ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି, ବୁଧବାର ଦିନ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢ଼ିବ ବିଜେପି। ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି।

ଜାଣନ୍ତୁ କେଉଁ ବାଟ ଦେଇ କେଉଁଠିକୁ ଯିବେ?

ଜୁନ ୧୨ ତାରିଖ ଦିନ ୨ଟାରୁ ସନ୍ଧ୍ୟା ଶପଥ ଗ୍ରହଣ ଉତ୍ସବ ଶେଷ ହେବା ପର୍ଯ୍ୟନ୍ତ ଜୟଦେବ ବିହାର ଛକଠାରୁ ନାଲକୋ ଛକ ଏବଂ ନାଲକୋ ଛକଠାରୁ ଜୟଦେବ ବିହାର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତାରେ କୌଣସି ଯାନବାହନ ଯାତାୟତ କରିପାରିବ ନାହିଁ।

କଟକ ପଟୁ ଆସୁଥିବା ବସଗୁଡ଼ିକ ରସୁଲଗଡ଼ ରେଳ ଓଭରବ୍ରିଜଠାରୁ ସର୍ଭିସ ରୋଡରେ ଆସି ବାଣୀବିହାର ଛକ ହୋଇ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ପହଞ୍ଚିବ। ସେଠାରୁ ଡାହାଣକୁ ମୋଡ଼ି ଆପୋଲୋ ହସ୍ପିଟାଲ ରାସ୍ତା ହୋଇ ଓଏସଏପି ସପ୍ତମ ବିଏନ ପଡ଼ିଆ ଗେଟ ସମ୍ମୁଖରେ ପହଞ୍ଚିବେ। ସେଠାରେ ଯାତ୍ରୀଙ୍କୁ ଓହ୍ଲାଇବା ପରେ କଳିଙ୍ଗ ହସ୍ପିଟାଲ ଛକଠାରୁ ରେଲଓ୍ଵେ କଲୋନୀ ଗୋଲେଇ ଛକ ହୋଇ ଉତ୍କଳ ହସ୍ପିଟାଲ ଏବଂ ହାତୀଆଶୁଣି ଛକ ରାସ୍ତାରେ ଏକ ଲାଇନରେ ପାର୍କିଂ କରିପାରିବେ।

ସେହିପରି ଖୋର୍ଦ୍ଧା ଆଡ଼ୁ ଆସୁଥିବା ବସଗୁଡ଼ିକ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଅତିକ୍ରମ କରି ସର୍ଭିସ ରୋଡ଼, ଆଚାର୍ଯ୍ୟ ବିହାର ଛକରୁ ବାମକୁ ମୋଡ଼ି ଆପୋଲୋ ହସ୍ପିଟାଲ ହୋଇ ଓଏସଏପି ସପ୍ତମ ବିଏନ ପଡ଼ିଆ ଗେଟ ସମ୍ମୁଖରେ ଯାତ୍ରୀଙ୍କୁ ଓହ୍ଲାଇବେ। ଏହା ପରେ ଗାଡ଼ିଗୁଡ଼ିକ ନାଲକୋ ଛକ କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲଓ୍ଵେ କଲୋନୀ ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତୀଆଶୁଣୀ ଛକ ରାସ୍ତାରେ ଏକ ଲାଇନରେ ପାର୍କିଂ କରିପାରିବେ।

ନନ୍ଦନକାନନ ପଟୁ ଆସୁଥିବା ବସଗୁଡ଼ିକ ଓମଫେଡ ଛକରୁ ବାମ ମୋଡ଼ରେ ଏମସିଏଲ ଅତିଥି ଭବନ ଯାଏଁ ପହଞ୍ଚିବେ। ସେଠାରୁ ଡାହାଣକୁ ମୋଡି ଓଏସଏପି ସପ୍ତମ ବିଏନ ପଡ଼ିଆ ଗେଟ ପାଖରେ ଯାତ୍ରୀଙ୍କୁ ଓହ୍ଲାଇବା ପରେ ଗାଡ଼ିଗୁଡ଼ିକୁ ନାଲକୋ ଛକରୁ କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲଓ୍ଵେ କଲୋନୀ ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତୀଆଶୁଣି ଛକ ରାସ୍ତାରେ ଏକ ଲାଇନରେ ପାର୍କିଂ କରିପାରିବେ।

କଟକ ପଟୁ ଆସୁଥିବା ଚାରି ଚକିଆ ଯାନଗୁଡ଼ିକ ରସୁଲଗଡ଼ ରେଲଓ୍ଵେ ଓଭର ବ୍ରିଜଠାରୁ ସର୍ଭିସ ରୋଡ ହୋଇ ବାଣୀବିହାର ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଆସିବେ। ସେଠାରୁ ଡାହାଣକୁ ମୋଡ଼ି ଆପୋଲୋ ହସ୍ପିଟାଲ ରାସ୍ତା ଦେଇ ଦୂରଦର୍ଶନ ଲେନରେ ଯାତ୍ରୀଙ୍କୁ ଓହ୍ଲାଇବା ପରେ ସୈନିକ ସ୍କୁଲ କ୍ୟାମ୍ପସରେ ଗାଡ଼ି ପାର୍କିଂ କରିପାରିବେ।

ସେହିପରି ନନ୍ଦନକାନନ ପଟୁ ଆସୁଥିବା ଚାରି ଚକିଆ ଯାନଗୁଡ଼ିକ ନାଲକୋ ଛକରୁ ବାମକୁ ମୋଡ଼ି ସପ୍ତମ ବାଟାଲିୟନ ପଡ଼ିଆ ଗେଟ ନିକଟରେ ଯାତ୍ରୀଙ୍କୁ ଓହ୍ଲାଇବା ପରେ ଗାଡ଼ିଗୁଡ଼ିକୁ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ।

ଯାତ୍ରୀମାନେ ଓଏସଏପି ସପ୍ତମ ବିଏନ ପଡ଼ିଆ ଗେଟ ପାଖରେ ଓହ୍ଲାଇବା ପରେ ବାଟାଲିୟନ କ୍ୟାମ୍ପସ ଭିତର ରାସ୍ତା ଦେଇ ଇଗ୍ନୋ ଗେଟ ପାଖରେ ପହଞ୍ଚିବେ। ସେଠାରୁ ଡାହାଣକୁ ମୋଡ଼ି ସର୍ଭେ ଅଫ ଇଣ୍ଡିଆ ଅଫିସ ପାଖରେ ପହଞ୍ଚି ସେଠାରୁ ବାମକୁ ମୋଡ଼ି ଜନତା ମଇଦାନର ୩ ନମ୍ବର ଗେଟରେ ପ୍ରବେଶ କରିପାରିବେ।

ସେହିପରି ଯାତ୍ରୀମାନେ ଦୂରଦର୍ଶନ ଲେନରେ ଓହ୍ଲାଇବା ପରେ ଓ୍ଵାଇ ଜଙ୍କସନରୁ ବାମକୁ ମୋଡ଼ି ଆଇଆଇଟି ବିଲଡିଙ୍ଗଠାରୁ ଡାହାଣକୁ ମୋଡି ୧୦୦ ମିଟର ଯିବା ପରେ ବାମକୁ ମୋଡ଼ି ଜନତା ମଇଦାନର ୬ ନମ୍ବର ଗେଟରେ ପ୍ରବେଶ କରିପାରିବେ।

ଦିନ ଦୁଇଟାରୁ ଶପଥ ଗ୍ରହଣ ଉତ୍ସବ ଶେଷ ହେବା ପର୍ଯ୍ୟନ୍ତ ଜୟଦେବ ବିହାରଛକଠାରୁ ନାଲକୋ ଛକ ମଧ୍ୟରେ କୌଣସି ଗାଡ଼ି ଚଳାଚଳ କରିପାରିବ ନାହିଁ। ଏହାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାକୁ ସିଲ୍ କରାଯିବ। ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ପୋଲିସ ଛାଉଣି ହେବେ।

Tags: #Politics #OdishaPolitics #OdishaAssemblyElection2024 #OdishaElections2024 #CMofOdisha #OathTakingCeremony #BJP #Odisha #TrafficAdvisory

LEAVE A REPLY

Please enter your comment!
Please enter your name here