ଶିଶିର ଭଟ୍ଟମିଶ୍ର
ପ୍ରଦୀପ ସାର୍ (ଡକ୍ଟର ପ୍ରଦୀପ ମହାପାତ୍ର) କହିଲେ ”ତମେ କ’ଣ ସାମ୍ବାଦିକ ହେବ କି ହେ? ୟୁନିଭର୍ସିଟିରେ ଆଉ ଦି ବର୍ଷ ରହି ଇଲେକ୍ସନ ଫିଲେକ୍ସନରେ ମାତିବ ଆଉ ମଉଜ ମସ୍ତି କରିବ ବୋଲି ଜର୍ଣ୍ଣାଲିଜିମରେ ଜଏନ କରିଛ, ଏ କଥା କ’ଣ ମୁଁ ଜାଣିନି?”
ଦାଶରଥି ସାର୍ (ପ୍ରଫେସର ଦାଶରଥି ମିଶ୍ର) ପ୍ରତିବାଦ କରି ଆମ ସପକ୍ଷରେ ବାହାରି କହିଲେ, “ନା ନା ସେମିତି କାହିଁକି କହୁଛନ୍ତି। ଏମାନେ ବହୁତ୍ ଭଲପିଲା। ବହୁତ୍ କ୍ରିଏଟିଭ। ଏମାନେ ଯଦି ସାମ୍ୱାଦିକ ନହେବେ ତ କିଏ ହେବ?”
ପ୍ରଦୀପ ସାର୍ ତାଛଲ୍ୟ କଲେ ଆଉ କହିଲେ “୪୦୦ଟଙ୍କାରେ ଏମାନେ କାମ କରିବେ କି ଆଜ୍ଞା? ଏମାନଙ୍କ ରଙ୍ଗ ଢଙ୍ଗ ଦେଖି ନାହାନ୍ତି କି? ୟେ ଯୋଉ ସୁ ପିନ୍ଧିଚି ତା’ ଦାମ୍ ପରା ୬୦୦ ଟଙ୍କା ହେବ।”
ଦାଶରଥି ସାର୍ ପୁଣି କହିଲେ “ଦେଖନ୍ତୁ ଆମେ ଯେତେବେଳେ ମା’ ପେଟରୁ ଜନ୍ମ ହେଲେ ସେତେବେଳେ ଆମେ କ’ଣ ଚିନ୍ତା କରିଥିଲେ କି ଆମେ ଜନ୍ମ ହେଉ ହେଉ କ’ଣ ଖାଇବା, କୋଉଠି ରହିବା? ସବୁ ଆଜ୍ଞା ବିଧି ନିର୍ଦ୍ଧିଷ୍ଟ। ଆମେ ଜନ୍ମ ହେବା ବୋଲି ଭଗବାନ ମା’ ସ୍ତନରେ କ୍ଷୀର ରଖିଦେଇଥାନ୍ତି। ଏମିତି କେତେ କ’ଣ ଆମ ପାଇଁ ଆରେଞ୍ଜ କରି ରଖିବା ପରେ ଆମେ ଜନ୍ମ ହେଇଥାଉ। ସେଥିପାଇଁ ଖାଇବା ରହିବା ଲାଗି ଚିନ୍ତା ନାହିଁ। ଉପରବାଲା ସବୁ ରେଡି କରିଦେବେ। ତେଣୁ ୪୦୦ମିଳୁ କି ୪୦୦୦, ସେ ସବୁ ଭାବିବା ବୃଥା। ଆମ ପିଲା ନିଶ୍ଚୟ ସାମ୍ବାଦିକତା କରିବେ।”
ପ୍ରଦୀପ ସାର ଆମ ଆଡ଼କୁ କଟାକ୍ଷ କଲେ, ଆଉ ମତେ ଚାହିଁ ପ୍ରଶ୍ନ କଲେ “ତମେ ସାମ୍ବାଦିକ ହେବ କି ହେ?”
ମୁଁ ଅପ୍ରସ୍ତୁତ ହେଲି। କାରଣ ସାମ୍ୱାଦିକ ହେବି କି ନହେବି କେବେ ଭାବିନଥିଲି। ପ୍ରଦୀପ ସାର ପ୍ରଥମରୁ ଯାହା କହୁଥିଲେ ଯେ, ଆଉ ଦି ବର୍ଷ ୟୁନିଭର୍ସିଟିରେ ରହିବା ପାଇଁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପରେ ମୁଁ ପୁଣି ଜର୍ଣ୍ଣାଲିଜିମରେ ଆଡମିଶନ କରିଥିଲି। ତେଣୁ କ’ଣ କହିବି କିଛି ବୁଝି ନପାରି ହଡ଼ବଡ଼େଇ ଗଲି ସତ। ହେଲେ ପର ମୁହୂର୍ତ୍ତରେ ମନକୁ ଆସିଲା ପ୍ରଦୀପ ସାରଙ୍କ ଆହ୍ଵାନକୁ ଗ୍ରହଣ କଲେ ଅସୁବିଧା କଣ? ତା’ ଛଡ଼ା ଦାଶରଥି ସାର୍ ଯେଉଁ ତତ୍ତ୍ଵ ବୁଝାଇସାରିଥିଲେ ତାହା ବି ମନକୁ ବେଶ ପ୍ରଭାବିତ କରିସାରିଥିଲା। ମୁଁ କ୍ଷଣେ ପାଇଁ ସ୍ଥିର ହୋଇ ଅତି ସ୍ଥିର ଚିତ୍ତରେ କହିଲି – ସାର ଆପଣ ଦେଖିବେ ଆମ ବ୍ୟାଚର ଯଦି କେହି ଜଣେ ସାମ୍ୱାଦିକ ହୁଏ ତା’ ହେଲେ ସେ ପିଲାଟି ମୁଁ।
ପ୍ରଦୀପ ସାର୍ ଆଉ କିଛି ନକହି ଖାଲି ହସିଦେଲେ। ୟୁନିଭର୍ସିଟି ସେଣ୍ଟ୍ରାଲ ଅଫିସ ସାମ୍ନାରେ ଆମ ବ୍ୟାଚରେ କିଛି ଛାତ୍ରଛାତ୍ରୀ ଆଉ ପ୍ରଦୀପ ସାର୍ ଓ ଦାଶରଥି ସାରଙ୍କ ମଧ୍ୟରେ ଖଟି ଚାଲିଥିଲା। ସାରମାନେ ଚାଲିଯିବା ପରେ ଆମ ଭିତରେ ବିଭିନ୍ନ ମତ ଓ ମତାନ୍ତର ହେଲା।
ସମ୍ଭବତଃ ପ୍ରଦୀପ ସାରଙ୍କ ସେ ଦିନର ସେ ତାଛଲ୍ୟ, କଟାକ୍ଷ ଓ ଆହ୍ଵାନ ଆମ ବ୍ୟାଚର କିଛି ପିଲାଙ୍କୁ ସାମ୍ୱାଦିକ ହେବାକୁ ପ୍ରେରିତ କରିଥିଲା। ଏ କଥା ସାର୍ ମଧ୍ୟ ପରବର୍ତ୍ତୀ ସମୟରେ ଅନୁଭବ କରିଥିଲେ। କାରଣ ମୁଁ ଈଟିଭିରେ ଥିବା ସମୟରେ ଥରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା କଭର କରିବାକୁ ଯାଇଥିବା ବେଳେ ଏକ୍ସପର୍ଟ କମେଣ୍ଟ ଆଣିବାକୁ ସାରଙ୍କ ଭୀମରାଓପେଟା ସାହିରେ ଥିବା ଘରକୁ ଯାଇଥିଲି। ବାଇଟ ପରେ ସାର୍ ବହୁତ୍ ସମୟ ବିଭିନ୍ନ ପ୍ରସଙ୍ଗରେ କଥା ହେବା ବେଳେ ଉପରୋକ୍ତ ଖଟି କଥା ମଧ୍ୟ ମନେ ପକାଇଥିଲେ।
ସାର୍ ଆମକୁ ଆମେରିକାନ ସାମ୍ବାଦିକତାର ଇତିହାସ ପଢ଼ାଉଥିଲେ। କ୍ଲାସ ଚାଲିଥିବା ବେଳେ ଆମମାନଙ୍କ ଛାତ୍ର ସୁଲଭ ଚପଳତା ସାରଙ୍କୁ କେବେ ବିବ୍ରତ କରିନାହିଁ। ଅତି ସରଳ ଏବଂ ଅମାୟିକ ବ୍ୟକ୍ତିତ୍ଵ। ନିଷ୍ଠା ଓ ଶୃଙ୍ଖଳାର ଉଦାହରଣୀୟ ଶିକ୍ଷକ। ବଦଭ୍ୟାସ ରହିତ ମଣିଷ। ଗାଡ଼ି, ମଟର, ସାଇକେଲ ଚଲାନ୍ତି ନାହିଁ। ଯୁଆଡ଼େ ଯିବେ ଚାଲିକି ଯିବେ, ନହେଲେ ରିକ୍ସା। ବ୍ରହ୍ମପୁରକୁ ଅତି ଭଲ ପାଉଥିବା ଓ ଜାଣିଥିବା ଜଣେ ସଂସ୍କୃତି ଗବେଷକ।
ଆଜି ସକାଳୁ ସକାଳୁ ନୀଳାମ୍ବର ବାବୁ (ନୀଳାମ୍ବର ରଥ) ଫୋନ କରି କହିଲେ ରାତି ୨ଟାରେ ସାର୍ ଚାଲିଗଲେ। ଆସ ଆପୋଲୋ ଯିବା। ମୁଁ ଅସୁସ୍ଥ ଥିବାରୁ ସାରଙ୍କ ଶେଷ ଦର୍ଶନ କରି ପାରିଲିନାହିଁ। ନୀଳାମ୍ବର ବାବୁ ଶେଷ ସମୟର କିଛି ଫଟୋ ପଠାଇଲେ। ଦେଖିଲି ଆଉ ମୋର ଶେଷ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଲି। ମନ ଭିତରେ ଫ୍ଲାସବ୍ୟାକ୍ ଭଳି କେତେ କେତେ ସ୍ମୃତି ଖେଳିଗଲା, ଆଉ ଆଖି କୋଣରୁ ଟୋପାଏ ଲୁହ ଝରିଗଲା ଅଜାଣତରେ।
ବହୁବର୍ଷ ତଳେ ଏକ ଦୁର୍ଘଟଣାରେ ଦାଶରଥି ସାର୍ (ପ୍ରଫେସର ଦାଶରଥି ମିଶ୍ର) ଚାଲି ଯାଇଥିଲେ। ଦୁଇ ବର୍ଷ ତଳେ ସୁନୀଲ ସାର୍ ( ପ୍ରଫେସର ସୁନୀଲ ବେହେରା) ଚାଲିଯାଇଥିଲେ। ଆଜି ପ୍ରଦୀପ ସାର୍।
୨୦୧୬ ମସିହାରେ ସାର୍ ଅବସର ନେଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ନିମୋନିଆରେ ପୀଡ଼ିତ ହୋଇ ସେ ୩ ଦିନ ହେଲା ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ପ୍ରଦୀପ ସାରଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ନନ୍ଦିଘୋଷ ଟିଭିର ସମ୍ପାଦକ । ମତାମତ ନିଜସ୍ଵ)
Tags: #DrPradeepMohapatra #Journalism #BrahmapurUniversity #Odisha