ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏଥର ଭଣ୍ଡାରିପୋଖରୀ ବିଧାନସଭା ଆସନ ଲାଗି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ତ୍ରିମୁଖୀ ଲଢ଼େଇ।

ଭଣ୍ଡାରିପୋଖରୀ ବିଧାନସଭା ଆସନ ଲାଗି ଏଥର ହେବ କଡ଼ା ଟକ୍କର। ବିଜେଡି ଦଖଲରେ ଥିବା ଭଣ୍ଡାରିପୋଖରୀ ଏଥର କାହା ଅକ୍ତିଆରକୁ ଯିବ? ଏଠାରେ ପୁଣି ଶଙ୍ଖ ବାଜିବ ନା ହାତ ଛଡ଼ାଇ ନେବ ଶାସନ ଭାର। ନିର୍ବାଚନୀ ପ୍ରତିଦ୍ଵନ୍ଦ୍ଵିତାରେ ପଛରେ ବି ନାହିଁ ବିଜେପି। ଏଥର ଭଣ୍ଡାରିପୋଖରୀରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ।

ପ୍ରାର୍ଥୀ ବଦଳାଇଲା ବିଜେଡି

ନିର୍ବାଚନର ଅଳ୍ପ କିଛି ଦିନ ପୂର୍ବରୁ ବିବାଦରେ ଫସିଥିବା ପ୍ରଫୁଲ୍ଲ ସାମଲଙ୍କୁ ଟିକଟ ଦେଇ ରିସ୍କ ନେଇନାହିଁ ବିଜେଡି। ଏଥର ପଡ଼ୋଶୀ ଭଦ୍ରକ ବିଧାୟକଙ୍କୁ ଏଠାରୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ। ଭଦ୍ରକ ଭଣ୍ଡାରିପୋଖରୀରେ ଭାଗ୍ୟ ପରୀକ୍ଷା କରୁଛନ୍ତି ସଞ୍ଜୀବ ମଲ୍ଲିକ। ସଞ୍ଜୀବ ପ୍ରଭାବଶାଳୀ ରାଜନୈତିକ ପରିବାରର ସଦସ୍ୟ ହୋଇଥିବାବେଳେ ତାଙ୍କ ପାଖରେ ଥରେ ବିଧାୟକ ହେବାର ଅଭିଜ୍ଞତା ରହିଛି। ଦଳ ଭିତରେ ଅସନ୍ତୋଷ ରହିଥିଲେ ମଧ୍ୟ ସଞ୍ଜୀବ ସମସ୍ତଙ୍କୁ ନେଇ ନିର୍ବାଚନୀ ଲଢ଼େଇରେ ବାଜିମାତ କରିବେ ବୋଲି ଆଶା ରଖିଛି ବିଜେଡି।

ସଞ୍ଜୀବଙ୍କ ପାଇଁ ସହଜ ହେବନି ବାଟ!

ସଞ୍ଜୀବ ମଲ୍ଲିକ ଜଣେ ଦକ୍ଷ ସଂଗଠକ। ତାଙ୍କର ଦଳରେ ଭଲ ପ୍ରଭାବ ରହିଛି। କିନ୍ତୁ ଭଣ୍ଡାରିପୋଖରୀରେ ବିଜେଡି ସଂଗଠନକୁ ନିଜ ସପକ୍ଷକୁ ନେବା ତାଙ୍କ ପାଇଁ କାଠିକର ପାଠ ହେବ ବୋଲି ରାଜନୀତି ସମୀକ୍ଷକମାନେ ଆଶଙ୍କା କରୁଛନ୍ତି।

ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ତିନି ତିନି ଥର ନିର୍ବାଚିତ ହୋଇଥିବା ପ୍ରଫୁଲ୍ଲ ସାମଲଙ୍କର ଏଠାରେ ଭଲ ପ୍ରଭାବ ରହିଥିବାବେଳେ ତାଙ୍କର ବ୍ୟକ୍ତିଗତ ଭୋଟ ବ୍ୟାଙ୍କ ମଧ୍ୟ ରହିଛି। ପ୍ରଫୁଲ୍ଲଙ୍କ ଭୋଟ ବ୍ୟାଙ୍କ ସଞ୍ଜୀବଙ୍କ ଖାତାକୁ ଯିବକି ନାହିଁ ତା’ର ଚିତ୍ର ସ୍ପଷ୍ଟ ହୋଇନାହିଁ।

ଅନ୍ୟ ପକ୍ଷରେ ବିଜେଡିର ଟାଣୁଆ ନେତା ରେବତୀ ନାୟକ ନିଲମ୍ବିତ ହେବା ପରେ ଦଳ ଛାଡ଼ିଛନ୍ତି। ସେ ଦୁଇ ଦୁଇ ଥର ବନ୍ତ ବ୍ଲକ ଅଧ୍ୟକ୍ଷା ହୋଇଥିଲେ। ରେବତୀ ନାୟକଙ୍କ ସ୍ଵାମୀ ଅଧ୍ୟାପନାରୁ ଅବସର ନେଇ ଏଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ରେବତୀଙ୍କ ସମର୍ଥକ ଏବେ ବିଜେଡିରେ ରହିବେ ନା ବିଜେପିକୁ ସମର୍ଥନ କରିବେ ତାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି।

ତେଣୁ ସଞ୍ଜୀବଙ୍କ ସାମ୍ନାରେ ରହିଥିବା ଏହି ଦୁଇଟି ଅଡ଼ିୁଆର ସମାଧାନ ନହେଲେ ପରିସ୍ଥିତି ଚିନ୍ତାଜନକ ହୋଇପାରେ ବୋଲି ରାଜନୀତି ପଣ୍ଡିତମାନେ ମତ ଦେଇଛନ୍ତି।

ନିରଞ୍ଜନଙ୍କ ପାଇଁ ଅଗ୍ନିପରୀକ୍ଷା

ଗତ ଥର ନିରଞ୍ଜନ ପଟ୍ଟନାୟକ ଘଷିପୁରା ସହ ଭଣ୍ଡାରିପୋଖରୀରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ଦୁଇଟା ଯାକ ଆସନରେ ତାଙ୍କୁ ପରାଜୟର ମୁହିଁ ଦେଖିବାକୁ ମିଳିଥିଲା। ଏଥର ଘଷିପୁରା ଛାଡ଼ି ପୁଣି ଭଣ୍ଡାରିପୋଖରୀରୁ ପ୍ରାର୍ଥୀ ହୋଇଛନ୍ତି ନିରଞ୍ଜନ ପଟ୍ଟନାୟକ। ଆପାତତଃ ଏଥର ତାଙ୍କର ଶେଷ ନିର୍ବାଚନ ହୋଇଥିବାରୁ ସେ ନିର୍ବାଚନ ବୈତରଣୀ ପାର ହେବାକୁ ପୂରା ଦମ ଲଗାଇ ଦେଇଛନ୍ତି।

ଭଣ୍ଡାରିପୋଖରୀରେ କଂଗ୍ରେସର ଭଲ ଭୋଟ୍ ବ୍ୟାଙ୍କ ରହିଛି। ବାକି କିଛି ପରିମାଣରେ ଭୋଟ୍ ବିଭାଜନ କରାଇପାରିଲେ ତାଙ୍କ ପାଇଁ ବିଜୟର ସମ୍ଭାବନା ସୃଷ୍ଟି ହୋଇପାରେ ବୋଲି ରାଜନୀତି ସମୀକ୍ଷକଙ୍କ ମତ। ଯଦି ଭଦ୍ରକରୁ ସହଯୋଗର ହାତ ଲମ୍ବିଲା, ତେବେ ତାହା ନିରଞ୍ଜନଙ୍କ ପାଇଁ ବୋନସ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

ମାଟିର ପୁଅ ଉପରେ ବିଜେପିର ଭରସା

ସଦ୍ୟ ସଦ୍ୟ ବିଜେଡି ଛାଡ଼ି ବିଜେପିରେ ମିଶି ଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକଙ୍କ ସ୍ଵାମୀ ଅଧ୍ୟାପକ ସୁଧାଂଶୁ ନାୟକ ଏଥର ବିଜେପି ପ୍ରାର୍ଥୀ ହୋଇଛନ୍ତି। ଚାକିରି କରୁଥିଲେ ମଧ୍ୟ ନେପଥ୍ୟରେ ସେ ପତ୍ନୀଙ୍କ ରାଜନୈତିକ କ୍ୟାରିୟର ଉତ୍ଥାନରେ ସହଯୋଗୀ ଥିଲେ। ରେବତୀ ନାୟକଙ୍କର ମଧ୍ୟ ନିର୍ବାଚନ ପରିଚାଳନା କରିବାର ଅଭିଜ୍ଞତା ରହିଛି।

ଭଦ୍ରକ ଜିଲ୍ଲାରେ ବିଜେପିର ଶକ୍ତି ବୃଦ୍ଧି ହୋଇଥିବାରୁ ସୁଧାଂଶୁ ସହଜରେ ବାଜି ମାରିନେବେ ବୋଲି ଆଶା କରିଛନ୍ତି। ରାଜନୀତି ସମୀକ୍ଷକଙ୍କ କହିବା ଅନୁସାରେ ତ୍ରିମୁଖୀ ଲଢ଼ାଇରେ ଶେଷ ପର୍ଯ୍ୟନ୍ତ ରହିପାରନ୍ତି ସୁଧାଂଶୁ।

ନିରଞ୍ଜନ ପଟ୍ଟନାୟକ ପଡ଼ୋଶୀ କେନ୍ଦୁଝର ଜିଲ୍ଲାର। ସଞ୍ଜୀବ ଭଦ୍ରକ ନିର୍ବାଚନମଣ୍ଡଳୀର। ସୁଧାଂଶୁ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ଭୋଟର। ଏଇଠି ତାଙ୍କର ଜନ୍ମ। ତେଣୁ ମାଟିର ପୁଅକୁ ଜିତାଇବାକୁ ସେ ଆହ୍ଵାନ ଦେଇଛନ୍ତି। ସାଧାରଣତଃ ବିଧାନସଭା କିମ୍ବା ଲୋକସଭା ନିର୍ବାଚନ ରାଜନୀତିରେ ଏ ଭାବପ୍ରବଣତା ବେଶୀ କାମ ଦେଉନଥିଲେ ମଧ୍ୟ ଏହି ପ୍ରସଂଗ ଆଦୌ କାମ କରିବ ନାହିଁ ବୋଲି କହିହେବ ନାହିଁ।

୨୦୦୯ ନିର୍ବାଚନଠାରୁ ଲଗାତର ଭଲ ଭୋଟ ବ୍ୟବଧାନରେ ଜିତି ଆସୁଥିଲେ ପ୍ରଫୁଲ୍ଲ ସାମଲ। ଅନ୍ୟ ପଟେ ବିଜେପି ଭୋଟ ପରିମାଣରେ ମଧ୍ୟ କ୍ରମାଗତ ବୃଦ୍ଧି ହୋଇଛି। ଗତଥର ନିରଞ୍ଜନ ପଟ୍ଟନାୟକ ଏଠାରୁ ନିର୍ବାଚନ ଲଢ଼ି କଂଗ୍ରେସ ଭୋଟକୁ ସଂଗଠିତ କରିବାରେ ସଫଳ ହୋଇଛନ୍ତି। କ୍ରମାଗତ ଭାବେ ଶୀର୍ଷରେ ରହିଆସୁଥିଲେ ମଧ୍ୟ ଏଥର ନିର୍ବାଚନରେ ନିଜର ପୂର୍ବ ଜନମତ ଆଧାରକୁ ସୁରକ୍ଷିତ ରଖିବା ବିଜେଡିର ପ୍ରାଥମିକତା ହେବା ଜରୁରୀ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି।

ଭଣ୍ଡାରିପୋଖରୀ ପରିସଂଖ୍ୟାନ

୨୦୦୯ରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କୁ ୬୦,୨୨୦ ଭୋଟ୍, କଂଗ୍ରେସର ବଦ୍ରିନାରାୟଣ ଧଳଙ୍କୁ ୩୯,୮୨୩ ଓ ବିଜେପି ପ୍ରାର୍ଥୀ ମନମୋହନ ସାମଲଙ୍କୁ ୨୧,୧୫୩ ଭୋଟ୍ ମିଳିଥିଲା। ୨୦୧୪ରେ ପ୍ରଫୁଲ୍ଲ ସାମଲଙ୍କୁ ୬୯,୯୯୩ ଭୋଟ୍, କଂଗ୍ରେସର ସୁବ୍ରତ ଦାସଙ୍କୁ ୩୫,୯୯୯ ଭୋଟ୍ ଓ ବିଜେପିର ବଦ୍ରିନାରାୟଣ ଧଳଙ୍କୁ ୨୮,୭୧୪ ଭୋଟ୍ ମିଳିଥିଲା। ସେହିପରି ୨୦୧୯ରେ ପ୍ରଫୁଲ୍ଲ ସାମଲଙ୍କୁ ୬୯,୮୭୯, କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ୬୧,୦୫୬ ଓ ବିଜେପିର ବଦ୍ରିନାରାୟଣଙ୍କୁ ୩୮,୮୫୬ ଭୋଟ୍ ମିଳିଥିଲା।

Tags: #Politics #OdishaPolitics #AssemblyElections2024 #Odisha #BhandaripokhariAssemblyElection #BJP #BJD #Congress

Comment