ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଜିଲ୍ଲା ନିମାପଡ଼ାରେ ରାଜନୈତିକ ହିଂସା ଦେଖିବାକୁ ମିଳଛି। ରବିବାର ରାତିରେ ନିମାପଡ଼ାର ତେରୁଣ୍ଡିଆ ଗାଁରେ ବିଜେପିର କିଛି କର୍ମୀ ବିଜେଡି ନେତା ରୁଦ୍ରପ୍ରତାପ ମହାରଥୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତେରୁଣ୍ଡିଆ ପଞ୍ଚାୟତ ବିଜେପି ସଭାପତିଙ୍କୁ ଥାନାରେ ଅଟକ ରଖିଛି ନିମାପଡ଼ା ପୋଲିସ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।

ରୁଦ୍ରପ୍ରତାପ ମହାରଥୀ ଓ ତାଙ୍କର କିଛି ସହଯୋଗୀ ରବିବାର ରାତିରେ ନିମାପଡ଼ାର ତମ୍ପାଳ ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ସାରି ତେରୁଣ୍ଡିଆ ଦେଇ ଫେରୁଥିଲେ। ଏହି ସମୟରେ ତାଙ୍କ ଗାଡ଼ି ଉପରକୁ କିଛି ବିଜେପି କର୍ମୀ ଟେକା ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କର ୪ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବାବେଳେ ସେ ସେଠାରୁ ସୁରକ୍ଷିତ ଚାଲିଆସିବାରେ ସଫଳ ହୋଇଥିଲେ।

ଏହି ଆକ୍ରମଣ ଖବର ଶୁଣି ପିପିଲିର ବହୁ ବିଜେଡି ନେତା ଓ କର୍ମୀ ନିମାପଡ଼ାରେ ଏକତ୍ରିତ ହୋଇଥିଲେ। ସେମାନେ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ନିମାପଡ଼ା ଥାନା ଆଗରେ ଧାରଣା ଦେଇଥିଲେ। ଏହାପରେ ପୋଲିସ ପକ୍ଷରୁ ତେରୁଣ୍ଡିଆ ପଞ୍ଚାୟତ ବିଜେପି ସଭାପତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଇଥିଲା।

ତେବେ ନିମାପଡ଼ାରୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କର ଘର ତେରୁଣ୍ଡିଆ ପଞ୍ଚାୟତରେ ରହିଛି। ତାଙ୍କ ପ୍ରରୋଚନାରେ ଏହି ଆକ୍ରମଣ କରାଯାଇଥିବା ରୁଦ୍ରପ୍ରତାପ ମହାରଥୀ ଅଭିଯୋଗ କରିଛନ୍ତି।

ଆସନ୍ତା ଜୁନ ୧ ତାରିଖରେ ନିମାପଡ଼ା ଓ କାକଟପୁର ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଯାଉଛି। ଏହାପୂର୍ବରୁ ବିଜେଡି ନେତାଙ୍କ ଉପରେ ଏହି ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।   

Tags: #OdishaAssemblyElections2024 #Violence #RudrapratapMaharathy #BJD #Nimapada #Puri

LEAVE A REPLY

Please enter your comment!
Please enter your name here