ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ସରଗରମ ଥିବା ରାଜନୀତି ମଧ୍ୟରେ କଂଗ୍ରେସ ନେତା ସାମ୍ ପିଟ୍ରୋଡା ପୁଣି ନିଜ ବୟାନ ପାଇଁ ବିବାଦରେ ଫସିଛନ୍ତି। ଭାରତର ବିବିଧ ସଂସ୍କୃତିକୁ ବର୍ଣ୍ଣନା କରିବାକୁ ଯାଇ ସେ ଦେଇଥିବା ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟ ଏବେ କଂଗ୍ରେସକୁ ଅଡୁଆରେ ପକାଇଛି। ଏହାକୁ ନେଇ କଂଗ୍ରେସ ତଥା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି ବିଜେପି।

ଦି ଷ୍ଟେଟ୍ସମ୍ୟାନକୁ  ଦେଇଥିବା ଏକ ସାକ୍ଷାତକାରରେ ସାମ୍ ପିଟ୍ରୋଡା ଭାରତର ବିବିଧତାକୁ ନେଇ ଚର୍ଚ୍ଚା କରିଥିଲେ। ଏଠାରେ ସେ ବିବିଧତା ବିଷୟରେ କହିବାକୁ ଯାଇ ଭାରତର ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ତୁଳନା ଅନ୍ୟ ଦେଶର ଲୋକଙ୍କ ସହ କରିଥିଲେ।

ସେ କହିଥିଲେ, “ଭାରତରେ ବିବିଧତା ମଧ୍ୟରେ ଏକତା ଦେଖିବାକୁ ମିଳିଥାଏ। ପୂର୍ବ ଭାରତର ଲୋକେ ଚାଇନିଜ ଭଳି, ପଶ୍ଚିମ ଭାରତ ଲୋକେ ଆରବବାସୀଙ୍କ ଭଳି, ଉତ୍ତର ଭାରତର ଲୋକେ ଗୋରା ଏବଂ ଦକ୍ଷିଣ ଭାରତ ଲୋକେ ଆଫ୍ରିକୀୟଙ୍କ ଭଳି ଦେଖାଯାଆନ୍ତି। ଏହି ବିବିଧତା ହେଉଛି ଭାରତର ପରିଚୟ। ଆମେ ସମସ୍ତଙ୍କ ଭାଷା ଏବଂ ସଂସ୍କୃତିକୁ ସମ୍ମାନ କରୁ। ଆମେ ସମସ୍ତଙ୍କୁ ଏକ ରୂପେ ଦେଖିଥାଉ।”

ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଅନ୍ୟ ନେତାମାନେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏହା କଂଗ୍ରେସର ଅସଲ ଚରିତ୍ର ସାମ୍ନାକୁ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତବାସୀଙ୍କ ଚେହେରାକୁ ନେଇ ପିଟ୍ରୋଡା ଦେଇଥିବା ମନ୍ତବ୍ୟ ବାବଦରେ ରାହୁଲ ଗାନ୍ଧୀ ଉତ୍ତର ରଖନ୍ତୁ ବୋଲି ସେ କହିଛନ୍ତି।

ତେବେ ସାମ୍ ପିଟ୍ରୋଡାଙ୍କ ଏଭଳି ମନ୍ତବ୍ୟକୁ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ତାଙ୍କ ବ୍ୟକ୍ତିଗତ ବୟାନ ବୋଲି ଦଳ ପକ୍ଷରୁ କୁହାଯାଇଛି।  

ନିର୍ବାଚନ ସମୟରେ ସାମ୍ ପିଟ୍ରୋଡା ବିଭିନ୍ନ ବୟାନ ଦେଇ ବିବାଦ ଘେରକୁ ଆସିଥାନ୍ତି। ୨୦୧୯ ନିର୍ବାଚନ ସମୟରେ ସେ ଦିଲ୍ଲୀର ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଥିଲା। ସେତେବେଳେ ଏହା କଂଗ୍ରେସ ପାଇଁ ଚିନ୍ତାର ବିଷୟ ପାଲଟିଥିଲା। ଚଳିତ ନିର୍ବାଚନରେ ମଧ୍ୟ ସେ ଉତ୍ତରାଧିକାର ଟିକସ ବାବଦରେ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ବିଜେପି ନେତାମାନେ ଏହାର ଦୃଢ଼ ବିରୋଧ କରିଥିଲେ।   

Tags: #SamPitroda #Racism #Congress #Elections #BJP #India

Comment