ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଶିଷ୍ଟ ଡାକ୍ତର ତଥା ସମାଜସେବୀ ନୀଳକଣ୍ଠ ମିଶ୍ରଙ୍କର ପରଲୋକ ଘଟିଛି। ଇଂଲଣ୍ଡର ବ୍ଲାକବର୍ଣ୍ଣ ସହରରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

ଡାକ୍ତର ନୀଳକଣ୍ଠ ମିଶ୍ର ୧୯୪୧ ମସିହା ଅକ୍ଟୋବର ୭ ତାରିଖରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଜନ୍ମ ଗ୍ରହଣ କରିଥିଲେ। ପିଲାଦିନୁ ସେ ପାଠପଢ଼ାରେ ଖୁବ ଭଲ ଥିଲେ। କଟକ ଏସସିବି ମେଡିକାଲ କଲେଜରୁ ଡାକ୍ତରୀ ପାସ କରିବା ପରେ ସେ ଓଡ଼ିଶାରେ ଚାକିରି ଆରମ୍ଭ କରିଥିଲେ। ତେବେ ସେ କିଛି ସମୟ ପରେ ଇଂଲଣ୍ଡ ଚାଲିଯାଇଥିଲେ।

ଇଂଲଣ୍ଡରେ ଡାକ୍ତର ନୀଳକଣ୍ଠ ମିଶ୍ର ଏମଆରସିପି ଡିଗ୍ରୀ ହାସଲ କରି ଜଣେ ମେଡିସିନ ସ୍ପେସାଲିଷ୍ଟ ଭାବେ ନିଜକୁ ବେଶ୍ ପ୍ରତିଷ୍ଠିତ କରିଥିଲେ। ସେ ନିଜ ଜୀବନ ଶେଷ ସମୟ ପର୍ଯ୍ୟନ୍ତ ଇଂଲଣ୍ଡର ବ୍ଲାକବର୍ଣ୍ଣ ସହରରେ ଡାକ୍ତରୀ ସେବା ଜାରି ରଖିଥିଲେ।

ନୀଳକଣ୍ଠ ମିଶ୍ର କେବଳ ଜଣେ ଭଲ ଡାକ୍ତର ନଥିଲେ, ଜଣେ ସମାଜସେବୀ ଭାବେ ମଧ୍ୟ ପରିଚିତ ଥିଲେ। ସେ ଇଂଲଣ୍ଡ ଏବଂ ଓଡ଼ିଶାରେ ଅନେକ ଲୋକଙ୍କ ସହଯୋଗ କରିଥିଲେ। ଏହାସହ ସେ ଓଡ଼ିଶା ସୋସାଇଟି ସହ ମିଶି ଇଂଲଣ୍ଡରେ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର କରିବାରେ ବଡ଼ ଯୋଗଦାନ ଦେଇଥିଲେ। ସେ କଳିଙ୍ଗ ହସ୍ପିଟାଲର ପ୍ରତିଷ୍ଠତା ସଦସ୍ୟ ମଧ୍ୟ ଥିଲେ।

ସ୍ଵାମୀ ଚେତନାନନ୍ଦ ସରସ୍ଵତୀ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ବଡ଼ ଭାଇ ଥିଲେ, ଯାହାଙ୍କର ୨୦୨୧ ମସିହାରେ ଦେହାନ୍ତ ହୋଇଥିଲା। ତେବେ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ଉଦାରତା ଓ ସେବା ମନୋଭାବ ଅନେକଙ୍କୁ ପ୍ରେରଣା ଯୋଗାଇବ।  

Tags: #DrNeelakanthaMishra #EminentDoctor #Philanthropist #Odisha #England

Comment