ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦୁଝର ଲୋକସଭା ଆସନରେ ଏଥର ରୋଚକ ହେବ ରାଜନୈତିକ ଲଢ଼େଇ, ବିଜେଡି ଜିତିବ ନା ବାଜି ମାରିବ ବିଜେପି?

କେନ୍ଦୁଝର ଲୋକସଭା ଆସନ ଗତ ୨୦୦୯ରୁ ବିଜେଡି ଦଖଲରେ ରହିଛି। କିନ୍ତୁ ଏଥର ବିଜେଡି ପୁଣି ବିଜୟ ମୁକୁଟ ପିନ୍ଧିବ ନା ବିଜେପି ବାଜି ମାରିନେବ, ତାହା କହିବା ମୁସ୍କିଲ। କାରଣ ବିଜେପି ଏଠାରେ ଦୁର୍ବଳ ନୁହେଁ। ଗତ ନିର୍ବାଚନ ତୁଳନାରେ ବିଜେପିର ଶକ୍ତି ବୃଦ୍ଧି ହୋଇଛି। ଯଦି ଗୋଟିଏ ପଦ୍ମ ଓ ଗୋଟିଏ ଶଙ୍ଖରେ ଭୋଟର ଭୋଟ୍ ଦେବେ ତେବେ ବିଜେପି ପାଇଁ ସମ୍ଭାବନା ରହିଛି। ଦିନେ କଂଗ୍ରେସ ଏଠାରେ ଦ୍ଵିତୀୟ ସ୍ଥାନରେ ରହୁଥିଲା, ଏବେ ଅସ୍ଥିତ୍ଵ ପାଇଁ ସଂଘର୍ଷ କରୁଛି ଦଳ।

ଏଥର କେନ୍ଦୁଝର ଲୋକସଭା ଆସନ ପାଇଁ ବିଜେଡି ଧନୁର୍ଜୟ ସିଦ୍ଦୁଙ୍କୁ ପ୍ରାର୍ଥୀ କରିଥିବାବେଳେ ଅନନ୍ତ ନାୟକ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରେ ପ୍ରତିଦ୍ଵନ୍ଦ୍ଵିତା କରିବାକୁ ବିନୋଦ ବିହାରୀ ନାଏକଙ୍କୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ।

ସବୁବେଳେ ପ୍ରାର୍ଥୀ ବଦଳାଉଛି ବିଜେଡି

ମେଣ୍ଟ ଭାଙ୍ଗିବା ପରଠାରୁ ବିଜେଡି କେନ୍ଦୁଝର ଲୋକସଭା ଆସନରେ ଜିତିଆସୁଛି। କିନ୍ତୁ ସବୁ ଥର ପ୍ରାର୍ଥୀ ବଦଳାଉଛି। କେବେ ବି ବିଜେଡିରେ ଥିବା ନେତା ଟିକଟ ପାଇନାହାନ୍ତି। ଆମଦାନୀ ହୋଇଥିବା ନେତା ବିଜେଡି ଟିକଟରେ ଜିତିଛନ୍ତି। ୨୦୦୯ରେ କଂଗ୍ରେସରୁ ଆସି ଯଶବନ୍ତ ସିଂ ଲାଗୁରୀ ଜିତିଥିଲେ। ତା’ ପରେ ସେ ଆଉ ଟିକଟ ପାଇନଥିଲେ। ତାଙ୍କ ସ୍ତ୍ରୀ ଶକୁନ୍ତଳା ଲାଗୁରୀଙ୍କୁ ଟିକଟ ମିଳିଥିଲା ଓ ସେ ଜିତିଥିଲେ। ୨୦୧୯ରେ ନୂଆ ମୁହଁ ଭାବେ ସନାତନ ମହାକୁଡ଼ଙ୍କ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଟିକଟ ଦେଇଥିଲା ବିଜେଡି। ସେ ମଧ୍ୟ ଜିତିଥିଲେ। ଏଥର କଂଗ୍ରେସରୁ ଆମଦାନୀ ହୋଇଥିବା ନେତା ଧନୁର୍ଜୟ ସିଦ୍ଦୁଙ୍କୁ ଟିକଟ ଦେଇଛି ବିଜେଡି।

କଂଗ୍ରେସ ଟିକଟରେ ୨୦୦୪ ବିଧାନସଭା ନିର୍ବାଚନରେ ଚମ୍ପୁଆରୁ ନିର୍ବାଚିତ ହୋଇଥିଲେ ଧନୁର୍ଜୟ। ଏହା ପରେ ସେ ୨୦୧୪ରେ ତେଲକୋଇ ଆସନରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ। ୨୦୧୯ରେ ସେ ବିଜେପି ଟିକଟରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ହାରିଯାଇଥିଲେ। ଏଥର ବିଜେଡିର ସାଂସଦ ପ୍ରାର୍ଥୀ ହୋଇଛନ୍ତି। ବିଜେଡିର ସଂଗଠନ ମଜଭୁତ୍ ଥିବାରୁ ଏଥର ଲଢ଼େଇ ଜୋରଦାର ହେବ ବୋଲି ରାଜନୀତି ପଣ୍ଡିତମାନେ ଆକଳନ କରିଛନ୍ତି।

ଅନନ୍ତଙ୍କ ଉପରେ ବିଜେପିର ଭରସା

୧୯୯୯ ନିର୍ବାଚନରୁ ବିଜେପିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଆସୁଛନ୍ତି ଅନନ୍ତ ନାଏକ। ଦୁଇଥର ସାଂସଦ ନିର୍ବାଚିତ ହୋଇଛନ୍ତି। ଲୋକପ୍ରିୟ ହୋଇଥିଲେ ମଧ୍ୟ ମେଣ୍ଟ ଭାଙ୍ଗିବା ପରଠାରୁ ବିଜୟ ତାଙ୍କ ଭାଗ୍ୟରେ ଜୁଟିନାହିଁ। ବିଧାନସଭା କ୍ଷେତ୍ରଗୁଡ଼ିକରେ ବିଜେପି ତୃତୀୟ ସ୍ଥାନରେ ରହୁଥିଲେ ମଧ୍ୟ ଅନନ୍ତ କଡ଼ା ଟକ୍କର ଦେଇଛନ୍ତି। ଏଥର ବିଜେପିର ସଂଗଠନ ବଳଶାଳୀ ହୋଇଛି। ତେଣୁ ତାଙ୍କ ଖାତାକୁ ଅଧିକ ଭୋଟ୍ ଯିବାର ସମ୍ଭାବନା ରହିଛି। କିନ୍ତୁ ତାହା ବିଜୟ ପାଇଁ ଯଥେଷ୍ଟ ହେବ କି ନାହିଁ ତାହା ଆକଳନ କରିବା କଷ୍ଟକର ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି।

ଆଉ କିଛି ରାଜନୀତି ସମୀକ୍ଷକଙ୍କ ମତ, ଏଥର କେନ୍ଦୁଝରରେ ଦୁଇ ପ୍ରକାର ଭୋଟିଂ ହୋଇପାରେ। କିଛି ବିଧାନସଭା କ୍ଷେତ୍ରରେ ବିଜେଡିକୁ ଭୋଟ୍ ଦେଉଥିଲେ ମଧ୍ୟ, ଲୋକସଭା କ୍ଷେତ୍ରରେ ବିଜେପିକୁ ଭୋଟ୍ ଦେଇପାରନ୍ତି। ଏପରି ଯଦି ହୁଏ ତେବେ ଅନନ୍ତଙ୍କ ସପକ୍ଷରେ ଫଳାଫଳ ଯିବାର ସମ୍ଭାବନା ରହିଛି।

ଅସ୍ତିତ୍ଵ ପାଇଁ କଂଗ୍ରେସର କସରତ

ବିଧାନସଭା ଓ ଲୋକସଭା କ୍ଷେତ୍ରରେ କଂଗ୍ରେସ ଲଗାତର ଖରାପ ପ୍ରଦର୍ଶନ କରିଆସୁଛି। ଏଥର ଆନନ୍ଦପୁର, ତେଲକୋଇରେ କଂଗ୍ରେସର ସ୍ଥିତି ଟିକେ ମଜଭୁତ୍ ହୋଇଥିବାରୁ ସମ୍ମାନ ରଖିବାରେ କଂଗ୍ରେସ କିଛି ମାତ୍ରାରେ ସଫଳ ହୋଇପାରେ ବୋଲି ରାଜନୀତି ସମୀକ୍ଷକଙ୍କ ମତ। ଏଥର କଂଗ୍ରେସରରୁ ପ୍ରାର୍ଥୀ ହୋଇଛନ୍ତି ବିନୋଦ ବିହାରୀ ନାଏକ। ନିର୍ବାଚନ ପରିଚାଳନାରେ ଅଭିଜ୍ଞତା ନଥିବା ବେଳେ ଦୁଇ ପୁରୁଖା ନେତାଙ୍କ ସହ ଲଢ଼େଇ ତାଙ୍କ ପାଇଁ ସହଜ ହେବ ନାହିଁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ବିଧାନସଭା କ୍ଷେତ୍ରସାଂସଦ ପ୍ରାର୍ଥୀଙ୍କ ପ୍ରଦର୍ଶନ

କେନ୍ଦୁଝର, ଚମ୍ପୁଆ, ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା ଓ କରଞ୍ଜିଆକୁ ନେଇ କେନ୍ଦୁଝର ଲୋକସଭା ଆସନ। ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦୁଝର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ୮୩,୮୬୯, କଂଗ୍ରେସ ପ୍ରାର୍ଥୀଙ୍କୁ ୧୦,୭୮୮ ଓ ବିଜେଡି ପ୍ରାର୍ଥୀ ୬୮,୮୧୯ ଭୋଟ୍ ପାଇଥିଲେ। ଚମ୍ପୁଆରେ ବିଜେପିକୁ ୭୫,୦୯୪, କଂଗ୍ରେସକୁ ୩୮୩୭ ଓ ବିଜେଡିକୁ ୮୨,୧୦୯ ଭୋଟ୍ ମିଳିଥିଲା। କରଞ୍ଜିଆରେ ବିଜେପିକୁ ୫୮,୯୪୪, କଂଗ୍ରେସକୁ ୯,୮୧୪ ଓ ବିଜେପିକୁ ୬୫,୪୪୭ ଭୋଟ୍ ମିଳିଥିଲା।

ପାଟଣାରେ ବିଜେପିକୁ ୭୪,୦୫୪, କଂଗ୍ରେସକୁ ୧୦,୪୫୧ ଓ ବିଜେଡିକୁ ୭୦,୧୧୯ ଭୋଟ୍ ମିଳିଥିଲା। ଆନନ୍ଦପୁରରେ ବିଜେପିକୁ ୫୨,୪୪୩, କଂଗ୍ରେସକୁ ୩୩,୪୩୪ ଓ ବିଜେଡିକୁ ୮୧,୨୧୫ ଭୋଟ୍ ମିଳିଥିଲା। ଘସିପୁରାରେ ବିଜେପିକୁ ୪୪,୯୪୮, କଂଗ୍ରେସକୁ ୪୦,୧୮୪ ଓ ବିଜେଡିକୁ ୮୪,୦୧୧ ଭୋଟ୍ ମିଳିଥିଲା। ତେଲକୋଇରେ ବିଜେପିକୁ ୬୮,୬୬୨, କଂଗ୍ରେସକୁ ୨୦,୦୩୪ ଓ ବିଜେଡି ପ୍ରାର୍ଥୀଙ୍କୁ ୭୪, ୧୬୬ ଭୋଟ୍ ମିଳିଥିଲା।

ବିଜେପି ବିଧାୟକ ପ୍ରାର୍ଥୀମାନଙ୍କୁ କମ୍ ଭୋଟ୍ ମିଳିଥିଲେ ମଧ୍ୟ ବିଜେପି ସାଂସଦ ପ୍ରାର୍ଥୀଙ୍କୁ ଅଧିକ ଭୋଟ୍ ମିଳିଥିଲା। ସେହପିରି ବିଜେଡିର ବିଜୟୀ ବିଧାୟକମାନଙ୍କୁ ଯେତିକି ଭୋଟ୍ ମିଳିଥିଲା ତା’ଠାରୁ କମ୍ ଭୋଟ୍ ପାଇଥିଲେ ସାଂସଦ ପ୍ରାର୍ଥୀ। କେବଳ ଆନନ୍ଦପୁର ଓ ଘସିପୁରରା କଂଗ୍ରେସର ସାଂସଦ ପ୍ରାର୍ଥୀଙ୍କୁ ସମ୍ମାନଜନକ ଭୋଟ୍ ମିଳିଥିଲା। ବାକି ଆସନରେ ଅତି ଶୋଚନୀୟ ପ୍ରଦର୍ଶନ କରିଥିଲା କଂଗ୍ରେସ।

ସନାତନ ସମୀକରଣ

ଏଥର ବିଜେଡି ସନାତନ ମହାକୁଡଙ୍କୁ ଚମ୍ପୁଆରୁ ପ୍ରାର୍ଥୀ କରିଛି। ତାଙ୍କର ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଭାବ ରହିଛି। କିନ୍ତୁ ବିଜେଡିର ସାଂସଦ ପ୍ରାର୍ଥୀଙ୍କ ପାଇଁ ସେ କେତେ ପରିମାଣରେ ଉଦ୍ୟମ କରିବେ ତାହା ହିଁ ବିଜେଡିର ବିଜୟକୁ ସ୍ଥିର କରିବ। ଗତଥର ସନାତନ ନିର୍ବାଚନ ଲଢୁ ନଥିବାରୁ ତାଙ୍କର ସନା ସଂଗଠନକୁ ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଲଗାଇ ଦେଇଥିଲେ। କିନ୍ତୁ ଏଥର ସନାତନ ସିଦ୍ଦୁଙ୍କ ସପକ୍ଷରେ ତାଙ୍କର ସମସ୍ତ ଶକ୍ତି ଲଗାଇବେ କି ନାହିଁ ତାହା ଏକ ବଡ଼ ପ୍ରଶ୍ନବାଚୀ।

ଆନନ୍ଦପୁରରେ ଟିକଟ ଅସନ୍ତୋଷ

ବିଜେଡି ସାଂସଦଙ୍କ ବିଜୟ ପାଇଁ ଏକ ବଡ଼ ଯୋଗଦାନ ଦିଏ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ। ଏଥର ବିଜେଡିରେ ବିଧାୟକ ଟିକଟକୁ ନେଇ ଅସନ୍ତୋଷ ରହିଛି। ବିଜେଡିରୁ ଟିକଟ ଆଶାୟୀ ଥିବା ବିଶ୍ଵନାଥ ଏଥର ସ୍ଵାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ତାଙ୍କର ବିଜେଡିରେ ଭଲ ପ୍ରଭାବ ରହିଛି। ଯଦି ତାଙ୍କ ସମର୍ଥକମାନେ ସଂସଦୀୟ କ୍ଷେତ୍ରରେ ବିଜେଡିକୁ ସମର୍ଥନ ନକରନ୍ତି ତେବେ ଦଳ ପାଇଁ ଅଡୁଆ ହୋଇପାରେ।

ସାଧାରଣତଃ କେନ୍ଦୁଝରରେ ଦ୍ଵିମୁଖୀ ଲଢ଼େଇ ହେଉଥିବା ବେଳେ ଭୋଟର ସମୀକରଣ ବେଶ ସରଳ ହୋଇଥାଏ। ଏଥର କିନ୍ତୁ ବିଧାନସଭା କ୍ଷେତ୍ରଗୁଡ଼ିକରେ ଅଡୁଆ ସ୍ଥିତି ଥିବାରୁ ଏହାର ନକରାତ୍ମକ ପ୍ରଭାବ କାହା ଉପରେ ପଡ଼ିବ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Tags: #Politics #OdishaPolitics #KendujharLokSabhaElection2024 #BJD #BJP #Congress #OdishaAssemblyElections2024

LEAVE A REPLY

Please enter your comment!
Please enter your name here