ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ପୁଣି ବାଜି ମାରିବେ ନା କମାଲ କରିବେ ମନ୍ମଥ, କେମିତି ରହିବ ୟାସିରଙ୍କ ସ୍ଥିତି?

ଭୁବନେଶ୍ୱର ଲୋକସଭା ଆସନ ଲାଗି ଏଥର ଦମଦାର ହେବ ଲଢ଼େଇ। ଏହି ଆସନରେ ବିଜେପି ପୁଣି ଆପରାଜିତା ଷଡ଼ଙ୍ଗୀଙ୍କୁ ରିପିଟ କରିଥିବାବେଳେ ନବାଗତ କ୍ୟାପ୍ଟେନ ମନ୍ମଥ ରାଉତରାୟଙ୍କୁ ମଇଦାନକୁ ଆଣିଛି ବିଜେଡି। ଏପଟେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ୟାସିର ନୱାଜ। ଏହି ତିନି ପ୍ରାର୍ଥୀଙ୍କ ଭିତରୁ କିଏ କାହାକୁ ଚେକ୍ ଦେଉଛନ୍ତି ତାହା ଦେଖିବାର କଥା।

ଭୁବନେଶ୍ୱର, ରାଜ୍ୟର ପ୍ରଥମ ସ୍ମାର୍ଟ ସିଟି। ତା’ଛଡ଼ା ଓଡ଼ିଶାର ରାଜଧାନୀ ହେଉଛି ଭୁବନେଶ୍ୱର। ସଚିବାଳୟ, ବିଧାନସଭାଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ମୁଖ୍ୟାଳୟ ଏହି ସହରରେ ରହିଛି। ତେଣୁ ନିର୍ବାଚନ ଆସିଲେ ସାରା ରାଜ୍ୟବାସୀଙ୍କ ନଜର ଭୁବନେଶ୍ୱର ଲୋକସଭା ଆସନ ଉପରେ ରହିଥାଏ। କିଏ ଜିତିବ, ଆଉ କିଏ ହାରିବ ତାକୁ ନେଇ ରୋଚକ ଚର୍ଚ୍ଚା ମଧ୍ୟ ହୋଇଥାଏ।

ବିଜେଡିକୁ ଭରସା ମନ୍ମଥ ରାଉତରାୟ

ଭୁବନେଶ୍ୱର ଲୋକସଭା ଆସନ ଦିନେ ବିଜେଡିର ଗଡ଼ ଥିଲା। ୧୯୯୮ରୁ ୨୦୦୯ ନିର୍ବାଚନ ଯାଏଁ ବିଜେଡି ଭୁବନେଶ୍ୱର ଆସନକୁ ନିଜ କବ୍‌ଜାରେ ରଖିଥିଲା। ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଆସୁଥିଲେ। ହେଲେ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଦଳାଇ ଥିଲା। ପ୍ରସନ୍ନ ପାଟ୍ଟଶାଣୀଙ୍କ ଜାଗାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା ଦଳ। ଅରୂପଙ୍କୁ ଜିତାଇବା ଲାଗି ବିଜେଡି ଜୋରଦାର ଉଦ୍ୟମ କରିଥିଲା। ହେଲେ ସେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ପରାଜିତ ହୋଇଥିଲେ।

ଏଥର ବିଜେଡି ପୁଣି ପ୍ରାର୍ଥୀ ବଦଳାଇଛି। ଅରୂପଙ୍କ ଜାଗାରେ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ଦଳ। ମନ୍ମଥ ବିଜେଡି ପାଇଁ ନୂଆ ଚେହେରା। ନିର୍ବାଚନ ରାଜନୀତିରେ ମଧ୍ୟ ତାଙ୍କର ଅଭିଜ୍ଞତା ନାହିଁ କହିଲେ ଚଳେ। ତେବେ ସେ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ପୁଅ ହୋଇଥିବାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିବା କୁହାଯାଉଛି। କାରଣ ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀ ଆଦି ଅଞ୍ଚଳରେ ସୁରଙ୍କର ଭଲ ସଙ୍ଗଠନ ରହିଛି। ତେଣୁ ବିଜେଡି ସୁର ରାଉତରାୟଙ୍କ ଭୋଟ ବ୍ୟାଙ୍କ ଉପରେ ନଜର ରଖି ମନ୍ମଥଙ୍କୁ ପ୍ରାର୍ଥୀ କରିଥିବା ଚର୍ଚ୍ଚା ହେଉଛି।

ରାଜନୈତିକ ପରିବାରରେ ଜନ୍ମ ହୋଇଥିବାରୁ ମନ୍ମଥ ରାଜନୀତିକୁ ଅତି ପାଖରୁ ଦେଖିଛନ୍ତି। ପ୍ରଥମ ଥର ପାଇଁ ସେ ନିର୍ବାଚନ ଲଢୁଥିଲେ ମଧ୍ୟ ମଇଦାନରେ କିପରି ଗୋଟି ଚାଳନା କରାଯାଏ ତାହା ସେ ଭଲଭାବେ ଜାଣିଛନ୍ତି। ତେବେ ପାଇଲଟରୁ ରାଜନେତା ହୋଇଥିବା ମନ୍ମଥ ଏଥର ବିଜେପି ହାତରୁ କ୍ଷମତା ଛଡ଼ାଇବାରେ ସଫଳ ହେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

ପୁଣି ବାଜି ମାରିବେ କି ଅପରାଜିତା?

୨୦୧୯ ନିର୍ବାଚନ ପୂର୍ବରୁ ଆଇଏଏସ୍ ଚାକିରି ଛାଡ଼ି ପଦ୍ମ ଧରିଥିଲେ ଅପରାଜିତା ଷଡ଼ଙ୍ଗୀ। ପଦ୍ମ ଧରୁ ଧରୁ ଏହି ଫାୟାରବ୍ରାଣ୍ଡ ନେତ୍ରୀଙ୍କୁ ବିଜେପି ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନରୁ ଟିକେଟ ଦେଇଥିଲା। ଆଉ ଅପରାଜିତା ବିଜୟୀ ହୋଇଥିଲେ। ବିଜେଡିର ଅଭେଦ୍ୟ ଦୁର୍ଗକୁ ଭାଙ୍ଗି ସେ ପଦ୍ମ ଫୁଟାଇଥିଲେ। ଏଥର ତାଙ୍କ ଉପରେ ପୁଣି ଭରସା କରିଛି ବିଜେପି। ତେବେ ଗତ ଥର ଭଳି ଏଥର ଅପରାଜିତା ବାଜି ମାରିପାରିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

କାରଣ ଅରାଜିତାଙ୍କ ଆଗରେ ଏବେ ଅନେକ ଆହ୍ୱାନ ରହିଛି। ଗତ ପାଞ୍ଚ ବର୍ଷରେ ଅପରାଜିତା କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ଭୋଟରମାନେ ତା’ର ଏବେ ହିସାବ କରୁଛନ୍ତି। ତା’ଛଡ଼ା ଭୁବନେଶ୍ୱର ଉତ୍ତର, ଜୟଦେବ, ଖୋର୍ଦ୍ଧା ଏବଂ ବୋଲଗଡ଼-ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେପି ନୂଆ ପ୍ରାର୍ଥୀ ଦେଇଛି। ତେଣୁ ଏହି ବିଧାୟକ ପ୍ରାର୍ଥୀମାନଙ୍କ ବଳ ଉପରେ ଅପରାଜିତାଙ୍କ ଭାଗ୍ୟ ନିର୍ଭର କରୁଛି।

କଂଗ୍ରେସର ନୂଆ ଚେହେରା

ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଚେକ୍ ଦେବା ପାଇଁ କଂଗ୍ରେସ ନୂଆ ତଥା ଯୁବ ଚେହେରାଙ୍କୁ ପ୍ରାର୍ଥୀ କରିଛି। ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଉପରେ ଦଳ ଭରସା କରିଛି। ସେ ଯୁବ ଭୋଟରଙ୍କ ମନ ଜିଣିବା ସହ ସଂଖ୍ୟାଲଘୁ ଭୋଟ ପାଇବେ ବୋଲି କଂଗ୍ରେସ ଆଶା ରଖିଛି।

୨୦୧୯ରେ କଂଗ୍ରେସ ଭୁବନେଶ୍ୱର ଲୋକସଭା ଆସନରେ ସିଧାସଳଖ ପ୍ରାର୍ଥୀ ଦେଇନଥିଲା। ସିପିଆଇଏମ୍ ସହ କଂଗ୍ରେସ ମେଣ୍ଟ କରି ଜନାର୍ଦ୍ଦନ ପତିଙ୍କୁ ସମର୍ଥନ କରିଥିଲା। ଜନାର୍ଦ୍ଦନ ପତି ମେଣ୍ଟ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଭଲ ଭୋଟ ପାଇନଥିଲେ। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସିନେ ତାରକା ବିଜୟ ମହାନ୍ତି ଯେତିକି ଭୋଟ ପାଇଥିଲେ ତା’ଠୁ ବହୁତ କମ୍ ଭୋଟ ପାଇଥିଲେ ଜନାର୍ଦ୍ଦନ। କଂଗ୍ରେସ ଭୋଟ ବିଜେପି ଆଡ଼କୁ ଯାଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏଥର କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ କରିଥିବାରୁ ସେ ଭଲ ପ୍ରଦର୍ଶନ କରିବେ ବୋଲି ଚର୍ଚ୍ଚା ହେଉଛି।

ବିଜେଡି ଓ ବିଜେପିର ପାୱାର ସୋ

ଭୁବନେଶ୍ୱର ଲୋକସଭା ଆସନ ବର୍ତ୍ତମାନ ବିଜେଡି ଏବଂ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଏହାକୁ ହାତେଇବା ଲାଗି ଏହି ଦୁଇ ଦଳ ପ୍ରଚାର ଅଭିଯାନକୁ ଜୋରଦାର କରୁଛନ୍ତି। ଭୁବନେଶ୍ୱର ସହର ସହିତ ୭ଟି ବିଧାନସଭା ଆସନରେ ବିଜେଡି ଓ ବିଜେପିର ହେଭିୱେଟ ନେତାମାନେ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗୁଛନ୍ତି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରୋଡ୍ ସା’ କରି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ସେହିପରି ଫାଇଭ୍‌-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଖୋର୍ଦ୍ଧା, ବୋଲଗଡ଼-ବେଗୁନିଆ ଏବଂ ଭୁବନେଶ୍ୱରରେ ସମାବେଶ ଓ ରୋଡ୍ ସୋ’ କରି ପ୍ରଚାରକୁ ସରଗରମ କରିଛନ୍ତି।

ପ୍ରଚାର ମଇଦାନରେ ବିଜେପି ବି ପଛରେ ପଡ଼ିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ରାମ ମନ୍ଦିରରୁ ବାଣୀବିହାର ଛକ ଯାଏଁ ରୋଡ୍ ସୋ’ କରିଥିଲେ। ଏକାମ୍ର ଅଞ୍ଚଳରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ବିଜେଡି ଓ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ଏହି ପାୱାର ସୋ’ ସ୍ପଷ୍ଟ କରୁଛି ଯେ, ଭୁବନେଶ୍ୱର ଲୋକସଭା ଆସନକୁ ହାତଛଡ଼ା କରିବାକୁ କେହି ଚାହୁଁ ନାହାନ୍ତି।

ଭୁବନେଶ୍ୱରର ଭୋଟ ଗଣିତ

ଭୁବନେଶ୍ୱର ଲୋକସଭା ଆସନ ଅଧୀନରେ ରହିଛି ୭ଟି ବିଧାନସଭା କ୍ଷେତ୍ର। ଏକାମ୍ର ଭୁବନେଶ୍ୱର, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଜୟଦେବ, ଜଟଣୀ, ବେଗୁନିଆ ଏବଂ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀକୁ ନେଇ ଗଠିତ ଏହି ଲୋକସଭା ଆସନ। ୨୦୧୯ରେ ୬ଟି ଆସନ ବିଜେଡି ଖାତାକୁ ଯାଇଥିଲା। କେବଳ ଜଟଣୀ ଆସନରେ କଂଗ୍ରେସ ନେତା ସୁରେଶ ରାଉତରାୟ ଜିତିଥିଲେ। ଏଥର ବିଜେଡି ଓ ବିଜେପି ଏହି ଆସନଗୁଡ଼ିକୁ ଦଖଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ କେତେକ ଆସନରେ ପ୍ରାର୍ଥୀ ଅଦଳ ବଦଳ କରିଛନ୍ତି ଉଭୟ ଦଳ।

ଭୁବନେଶ୍ୱରର ତିନୋଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ବଦଳାଇ ନାହିଁ। ପୁରୁଣା ମୁହଁକୁ ପୁଣିଥରେ ଟିକେଟ ଦେଇଛି। ବିଜେପି ଦୁଇଟି ଆସନରେ ପୁରୁଣା ପ୍ରାର୍ଥୀ ଦେଇଥିବା ବେଳେ ଭୁବନେଶ୍ୱର ଉତ୍ତର ଆସନରେ ପ୍ରାର୍ଥୀ ବଦଳାଇଛି। ଏଠାରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପ୍ରିୟଦର୍ଶି ମିଶ୍ରଙ୍କୁ ଟିକେଟ ଦେଇଛି ବିଜେପି। ସେହିପରି ଜୟଦେବ ଆସନରେ ୨୦୧୯ରେ ବିଜୟୀ ହୋଇଥିବା ଅରବିନ୍ଦ ଢାଲି ଏଥର ବିଜେପିରେ ଯୋଗ ଦେଇ ଟିକେଟ ନେଇଛନ୍ତି। ବିଜେଡି ସେଠି ନୂଆ ମୁହଁକୁ ପ୍ରାର୍ଥୀ କରିଛି।

ସେହିପରି ଖୋର୍ଦ୍ଧାରେ ବିଜେପି ଓ ବିଜେଡି ପ୍ରାର୍ଥୀ ବଦଳାଇଛନ୍ତି। ୨୦୧୯ରେ ବେଗୁନିଆ ଆସନରୁ ଜିତିଥିବା ରାଜେନ୍ଦ୍ର ସାହୁଙ୍କୁ ବିଜେଡି ଖୋର୍ଦ୍ଧାରେ ପ୍ରାର୍ଥୀ କରିଛି। ସେହିପରି ବିଜେପି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ ଦେଇଛି। ପ୍ରଶାନ୍ତ ଆଗରୁ ବିଜେଡି ଟିକେଟରେ ବେଗୁନିଆ ଓ ଚିଲିକା ବିଧାନସଭା ଆସନରୁ ଲଢ଼ି ବିଧାୟକ ହୋଇଥିଲେ। ଏଥର ଖୋର୍ଦ୍ଧାରେ ପ୍ରଶାନ୍ତ ଓ ରାଜେନ୍ଦ୍ରଙ୍କ ଭିତରେ ବଡ଼ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି।

ବେଗୁନିଆରେ ବିଜେଡି ଓ ବିଜେପି ପ୍ରାର୍ଥୀ ବଦଳାଇଛନ୍ତି। ବିଜେଡି ପ୍ରଦୀପ ସାହୁ ଏବଂ ବିଜେପି ପ୍ରକାଶଚନ୍ଦ୍ର ରଣବିଜୁଳିଙ୍କ ଟିକେଟ ଦେଇଛି। ସେହିପରି କଂଗ୍ରେସ ମଧ୍ୟ ବିଭିନ୍ନ ଆସନରେ ପ୍ରାର୍ଥୀ ବଦଳାଇ ଭୋଟ ନେବାକୁ ଅଙ୍କ କଷୁଛି। ବିଧାନସଭା ଫଳାଫଳ ଉପରେ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଥିବାରୁ ତୃଣମୂଳ ସ୍ତରରେ ପ୍ରଚାର ମଇଦାନ କମ୍ପୁଛି।

ମେ’ ୨୫ ତାରିଖରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଭୋଟଗ୍ରହଣ ହେବ। ପୁଣି କାହାକୁ ୫ ବର୍ଷ ପାଇଁ ନିଜର ପ୍ରତିନିଧି ବାଛି ଦିଲ୍ଲୀ ପଠାଇବେ ଭୁବନେଶ୍ୱର ଭୋଟର ତାହା ଉପରେ ଏବେ ସମସ୍ତଙ୍କ ନଜର।

Tags: #Politics #OdishaPolitics #BhubaneswarLokSabhaElection2024 #BJD #BJP #Congress #OdishaAssemblyElections2024

Comment