ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଟକ ଲୋକସଭା ଆସନ ପାଇଁ ଏଥର ହେବ ହାଇପ୍ରୋଫାଇଲ୍ ଲଢ଼େଇ, ପୁଣି ବିଜେଡି ବାଜି ମାରିବ ନା ବିଜେପିକୁ ସୁଯୋଗ ମିଳିବ, କେମିତି ରହିବ କଂଗ୍ରେସର ପ୍ରଭାବ?

ଉପକୂଳ ଓଡ଼ିଶାର ଏକ ପ୍ରମୁଖ ଆସନ ହେଉଛି କଟକ ଲୋକସଭା ଆସନ। ରାଜ୍ୟ ରାଜନୀତିର ଏକ ହାଇଭୋଲଟେଜ୍ ସିଟ୍। ଚଳିତ ନିର୍ବାଚନରେ ଏହି ଆସନରେ ରୋଚକ ଲଢ଼େଇ ହେବାକୁଯାଉଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ମଧ୍ୟରେ ଏଥର ଦେଖିବାକୁ ମିଳିବ କଡ଼ା ଟକ୍କର। ତେବେ, ଭୋଟର ଏଥର କଟକ ଲୋକସଭା ଆସନରୁ କାହାକୁ ଦିଲ୍ଲୀ ପଠାଉଛନ୍ତି ତା’ଉପରେ ସମସ୍ତଙ୍କ ନଜର ଅଟକିଛି।

କିଏ ଜିତିବ କଟକ ବାଜି?

କଟକ ଦେଖିବ ଏଥର ହାଇପ୍ରୋଫାଇଲ୍ ଟକ୍କର। କାରଣ, ତିନି ପ୍ରମୁଖ ଦଳ ପ୍ରାର୍ଥୀ ବଦଳାଇଛନ୍ତି। ବିଜେଡି ଛାଡ଼ିଥିବା ଭର୍ତ୍ତୃହରି ମହତାବଙ୍କୁ ବିଜେପି ପ୍ରାର୍ଥୀ କରିଛି। ସେହିପରି ବିଜେଡି କର୍ପୋରେଟ୍ ଜଗତର ପରିଚିତ ଚେହେରା ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ କଂଗ୍ରେସ ଏଥର ସୁରେଶ ମହାପାତ୍ରଙ୍କୁ ଟିକେଟ୍ ଦେଇଛି।

କଟକ ଲୋକସଭା ଆସନ ବିଜେଡିର ଗଡ଼ ଥିଲା। ଏଥର କିନ୍ତୁ ବିଜେଡି ଓ ବିଜେପି ଭିତରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। କଂଗ୍ରେସ ତୃତୀୟ ସ୍ଥାନରେ ରହିବ ବୋଲି ଚର୍ଚ୍ଚା ହେଉଛି।

କଟକରେ ପରିବର୍ତ୍ତନ ଆଣିବେ କି ଭର୍ତ୍ତୃହରି?

ଭର୍ତ୍ତୃହରି ମହତାବ କଟକ ରାଜନୀତିର ଜଣେ ଜଣାଶୁଣା ଚେହେରା। ୧୯୯୮ରୁ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଲଗାତାର ୬ଥର ବିଜେଡି ଟିକେଟରୁ କଟକ ଲୋକସଭା ଆସନରୁ ସେ ଜିତି ଆସିଛନ୍ତି। ହେଲେ ଏଥର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ଭର୍ତ୍ତୃହରି ବିଜେଡି ଶିବିର ଛାଡ଼ି ବିଜେପି କ୍ୟାମ୍ପରେ ଯୋଗଦେଇ ପ୍ରାର୍ଥୀ ହୋଇଛନ୍ତି। ସବୁଠାରୁ ବଡ଼କଥା ହେଉଛି, ଯେଉଁ ବିଜୁ ଜନତା ଦଳରୁ ଛଅ ଛଅ ଥର ସେ ଲୋକସଭାକୁ ଯାଇଥିଲେ, ଆଜି ସେହି ଦଳର ପ୍ରମୁଖ ବିରୋଧୀ ହୋଇଛନ୍ତି ଭର୍ତ୍ତୃହରି। ସମାନ ପ୍ରାର୍ଥୀ, ସମାନ ଆସନ କେବଳ ଚିହ୍ନ ବଦଳିଛି।

ଲୋକସଭା ନିର୍ବାଚନ ଲଢ଼ିବାରେ ଭର୍ତ୍ତୃହରିଙ୍କର ଦୀର୍ଘ ୨୬ ବର୍ଷର ଅଭିଜ୍ଞତା ରହିଛି। ତେଣୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଭର୍ତ୍ତୃହରି ଏଥର କିପରି ନିର୍ବାଚନ ବୈତରଣୀ ପାର୍ ହେଉଛନ୍ତି ତାହା ଦେଖିବାର କଥା।

ସଂତୃପ୍ତଙ୍କୁ ସୁଯୋଗ ଦେବେ କି କଟକ ଭୋଟର?

ଡକ୍ଟର ସଂତୃପ୍ତ ମିଶ୍ର ଭାରତୀୟ କର୍ପୋରେଟ୍ ଜଗତର ଜଣେ ପରିଚିତ ଚେହେରା। କର୍ପୋରେଟ କ୍ଷେତ୍ରରେ ବଡ଼ ବଡ଼ ପଦ ପଦବୀରେ ରହି ସେ ନିଜର ନେତୃତ୍ୱ ଦକ୍ଷତା ଦେଖାଇଛନ୍ତି। ବିଜୁ ଜନତା ଦଳ ଏଥର କଟକ ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିଛି।

ପୂର୍ବରୁ ସଂତୃପ୍ତ ମିଶ୍ର ଏକାମ୍ର କ୍ଷେତ୍ର ପ୍ରକଳ୍ପର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ରହିଥିଲେ। ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ତାଙ୍କୁ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଥିଲା ବିଜେଡି। ଏବେ ତାଙ୍କୁ କଟକ ଭଳି ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନରେ ଦଳ ପ୍ରାର୍ଥୀ କରିଛି। କଟକ ଲୋକସଭା କ୍ଷେତ୍ରରେ ବିଜେଡି ସରକାର ପକ୍ଷରୁ ହୋଇଥିବା ବ୍ୟାପକ ଉନ୍ନୟନ କାର୍ଯ୍ୟକ୍ରମ ଏବଂ ଦଳୀୟ ବିଧାୟକମାନଙ୍କ ସାଂଗଠନିକ ଶକ୍ତି ବଳରେ ସଂତୃପ୍ତ ମିଶ୍ର ଏଥର ନିର୍ବାଚନୀ ବୈତରଣୀ ପାର୍ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସଂତୃପ୍ତ କଟକ ରାଜନୀତି ପାଇଁ ନୂଆ ଚେହେରା। ହେଲେ ସେ ତୃଣମୂଳ ସ୍ତରର ଲୋକଙ୍କ ସହ ଯୋଡ଼ି ହୋଇ ନିଜକୁ ଖାଣ୍ଟି କଟକିଆର ପରିଚୟ ଦେଉଛନ୍ତି। ସମୃଦ୍ଧ କଟକ ଗଠନ ପାଇଁ ସଂତୃପ୍ତ ‘ଆଇଡିଆଜ୍ ମେନିଫେଷ୍ଟୋ’ ବା ବିଚାରପତ୍ର ପ୍ରସ୍ତୁତ କରିଛନ୍ତି। ଏହି ବିଚାରପତ୍ର ଜରିଆରେ ସେ କଟକ ଭୋଟରଙ୍କ ମନ ଜିଣିବାକୁ ଆଶା ରଖିଛନ୍ତି।

କେତେ ପ୍ରଭାବ ପକାଇବ କଂଗ୍ରେସ?

ଗତ ୬ଟି ଲୋକସଭା ନିର୍ବାଚନରେ କଟକରେ କଂଗ୍ରେସର ପ୍ରଦର୍ଶନ ନିରାଶଜନକ ରହିଛି। ଶେଷଥର ପାଇଁ ୧୯୯୬ ମସିହାରେ ଅନାଦି ସାହୁ କଂଗ୍ରେସ ଟିକେଟରୁ ଲଢ଼ି ଏହି ଆସନରୁ ଲୋକସଭାକୁ ଯାଇଥିଲେ। ଏହାପରଠାରୁ କଂଗ୍ରେସକୁ କଟକ ଆସନରୁ ସଫଳତା ମିଳିପାରିନାହିାଁ

କଟକରେ ଦୁର୍ବଳ ହୋଇପଡ଼ିଥିବା ସଂଗଠନକୁ ସଜାଡ଼ି ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ଦଳ। ସୁରେଶ ମହାପାତ୍ର ଛାତ୍ର ଜୀବନରୁ କଟକ ରାଜନୀତିକୁ ବେଶ୍ ପାଖରୁ ଦେଖିଆସିଛନ୍ତି। କଟକ ସହରରେ ତାଙ୍କର ଭଲ ପରିଚୟ ମଧ୍ୟ ରହିଛି। ତେଣୁ ଏଥର କଟକର ବିକାଶ ମୁଦ୍ଦା ସହ କଂଗ୍ରେସର ଗ୍ୟାରେଣ୍ଟିକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ସୁରେଶ।

କଟକ ସଂସଦୀୟ କ୍ଷେତ୍ରର ଗଣିତ

କଟକ ଜିଲ୍ଲାର ୬ଟି ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ ବିଧାନସଭା କ୍ଷେତ୍ରକୁ ନେଇ କଟକ ଲୋକସଭା ଆସନ ଗଠିତ। ସେଗୁଡ଼ିକ ହେଲା ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର ଏବଂ ଖଣ୍ଡପଡ଼ା। ୨୦୧୯ ନିର୍ବାଚନରେ ଏହି ୭ଟି ଆସନରୁ ୬ଟି ଆସନ ବିଜେଡି ଖାତାକୁ ଯାଇଥିବାବେଳେ ଗୋଟିଏ ଆସନ କଂଗ୍ରେସ ଅକ୍ତିଆର କରିଥିଲା। ବିଜେପି ଖାତା ଖୋଲିବାକୁ ସମର୍ଥନ ହୋଇନଥିଲା।

ଏଥର କଟକ ଲୋକସଭା ଆସନରେ ନିର୍ବାଚନ ଗଣିତ ଏପାଖ ସେପାଖ ହେବ ବୋଲି ଆକଳନ କରାଯାଉଛି। ବିଶେଷକରି ବାରବାଟୀ-କଟକ ଏବଂ ଖଣ୍ଡପଡ଼ା ବିଧାନସଭା ଆସନ କଟକ ଲୋକସଭା ଆସନର ଅଙ୍କ ବିଗାଡ଼ି ଦେଇପାରେ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

୨୦୧୯ରେ ବାରବାଟୀ-କଟକ କଂଗ୍ରେସ ହାତକୁ ଯାଇଥିଲା। ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ଚେକ୍ ଦେଇ ମହମ୍ମଦ ମୋକିମ ହୋଇଥିଲେ ବିଧାୟକ। ଏଥର ମୋକିମଙ୍କ ବଦଳରେ ଝିଅ ସୋଫିଆ ଫିର୍ଦ୍ଦୋଷ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥର ବି ବାରବାଟୀ-କଟକ ଆସନରେ କଂଗ୍ରେସର ପଲ୍ଲା ଭାରି ରହିଥିବା କୁହାଯାଉଛି।

ଅନ୍ୟପଟେ ୨୦୧୯ ନିର୍ବାଚନରେ ତତ୍କାଳୀନ ବିଜେଠି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସୌମ୍ୟଙ୍କୁ ନିଲମ୍ବନ କରିବା ପରେ ଆଶାୟୀ ଥିବା ଅନୁଭବଙ୍କୁ ଟିକେଟ ଦେଲାନି ଦଳ। ଏବେ ଅନୁଭବ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ବିଜେଡି ଟିକେଟ ପାଇଛନ୍ତି।

କଟକ ସଂସଦୀୟ କ୍ଷେତ୍ରର ୫ଟି ବିଧାନସଭା ଆସନରେ ବିଜେଡିର ଭୋଟ ବ୍ୟାଙ୍କ ସୁଦୃଢ଼ ରହିଥିବା କୁହାଯାଉଛି। ମାତ୍ର ବାରବାଟୀ-କଟକ ଓ ଖଣ୍ଡପଡ଼ା ଆସନର ଭୋଟ କଟକ ଲୋକସଭା କ୍ଷେତ୍ର ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି।

ମେ’ ୨୫ ତାରିଖରେ କଟକ ଲୋକସଭା ଆସନ ପାଇଁ ଭୋଟ ପଡ଼ିବ। ଆଗାମୀ ୫ ବର୍ଷ ପାଇଁ ସାଂସଦ ବାଛିବେ ଭୋଟର। ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ।

Tags: #Politics #OdishaPolitics #KendujharLokSabhaElection2024 #BJD #BJP #Congress #OdishaAssemblyElections2024

LEAVE A REPLY

Please enter your comment!
Please enter your name here