ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିଜେଡି ସରକାର ଗଠନ କଲେ ଯୁବପିଢ଼ିଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ୍ ଆଣିବ। ଯୁବବର୍ଗଙ୍କ ବିକାଶ ପାଇଁ ଆଗାମୀ ୧୦ ବର୍ଷରେ ଏହି ଅର୍ଥ ଖର୍ଚ୍ଚ ହେବ। ନିର୍ବାଚନ ପ୍ରଚାର ମଧ୍ୟରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ଏଠାରେ ବିଜେଡି ଓ ବିଜେପିର ନିର୍ବାଚନୀ ଇସ୍ତାହାରରେ ଯୁବପିଢ଼ିଙ୍କ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକ ମଧ୍ୟରେ ଏକ ତୁଳନାତ୍ମକ ବିବରଣୀ ପ୍ରଦାନ କରିଥିଲେ।

“ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପିଢିଙ୍କ ଦ୍ଵାରା ବିକଶିତ ଓଡ଼ିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତିl ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ୧ ଲକ୍ଷ କୋଟି ଟଙ୍କାର ଯୁବ ବଜେଟ୍ ଆଣିବ। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ହିସାବରେ ଆଗାମୀ ୧୦ ବର୍ଷ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ରଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ କରାଯିବ”, କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟର ଯୁବବର୍ଗଙ୍କୁ ବିଶ୍ଵସ୍ତରୀୟ ସୁବିଧା ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ରୋଜଗାର ବୃଦ୍ଧି ପାଇଁ ଏଥିରେ ଯୋଜନା ରହିଛି। ସେହି କ୍ରମରେ ସ୍କୁଲ ରୂପାନ୍ତରଣ, କଲେଜ ରୂପାନ୍ତରଣ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ରାଜ୍ୟର ୮୦୦୦ ସ୍କୁଲ ଏବଂ ୧୦୦୦ କଲେଜର ମଧ୍ୟ ରୂପାନ୍ତରଣ କରାଯାଇଛି। ୨୦୩୬ ମସିହାରେ ଓଡ଼ିଶାକୁ ୧୦୦ ବର୍ଷ ହେବା ପୂର୍ବରୁ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।”

ସେହିପରି ନୂଆ ‘ଓ’ ଛାତ୍ରବୃତ୍ତି ଝିଅମାନଙ୍କ ପାଇଁ ବାର୍ଷିକ ୧୪ ହଜାର ଟଙ୍କା ଏବଂ ପୁଅମାନଙ୍କ ପାଇଁ ବାର୍ଷିକ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଆଗାମୀ ୫ ବର୍ଷରେ ରାଜ୍ୟର ଯୁବକ ଯୁବତୀଙ୍କୁ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦେବାକୁ ଯୋଜନା ରଖାଯାଇଛି। ଏହାସହ ଓଡ଼ିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଭଳି ବିଜେଡି ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କାର୍ତ୍ତିକ ପାଣ୍ଡିଆନ ଏଠାରେ ଦୋହରାଇଥିଲେ।

ବିଜେଡି ନିଜ ନିର୍ବାଚନୀ ଇସ୍ତାହାରରେ ଯୁବପିଢ଼ିଙ୍କ ବିକାଶ ପାଇଁ ୫-ଟି ଗ୍ୟାରେଣ୍ଟି ଦେଇଥିବାବେଳେ ବିଜେପି ନିଜ ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ ବିଶେଷ କିଛି ଘୋଷଣା କରିନଥିବା କାର୍ତ୍ତିକ ପାଣ୍ଡିଆନ କହିଥିଲେ। ଏହି ଅବସରରେ ସେ ଚଳିତ ନିର୍ବାଚନରେ ବିଜେଡିକୁ ଭୋଟ୍ ଦେବାପାଇଁ ଯୁବବର୍ଗଙ୍କୁ ନିବେଦନ କରିଥିଲେ।    

Tags: #KartikPandian #BJDManifesto #Youth #OdishaAssemblyElection2024 #Odisha

LEAVE A REPLY

Please enter your comment!
Please enter your name here