୯ରେ ତାଙ୍କୁ ବିଜେଡି ଟିକଟ ଦେଇଥିଲା ଓ ସେ ସତ୍ୟବାଦୀରୁ ଜିତିଥିଲେ। ଏବେ ବ୍ରହ୍ମଗିରିରେ ପରୀକ୍ଷା ଦେଉଛନ୍ତି।

ବ୍ରହ୍ମଗିରିର ବହୁ ପଞ୍ଚାୟତରେ ମଧ୍ୟ ତାଙ୍କର ବେଶ ଭଲ ପ୍ରଭାବ ରହିଛି। ବିଜେଡିର ଟାଣୁଆ ସଂଗଠନ ବି ଏଠାରେ ରହିଛି। ଦଳୀୟ କନ୍ଦଳର ସମ୍ଭାବନା କମ୍ ଥିବାରୁ ତାଙ୍କ ପାଇଁ ଲଢ଼େଇରେ ବେଶୀ ଅଡୁଆ ହେବ ନାହିଁ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି। ଏଠାରେ ତାଙ୍କ ପାଇଁ ଗୋଟିଏ ସମସ୍ୟା ହୋଇପାରେ, ସଞ୍ଜୟଙ୍କ ସଂଗଠନ ତାଙ୍କ ପାଇଁ କେତେ କାମ କରିବ।

କଂଗ୍ରେସର ସଂଘର୍ଷ

କଂଗ୍ରେସର ଏକଦା ଗଡ଼ ଥିଲା ବ୍ରହ୍ମଗିରି। କିନ୍ତୁ ଲୁଲୁଙ୍କ ପରେ ଏଠାରେ ଦଳ ତାର ସ୍ଥିତି ପାଇଁ ସଂଘର୍ଷ କରୁଛି। ଏଥର କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମିତ୍ରଭାନୁ ମହାପାତ୍ର। ଜିଲ୍ଲାପରିଷଦ ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ମଧ୍ୟ ହୋଇଥିଲେ। କଂଗ୍ରେସର ଭୋଟ୍ ବ୍ୟାଙ୍କ ଲୁଲୁଙ୍କ ପକେଟରେ ଥିଲା। ତାଙ୍କ ଦେହାନ୍ତ ପରେ ମଧ୍ୟ ସେହି ଭୋଟ ବ୍ୟାଙ୍କ ଏବେ ବି ଲୁଲୁଙ୍କ ପାଖରେ ରହିଛି। ତେଣୁ କଂଗ୍ରେସ ପାଇଁ କେବଳ ଚମତ୍କାର ହିଁ ଭରସା ବୋଲି ରାଜନୀତି ସମୀକ୍ଷକ ମତ ଦେଇଛନ୍ତି।

ବ୍ରହ୍ମଗିରି ପରିସଂଖ୍ୟାନ

୨୦୦୪ ବିଧାନସଭା ନିର୍ବାଚନରେ ସଞ୍ଜୟ ଦାସବର୍ମା ୬୫,୨୧୩ ଭୋଟ ପାଇଥିବା ବେଳେ ଲୁଲୁ ମହାପାତ୍ର ୭୦,୪୯୩ ଭୋଟ ପାଇ ବିଜୟୀ ହୋଇଥିଲେ। ୨୦୦୯ରେ  ସଞ୍ଜୟ ୭୦,୫୩୩ ଭୋଟ୍ ପାଇଥିବା ବେଳେ ଲୁଲୁଙ୍କୁ ମିଳିଥିଲା ୬୫, ୬୪୭ ଭୋଟ୍। ବିଜୟର ବ୍ୟବଧାନ ଥିଲା ମାତ୍ର ୪୮୮୬।

ସେହିପରି ୨୦୧୪ ନିର୍ବାଚନରେ ସଞ୍ଜୟଙ୍କୁ ୭୮,୬୭୫ ଓ ଲୁଲୁଙ୍କୁ ୭୭,୩୩୪ ଭୋଟ୍ ମିଳିଥିଲା। ବିଜୟ ବ୍ୟବଧାନ ଥିଲା ମାତ୍ର ୧୩୪୧। ଏହାପରେ ୨୦୧୯ରେ ସଞ୍ଜୟଙ୍କୁ ୮୬,୧୨୬ ଭୋଟ୍ ମିଳିଥିବା ବେଳେ ଲୁଲୁଙ୍କ ଭାଇ ତଥା ବିଜେପି ପ୍ରାର୍ଥୀ ଲଳିତେନ୍ଦୁଙ୍କୁ ମିଳିଥିଲା ୮୮୨୫୬ ଭୋଟ୍। ଏଥର ବିଜୟ ବ୍ୟବଧାନ ଥିଲା ମାତ୍ର ୨୧୩୦।

ଗଣତି ଶେଷ ଯାଏଁ ଅପେକ୍ଷା କରେ ବ୍ରହ୍ମଗିରି

ବ୍ରହ୍ମଗିରି ଏମିତି ଏକ ନିର୍ବାଚନମଣ୍ଡଳୀ ଯେଉଁଠି ଶେଷ ପର୍ଯ୍ୟାୟର କେଇ ଶହ ଭୋଟ୍ ଗଣତି ଯାଏ ବି ଫଳାଫଳ ନିର୍ଣ୍ଣୟ ହୋଇପାରେନାହିଁ। ଏମିତି ଅନେକ ଥର ହୋଇଛି। ବହୁତ କମ ବ୍ୟବଧାନରେ ହାର୍ ଜିତର ନିର୍ଣ୍ଣୟ ହୁଏ।

୧୯୯୫ ମସିହା ପରଠାରୁ ଏଠାରେ ଲଢ଼େଇ ମୁଖ୍ୟତଃ ଲୁଲୁ ମହାପାତ୍ର ଓ ତାଙ୍କ ପରିବାର ସହ ଜନତା ଦଳ ବା ବିଜେଡିର ଲଢ଼େଇ ହୋଇଛି। ୧୯୯୫ରୁ ୨୦୦୪, ୩ ଥର ନିର୍ବାଚନ ଜିତିଛନ୍ତି ଲୁଲୁ ମହାପାତ୍ର। ୨୦୦୯ ଓ ୨୦୧୪ରେ ବିଜେଡିର ସଂଜୟ ଦାସବର୍ମା ଜିତିଥିଲେ। କିନ୍ତୁ ଲୁଲୁଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବିଜେପିରେ ସାମିଲ ହୋଇଥିଲେ। ଲୁଲୁଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ୨୦୧୯ ନିର୍ବାଚନରେ ସଞ୍ଜୟ ଦାସବର୍ମାଙ୍କୁ ହରାଇଦେଇଥିଲେ। ଏଥର ବି କାଣ୍ଟେ କା ଟକ୍କର ଦେଖିବାକୁ ମିଳିବ।

Tags: #OdishaAssemblyElections2024 #BrahmagiriAssemblyseat #BJD #BJP #Congress #Politics #Odisha

Comment