ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରୀୟ ଓଡ଼ିଶାର ପ୍ରମୁଖ ଆସନ ଅନୁଗୁଳ। ଗତ ୫ଟି ପାଳିରୁ ବିଜେଡି ଦଖଲରେ ରହିଛି ଏହି ବିଧାନସଭା କ୍ଷେତ୍ର। ଏହା ସହିତ ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏଠାରେ ବିଜେଡି କରିଥିଲା ଭଲ ପ୍ରଦର୍ଶନ। ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୪ଟି ଯାକ ଜୋନରେ ଦଳ ବାଜି ମାରିଥିଲା। ଏଥର ଏଠାରେ ବିଜେପି ବିଜେଡିକୁ କଡ଼ା ଟକ୍କର ଦେବାର ସମ୍ଭାବନା ରହିଛି।

ଚଳିତ ନିର୍ବାଚନରେ ଅନୁଗୁଳରୁ ବିଜେଡି ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରାର୍ଥୀଙ୍କୁ ମଇଦାନରେ ଓହ୍ଲାଇଛି। ବିଜେଡିରୁ ସଂଯୁକ୍ତା ସିଂହ ପ୍ରାର୍ଥୀ ହୋଇଛନ୍ତି। ସେହପରି ବିଜେପିରୁ ପ୍ରତାପ ପ୍ରଧାନ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଅମ୍ବିକା ପ୍ରସାଦ ଭଟ୍ଟଙ୍କୁ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି।

ସ୍ଵାମୀ ବଦଳରେ ସ୍ତ୍ରୀଙ୍କୁ ଟିକଟ

ଅନୁଗୁଳ ବିଧାନସଭା ଆସନରେ ବିଜେଡିର ଦବଦବା ରହିଛି। ଲଗାତାର ୪ଥର ଏ ଆସନରୁ ଜିତିଥିଲେ ମଧ୍ୟ ରଜନୀକାନ୍ତ ସିଂହଙ୍କୁ ଏଥର ଭରସା କରିନି ଦଳ। ହେଲେ ତାଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ଦଳ ପ୍ରାର୍ଥୀ କରିଛି।

ଗୋଟିଏ ପଟେ ରଜନୀକାନ୍ତଙ୍କ ରାଜନୈତିକ ଅନୁଭବ ଓ ଅନ୍ୟପଟେ ମହିଳା କାର୍ଡକୁ ଭରସା କରିଛି ବିଜେଡି। ନିର୍ବାଚନର ତାରିଖ ଘୋଷଣାର କିଛି ମାସ ପୂର୍ବରୁ ରଜନୀଙ୍କ ବିରୋଧରେ ଦଳର ଗୋଟେ ଗୋଷ୍ଠୀ ଲବି ଚଲାଇଥିଲେ ମଧ୍ୟ ସଂଯୁକ୍ତାଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ସଂଯୁକ୍ତାଙ୍କୁ ପରିବାରରୁ ମିଳିଛି ନିର୍ବାଚନୀ ତାଲିମ

ସଂଯୁକ୍ତା ନିର୍ବାଚନୀ ରାଜନୀତିରେ ନୂଆ, କିନ୍ତୁ ରାଜନୈତିକ ପରିବାରରୁ ଆସୁଥିବାରୁ ନିର୍ବାଚନ ଅଙ୍କକଷାରେ ତାଙ୍କର ବେଶ୍ ଅନୁଭବ ରହିଛି। ରାଜ୍ୟରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଥିବାରୁ ମହିଳା ପ୍ରାର୍ଥୀ ସଂଯୁକ୍ତାଙ୍କ ସପକ୍ଷରେ ଭୋଟ ଯାଇପାରେ ବୋଲି ଆଶା ରଖିଛି ଶାସକ ଦଳ।

ଜିତିଲେ ହେବେ ଜିଲ୍ଲାର ପ୍ରଥମ ମହିଳା ବିଧାୟକ

ଅନୁଗୁଳ ଜିଲ୍ଲାରୁ କେବେ ବି କୌଣସି ମହିଳା ବିଧାନସଭାକୁ ନିର୍ବାଚିତ ହୋଇନାହାନ୍ତି। ଯଦି ସଂଯୁକ୍ତା ଜିତନ୍ତି ତେବେ ପ୍ରଥମ ମହିଳା ବିଧାୟକ ହେବେ। କିନ୍ତୁ ଦଳରେ ଥିବା ଅସନ୍ତୋଷକୁ ସନ୍ତୁଷ୍ଟ କରି ସବୁ ପକ୍ଷଙ୍କୁ ନିଜ ସମର୍ଥନରେ ଆଣିବା ସଂଯୁକ୍ତା ଓ ରଜନୀଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇପାରେ। ୨ ପିଢ଼ି ଧରି ଅନୁଗୁଳକୁ ଦଖଲରେ ରଖିଥିବା ଏହି ପରିବାର ବାହାରୁ ଆଉ କାହାକୁ ଟିକଟ ମିଳୁ ବୋଲି ଚାପ ପଡୁଥିଲା। ହେଲେ ହାଇକମାଣ୍ଡ ରଜନୀଙ୍କ ପରିବାର ଉପରେ ଆସ୍ଥା ରଖିଛନ୍ତି।

ବିଜେପିରୁ ପ୍ରତାପ, କଂଗ୍ରେସରୁ ଅମ୍ବିକା

ଅନୁଗୁଳରେ ପ୍ରତାପ ପ୍ରଧାନ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ସେ ଜଣେ ପୁରୁଣା ନେତା। ୨୦୧୪ରେ ସେ କଂଗ୍ରେସରୁ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ। ୨୦୧୯ ନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଓ ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେଇଥିଲେ।

ଅନୁଗୁଳ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେଇଥିବା ଅମ୍ବିକା ପ୍ରସାଦ ଭଟ୍ଟଙ୍କୁ ଦଳ ପ୍ରାର୍ଥୀ କରିଛି। ଗତ ୧୯୯୦ରୁ କଂଗ୍ରେସ ଦଳର ବିଭିନ୍ନ ପଦରେ ଥିବା ଅମ୍ବିକା ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାର ସୁଯୋଗ ପାଇଛନ୍ତି। କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ପରେ ବିପ୍ଳବ ଜେନା ଏବେ ବିଜେଡି ଶିବିରରେ। ତେଣୁ କିଛି ପରିମାଣରେ କଂଗ୍ରେସ ଭୋଟ ବିଜେଡି ଖାତାକୁ ଯିବାର ସମ୍ଭାବନା ଦେଖୁଛନ୍ତି ରାଜନୀତି ସମୀକ୍ଷକ।

ଅନୁଗୁଳରେ କଂଗ୍ରେସ ଖସିଛି, ବିଜେପି ଉଠିଛି

କଂଗ୍ରେସ ଅନୁଗୁଳରେ କଡ଼ା ଟକ୍କର ଦେଉଥିଲେ ମଧ୍ୟ ଗତ ନିର୍ବାଚନରେ ଅତି ଦୁର୍ବଳ ପ୍ରଦର୍ଶନ କରିଥିଲା। ହେଲେ ବିଜେପି ଧୀରେ ହେଉ ପଛେ ପ୍ରତି ନିର୍ବାଚନରେ ଭୋଟ ପ୍ରତିଶତ ବଢ଼ାଇବାରେ ସଫଳ ହୋଇଛି। ପାରମ୍ପରିକ ଭୋଟ ଧୀରେଧୀରେ ଅନ୍ୟ ଦଳକୁ ଯିବା କଂଗ୍ରେସକୁ ଦୁର୍ବଳ କରୁଛି।

୨୦୦୯ରେ ବିଜେଡି ସହ ମେଣ୍ଟ ଭାଙ୍ଗିବା ପରେ ଏଠାରୁ ବିଜେପି ପ୍ରାର୍ଥୀ ଦେଇଥିଲା। ସେ ବର୍ଷ ବିଜେପି ମାତ୍ର ୯.୫୦ ପ୍ରତିଶତ ଭୋଟ୍ ପାଇଥିଲା। କିନ୍ତୁ ୨୦୧୪ରେ ବିଜେପି ପ୍ରାର୍ଥୀ ୧୩.୧୯ ପ୍ରତିଶତ ଓ ୨୦୧୯ରେ ୩୫.୭୮ ପ୍ରତିଶତ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନକୁ ଉଠିଥିଲେ। ୨୦୧୯ରେ ବିଜେପି ଓ ବିଜେଡି ମଧ୍ୟରେ ମୁକାବିଲା ହୋଇଥିଲା।

ତେବେ ପୁରୁଣା କଂଗ୍ରେସ କର୍ମୀଙ୍କୁ ଏକାଠି କରିବାରେ କଂଗ୍ରେସ ପ୍ରାର୍ଥୀ ସଫଳ ହେଲେ ଏହା ଦଳ ପାଇଁ ଲଢ଼େଇରେ ରହିବାର ସମ୍ଭାବନା ବୃଦ୍ଧି କରିବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି।

Tags: #OdishaAssemblyElections #AngulAssemblyseat #SanjuktaSingh #PratapPradhan #AmbikaPrasadBhatt #BJD #BJP #Congress #Politics #Odisha

LEAVE A REPLY

Please enter your comment!
Please enter your name here