ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳର ୱାୟନାଡରେ ମଙ୍ଗଳବାର ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ପ୍ରାୟ ୩୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେ ବି ଅନେକ ଲୋକ ନିଖୋଜ ଥିବାବେଳେ ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଆର୍ଥିକ ସହାୟତା କରିବାକୁ କେରଳ ସରକାର ସମସ୍ତଙ୍କୁ ନିବେଦନ କରିଛନ୍ତି।
ୱାୟନାଡ ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସହାୟତା ପାଇଁ କେରଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ (ସିଏମଡିଆରଏଫ) ଅର୍ଥ ଦାନ କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଭଳି ବିପତ୍ତି ସମୟରେ କେରଳ ସହ ଠିଆ ହେବା ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି।
ଆପଣମାନେ ୱାୟନାଡ ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସହାୟତା କରିବାକୁ ଚାହୁଁଥିଲେ କେରଳର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ଅର୍ଥ ଦାନ କରିପାରିବେ। ଏଥିପାଇଁ ଅନଲାଇନରେ ଉକ୍ତ ରିଲିଫ ପାଣ୍ଠି ପେଜକୁ ଯାଇ ଅବଶ୍ୟକୀୟ ତଥ୍ୟ ଦେଇ ଅର୍ଥ ଦାନ କରିହେବ।
“ଏକାଧିକ ଭୂସ୍ଖଳନ ଏବଂ ବଡ଼ ଧରଣର ବନ୍ୟା ସହ କେରଳ ସଂଗ୍ରାମ କରୁଛି। ୱାୟନାଡ ଭୂସ୍ଖଳନରେ ଅନେକ ଲୋକ ପ୍ରାଣ ହରାଇଥିବାବେଳେ, ଅନେକ ପରିବାର ବାସହରା ହୋଇ ଯାଇଛନ୍ତି। ଜୀବନ ଏବଂ ଜୀବିକା ହରାଇଥିବା ବିସ୍ଥାପିତମାନଙ୍କୁ ପୁନର୍ବାର ଥଇଥାନ କରିବା ପାଇଁ ଆମେ ଉଦ୍ୟମ କରୁଛୁ। ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ମୁକ୍ତହସ୍ତରେ ଅର୍ଥ ଦାନ କରିବାକୁ ମୁଁ ବିଶ୍ଵବାସୀଙ୍କୁ ନିବେଦନ କରୁଛି”, କହିଛନ୍ତି ପିନରାଇ ବିଜୟନ।
କେରଳ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରେ ଜୁଲାଇ ୩୦ ତାରିଖ ପରେ ଆସିଥିବା ଅର୍ଥ ୱାୟନାଡ ଭୂସ୍ଖଳନରେ ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଘୋଷଣା କରିଛନ୍ତି।
ମଙ୍ଗଳବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ୱାୟନାଡ ଜିଲ୍ଲାର ମେପ୍ପଡି, ମୁବାଡକାଇ ଏବଂ ଚୁରାଲ ପାହାଡ଼ିଆ ଅଞ୍ଚଳରେ କ୍ରମାଗତ ୩ଟି ଭୂସ୍ଖଳନ ହୋଇଥିଲା। ଏଥିରେ ୫ଟି ଗାଁ ସଂପୂର୍ଣ୍ଣ ଭାବେ ଭାସି ଯାଇଥିଲା। ଏହି ସବୁ ଗାଁର ପ୍ରାୟ ୪୦୦ରୁ ଅଧିକ ଲୋକେ ମାଟି ତଳେ ଚାପି ହୋଇ ଯାଇଥିବା କୁହାଯାଉଛି।
ଭୋର୍ ସମୟରେ ଅଧିକାଂଶ ଲୋକ ଶୋଇଥିବାରୁ ଏହି ଭୂସ୍ଖଳନ ବାବଦରେ ଜାଣିନପାରି ଏହାର ଶିକାର ହୋଇଥିଲେ। ଭୂସ୍ଖଳନ ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ରାସ୍ତାଘାଟ, ଦୋକାନ ବଜାର, ରେଳଧାରଣା ସମେତ ଅନ୍ୟ ଘରଦ୍ଵାର ବ୍ୟାପକ କ୍ଷୟକ୍ଷତି ଘଟିଛି।
Tags: #Landslide #CMReliefFund #Disaster #Wayanad #Kerela