ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ମେ’ ୨୬ ତାରିଖ ରବିବାର ଦିନ ପ୍ରକାଶ ପାଇବ ୨୦୨୪ ମାଟ୍ରିକ ପରୀକ୍ଷା ଫଳ। ମାଟ୍ରିକ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ରେଜଲ୍ଟ ମଧ୍ୟ ଏହି ଦିନ ପ୍ରକାଶ ପାଇବ। ରବିବାର ସକାଳ ୧୦ଟା ୩୦ ସମୟରେ କଟକ ବୋର୍ଡ ଅଫିସରେ ରେଜଲ୍ଟ ବାହାରିବ। ଏହାପରେ ଦିନ ୧୧ଟା ୩୦ବେଳେ ଛାତ୍ରଛାତ୍ରୀମାନେ ଅନଲାଇନରେ ସେମାନଙ୍କର ରେଜଲ୍ଟ ଜାଣିପାରିବେ। ଏନେଇ ଶୁକ୍ରବାର ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି।

ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.inକୁ ଯାଇ ନିଜର ମାଟ୍ରିକ ରେଜଲ୍ଟ ଜାଣିପାରିବେ। ଏହାଛଡ଼ା ଇଣ୍ଟରନେଟ୍‌ ସୁବିଧା ନଥିଲେ ଛାତ୍ରଛାତ୍ରୀମାନେ ଏସଏମଏସ୍‌ ଜରିଆରେ ମାଟ୍ରିକ୍ ରେଜଲ୍ଟ ଜାଣିପାରିବେ। ଛାତ୍ରଛାତ୍ରୀମାନେ ମୋବାଇଲରୁ OR୧୦ ଏବଂ ନିଜ ରୋଲ ନମ୍ବରକୁ ଟାଇପ କରି ୫୬୭୬୭୫୦କୁ ପଠାଇଲେ ପରୀକ୍ଷା ଫଳ ଜାଣିପରିବେ।

ସେହିପରି ରବିବାର ଅପରାହ୍ଣ ୪ଟା ସମୟରେ ସେମାନେ ନିଜ ନିଜ ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିପାରିବେ। ଏହା ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ। ସେହିପରି BSE/Hi ଟାଇପ୍ କରି ୭୭୧୦୦୫୮୧୯୨ରେ ହ୍ଵାଟ୍ସଆପ କରି ମଧ୍ୟ ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ। ଅନ୍ୟପଟେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ପରୀକ୍ଷାର୍ଥୀମାନେ ଖାତା ରିଚେକିଂ ଓ ରିଆଡିସନ ପାଇଁ ଆବେଦନ କରିପାରିବେ।

ଏହାବ୍ୟତୀତ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ବୋର୍ଡ ପକ୍ଷରୁ କରାଯାଇଥିବା କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିପାରିବେ। ଏଥିପାଇଁ ‘୮୭୬୩୪୪୬୨୯୨’ ଓ ‘୯୪୩୭୨୨୮୧୮୭’ ନମ୍ବରରେ ଫୋନ କଲେ ସେମାନଙ୍କୁ ସହଯୋଗ କରାଯିବ।

ଓଡ଼ିଶାରେ ଚଳିତବର୍ଷ ଫେବ୍ରୁଆରି ୧୬ ତାରିଖରୁ ମାର୍ଚ୍ଚ ୪ ତାରିଖ ଯାଏଁ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ରାଜ୍ୟର ୩,୦୪୭ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଏହାପରେ ମାର୍ଚ୍ଚ ୧୫ ତାରିଖରୁ ମାଟ୍ରିକ ଖାତାଦେଖା ହୋଇଥିଲା। ଏଥିପାଇଁ ୫୫ଟି ମୂଲ୍ୟାୟନ କେନ୍ଦ୍ର କରଯାଇଥିଲା। ଏହି ଖାତାଦେଖାରେ ପ୍ରାୟ ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ।

Tags: #MatricExamResult #Students #Education #BSEOdisha

LEAVE A REPLY

Please enter your comment!
Please enter your name here