ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ନିଶା କାରବାର ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି ନିଶା ବେପାରୀ। ଫୁଡ ଡେଲିଭରୀ ନାଁରେ ଘରେ ଘରେ ସପ୍ଲାଇ ହେଉଛି ଡ୍ରଗ୍ସ ଏବଂ ଗଞ୍ଜେଇ ଭଳି ନିଶାଦ୍ରବ୍ୟ। ଏଭଳି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ ସହରରେ।
ଜୋମାଟୋ ଡେଲିଭରୀ ବୟ ଭାବେ ଗ୍ରାହକଙ୍କୁ ନିଶାଦ୍ରବ୍ୟ ଯୋଗାଣ କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ହାଇଦ୍ରାବାଦ ହାଇଟେକ ସହରର ଶୈକ ବିଲାଲ। ତାଙ୍କ ନିକଟରୁ ପୋଲିସ ବିପୁଳ ପରିମାଣର ଗଞ୍ଜେଇ, ଡ୍ରଗ୍ସ, ବିଭିନ୍ନ ନିଶା ଔଷଧ ଏବଂ ତେଲ ଜବତ କରିଛି। ଏ ନେଇ ମାଧପୁର ଡିସିପି ଡକ୍ଟର ଜି ଭିନୀତ ସୂଚନା ଦେଇଛନ୍ତି।
ଡିସିପିଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ଶୈକ ବିଲାଲ ହାଇଦ୍ରାବାଦ ହାଇଟେକ ସହରରେ ରହୁଥିବାବେଳେ ସେ ଆନ୍ଧ୍ରପ୍ରଦେଶ ରାଜହମୁଣ୍ଡ୍ରି ସହରର ମୂଳ ବାସିନ୍ଦା। ଶୈଳ ବିଲାଲ ଆନ୍ଧ୍ରପ୍ରଦେଶର ଆରକୁ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଏବଂ ଡ୍ରଗ୍ସ ସଂଗ୍ରହ କରି ହାଇଦ୍ରାବାଦରେ ଗ୍ରାହକଙ୍କୁ ବିକ୍ରି କରୁଥିଲେ।
ନିଜ କାରବାରକୁ ସହଜ କରିବା ପାଇଁ ସେ ଜୋମାଟୋରେ ଡେଲିଭରୀ ବୟ ଭାବେ ଯୋଗ ଦେଇଥିଲେ। ଏହା ପରେ ଖାଦ୍ୟ ଡେଲିଭରୀ ଦେବା ନାଁରେ ଲୋକଙ୍କୁ ନିଶାଦ୍ରବ୍ୟ ଯୋଗାଉଥିଲେ। ବିଲାଲଙ୍କ ଉପରେ କିଛି ଆପାର୍ଟମେଣ୍ଟ ବାସିନ୍ଦାଙ୍କର ସନ୍ଦେହ ହେବାରୁ ସେମାନେ ପୋଲିସକୁ ସୂଚନା ଦେଇଥିଲେ। ପୂର୍ବ ଯୋଜନା ମୁତାବକ ଜଣେ ଗ୍ରାହକଙ୍କୁ ଡ୍ରଗ୍ସ ଯୋଗାଉଥିବା ସମୟରେ ସେଠାରେ ପୂର୍ବରୁ ପ୍ରସ୍ତୁତ ରହିଥିବା ପୋଲିସ ବିଲାଲଙ୍କୁ କାବୁ କରିବାରେ ସଫଳ ହୋଇଥିଲେ।
୧୦୦ରୁ ଅଧିକ ଗ୍ରାହକଙ୍କୁ ଶୈଳ ବିଲାଲ ଦୀର୍ଘ ଦିନ ହେଲା ନିଶାଦ୍ରବ୍ୟ ଯୋଗାଇ ଆସୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହା ପୂର୍ବରୁ ମଧ୍ୟ ନିଶା ଦ୍ରବ୍ୟ ଯୋଗାଇବା ଅଭିଯୋଗରେ ବିଲାଲ ଗିରଫ ହୋଇ ଜେଲ ଯାଇଥିଲେ। ଜେଲରୁ ମୁକୁଳିବା ପରେ ପୁଣି ସେ ନିଜ କାରବାର ଆରମ୍ଭ କରିଥିଲେ।
Tags: #DrugsSupply #Hyderabad #IllegalGanjaSupply #PoliceInvestigation