ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ନିର୍ମାଣ ହୋଇଛି ବିଶ୍ଵର ସର୍ବୋଚ୍ଚ ରେଳ ବ୍ରିଜ୍। ଜମ୍ମୁ କଶ୍ମୀରର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ୩୫୯ ମିଟର ରହିଛି। ନିକଟରେ ଭାରତୀୟ ରେଳବାଇ ପକ୍ଷରୁ ଏହା ଉପରେ ଟ୍ରେନର ଟ୍ରାଇଲ ରନ କରାଯାଇଥିଲା। କଶ୍ମୀରକୁ ଭାରତର ଅବଶିଷ୍ଟ ରେଳ ନେଟୱାର୍କ ସହ ଯୋଡ଼ିବାରେ ଚେନାବ ବ୍ରିଜ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିବ।

ଚେନାବ ବ୍ରିଜ ହେଉଛି ଜମ୍ମୁ କଶ୍ମୀରରେ ନିର୍ମାଣାଧୀନ ଉଦ୍ଧମପୁର-ଶ୍ରୀନଗର-ବାରାମୁଲା (ୟୁଏସବିଆରଏଲ) ରେଳ ପ୍ରକଳ୍ପର ଏକ ପ୍ରମୁଖ ଅଂଶ। ଏହାକୁ ଉତ୍ତର ରେଳପଥ ପକ୍ଷରୁ ନିର୍ମାଣ କରାଯାଇଛି।

ଚେନାବ ବ୍ରିଜର ବିଶେଷତା

ଚେନାବ ରେଳ ବ୍ରିଜର ଉଚ୍ଚତା ଫ୍ରାନ୍ସର ପ୍ରସିଦ୍ଧ ଆଇଫିଏଲ୍ ଟାୱାରଠାରୁ ୨୯ ମିଟର ଉଚ୍ଚ। ଆଇଫିଏଲ୍ ଟାୱାରର ଉଚ୍ଚତା ୩୩୦ ମିଟର ହୋଇଥିବାବେଳେ ଚେନାବ ବ୍ରିଜର ଉଚ୍ଚତା ୩୫୯ ମିଟର। ପ୍ରାୟ ୧,୫୦୦ କୋଟି ଟଙ୍କାର ବଜେଟରେ ବ୍ରିଜଟିକୁ ନିର୍ମାଣ କରାଯାଇଛି। ଏହାର ଲମ୍ଭ ୧.୩ କିଲୋମିଟର ରହିଛି।     

ଚେନାବ ବ୍ରିଜର ନିର୍ମାଣରେ ୨୯,୦୦୦ ମେଟ୍ରିକ୍ ଟନ ଷ୍ଟିଲ ବ୍ୟବହାର କରାଯାଇଥିବାବେଳେ ୬୬,୦୦୦ କ୍ୟୁବିକ ମିଟର କଂକ୍ରିଟର ବ୍ୟବହାର କରାଯାଇଛି। ଏହା ଉପରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଟ୍ରେନ ଚାଲି ପାରିବ।

ତେବେ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଜକୁ ଡିଆରଡିଓର ସହାୟତାରେ ବ୍ଲାଷ୍ଟପ୍ରୁଫ କରାଯାଇଛି। ଏହାସହ ୨୦୦ କିଲୋମିଟରରୁ ଅଧିକ ବେଗରେ ବହୁଥିବା ପବନକୁ ବ୍ରିଜ ସହ୍ୟ କରିପାରିବ ଏବଂ ବ୍ରିଜକୁ ବଡ଼ଧରଣର ଭୂମିକମ୍ପକୁ ସହ୍ୟ କରିବା ଭଳି ନିର୍ମାଣ କରାଯାଇଛି।

ଜମ୍ମୁ କଶ୍ମୀରର ଉଦ୍ଧମପୁରରୁ ଶ୍ରୀନଗର ଦେଇ ବାରାମୁଲାକୁ ରେଳ ଲାଇନ (ୟୁଏସବିଆରଏଲ) ପ୍ରକଳ୍ପ ଅଧୀନରେ ୨୦୦୪ ମସିହାରେ ଚେନାବ ବ୍ରିଜ୍ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। ୨୦୦୮ରେ ଆଫକନ୍ସ ଇନଫ୍ରାଷ୍ଟ୍ରକ୍ଚର୍ସକୁ ଏହାର ଠିକା ମିଳିଥିଲା। ୨୦୧୦ ମସିହାରେ ଏହା ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ବିଭିନ୍ନ କାରଣରୁ ନିର୍ମାଣ କାମ ଠିକ୍ ଭାବେ ହୋଇପାରୁନଥିଲା।

ଶେଷରେ ୨୦୧୭ ମସିହାରେ ବ୍ରିଜ ନିର୍ମାଣର କାମକୁ ତ୍ଵରାନ୍ୱିତ କରାଗଲା। ମଝିରେ କୋଭିଡ୍ ମହାମାରୀ କାରଣରୁ ପ୍ରକଳ୍ପର କାମ ପୁଣି ବାଧାପ୍ରପ୍ତ ହୋଇଥିଲା। ୨୦୨୨ ମସିହା ଅଗଷ୍ଟ ମାସରେ ବ୍ରିଜ କାମ ଶେଷ ହୋଇଥିବାବେଳେ ୨୦୨୪ ଫେବ୍ରୁଆରି ମାସରେ ଏହାପରେ ରେଳ ଲାଇନ ବିଛା ଯାଇଥିଲା।

ତେବେ ସ୍ଥାନୀୟ ଅଞ୍ଚଳର ଭୌଗଳିକ ସ୍ଥିତି ଏବଂ ପାଣିପାଗକୁ ଦୃଷ୍ଟିରେ ରଖି ଚେନାବ ବ୍ରିଜକୁ ଏକ ଆର୍ଚ (ଗୋଲାକାର) ବ୍ରିଜ ସଦୃଶ ନିର୍ମାଣ କରାଯାଇଛି। ବ୍ରିଜ୍ ନିର୍ମାଣରେ ଡିଆରଡିଓ ଏବଂ ଭାରତୀୟ ରେଳବାଇର କୋଙ୍କଣ ରେଲୱେ ଡିଭିଜନ ବୈଷୟିକ ସହାୟତା ପ୍ରଦାନ କରିଛନ୍ତି।

ଚେନାବ ବ୍ରିଜର ନିର୍ମାଣକୁ ଅନୁମତି ମିଳିବାର ପ୍ରାୟ ୨ ଦଶନ୍ଧି ପରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏଥିରେ ଟ୍ରେନର ଟ୍ରାଇଲ ରନ୍ ହୋଇଥିବାବେଳେ ଖୁବ୍ ଶୀଘ୍ର ଏହା ଉପର ଦେଇ ରେଳ ଚଳଚଳ କରିବ।

Tags: #ChenabBridge #WorldsHighestRailwayBridge #JammuKashmir #IndianRailways

LEAVE A REPLY

Please enter your comment!
Please enter your name here