ଆଶିଷ କୁମାର ରାୟ
ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିଥିବା ଭାରତୀୟ ସୁଟର ମନୁ ଭାକର ଏବେ ପ୍ରସିଦ୍ଧିର ଶିଖରରେ। ଆମ ଦେଶର ଅଗଣିତ କ୍ରୀଡ଼ାପ୍ରେମୀ ତାଙ୍କ ପ୍ରଶଂସାରେ ଶତମୁଖ। ସମସ୍ତେ ତାଙ୍କୁ ଏବେ ସାବାସୀ ଦେବାରେ ଲାଗିଛନ୍ତି। ତାଙ୍କର କୃତିତ୍ୱ ଭାରତୀୟ କ୍ରୀଡ଼ା ପାଇଁ ଆଣି ଦେଇଛି ଅବିସ୍ମରଣୀୟ ସଫଳତା।
ପ୍ୟାରିସରେ ଅଲିମ୍ପିକ୍ସରେ ମନୁ ଭାକର ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରିଥିବା ବେଳେ ଆଉ ଗୋଟିଏ ପଦକ ତାଙ୍କ ହାତରୁ ଅଳ୍ପେକେ ଖସିଯାଇଛି। ଜୁଲାଇ ୨୮ ତାରିଖ ଦିନ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ଗୋଟିଏ ବ୍ରୋଞ୍ଜପଦକ ହାସଲ କରିବାର ଦୁଇଦିନ ପରେ ଜୁଲାଇ ୩୦ ତାରିଖ ଦିନ ସେ ସରବଜୋତ ସିଂହଙ୍କ ସହିତ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ମଧ୍ୟ ହାସଲ କରିଛନ୍ତି ଆଉ ଏକ ବ୍ରୋଞ୍ଜପଦକ। ଏହି ସଫଳତା ମନୁଙ୍କୁ ଏବେ ଭାରତବର୍ଷର ଘରେ ଘରେ ପରିଚିତ କରାଇ ଦେଇଛି।
ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ
ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରି ମନୁ ଭାକର ଭାରତର ପ୍ରଥମ ମହିଳା ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ୧୨୪ ବର୍ଷ ପୂର୍ବେ ୧୯୦୦ ମସିହାରେ ଆୟୋଜିତ ଅଲିମ୍ପିକ କ୍ରୀଡ଼ାର ଦ୍ୱିତୀୟ ସଂସ୍କରଣରେ କୋଲକାତାରେ ଅବସ୍ଥାନ କରୁଥିବା ଜଣେ ବ୍ରିଟିଶ୍ ବଂଶୋଦ୍ଭବ ଭାରତୀୟ ଆଥଲେଟ୍ ଦୁଇଟି ରୌପ୍ୟପଦକ ଜିତିଥିଲେ। ତାଙ୍କର ନାମ ଥିଲା ନର୍ମାନ୍ ପିଟ୍ଚାର୍ଡ।
ନର୍ମାନ୍ ରୌପ୍ୟ ପଦକ ଦୁଇଟି ଜିତିଥିଲେ ୨୦୦ମିଟର ଦୌଡ଼ ଓ ୨୦୦ମିଟର ହର୍ଡଲ୍ସରେ। ଆଉ ଏବେ ମନୁ ଅଲିମ୍ପକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ତେବେ ସଂଯୋଗର ବିଷୟ ହେଲା ଯେ ଉଭୟ ଘଟଣା ଘଟିଛି ଫ୍ରାନ୍ସର ରାଜଧାନୀ ପ୍ୟାରିସଠାରେ। ୧୯୦୦ ମସିହାର ଅଲିମ୍ପିକ ପ୍ୟାରିସଠାରେ ଖେଳାଯାଇଥିବା ବେଳେ ୨୦୨୪ର ଅଲିମ୍ପିକ ମଧ୍ୟ ପ୍ୟାରିସରେ ହିଁ ଅନୁଷ୍ଠିତ ହୋଇଛି।
ଖେଳ ପ୍ରତି ଆଗ୍ରହ
ହରିୟାଣାର ଝାଜ୍ଜର ଜିଲ୍ଲାର ଗୋରିୟା ନାମକ ଏକ ଅଖ୍ୟାତ ପଲ୍ଲୀରେ ୧୮ ଫେବ୍ରୁଆରୀ ୨୦୦୨ରେ ଭୂମିଷ୍ଠ ହୋଇଥିବା ମନୁ ପିଲାଦିନେ ଅନେକଗୁଡ଼ିଏ ଖେଳ ପ୍ରତି ଆକର୍ଷିତ ହୋଇଥିଲେ। ପ୍ରକୃତରେ ଦେଖିବାକୁ ଗଲେ ଖେଳ ହିଁ ଥିଲା ତାଙ୍କ ଜୀବନର ଅଙ୍ଗ। ପାଠପଢ଼ା ସହିତ ବିଭିନ୍ନ ଖେଳ ଖେଳିବା ଥିଲା ତାଙ୍କର ସଉକ। ତାହା ଦୌଡ଼କୁଦ ହେଉ ଅଥବା ଅନ୍ୟ ଯେ କୌଣସି ଖେଳ ସବୁଥିରେ ଥିଲା ତାଙ୍କର ଆଗ୍ରହ।
୧୪ ବର୍ଷ ବୟସରେ ହୁଏନ୍ ଲାଙ୍ଗଲେନ୍ ନାମକ ଏକ ମଣିପୁରୀ ମାର୍ଶାଲ ଆର୍ଟରେ ମଧ୍ୟ ସେ ପାରଦର୍ଶିତା ଅର୍ଜନ କରିଥିଲେ। ଏହାପରେ ବକ୍ସିଂ, ଟେନିସ ଏବଂ ରୋଲର ସ୍କେଟିଂ ପ୍ରତି ମଧ୍ୟ ମନୁଙ୍କର ରୁଚି ବଢ଼ିଥିଲା। ଏହି ଖେଳମାନଙ୍କରେ ସେ ସବ୍ ଜୁନିଅର ଓ ଜୁନିଅର ବିଭାଗରେ ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କାର ମଧ୍ୟ ହାସଲ କରିଥିଲେ। ତେବେ ମର୍ଚ୍ଚାଣ୍ଟ ନେଭୀରେ ଚିଫ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ପିତା ରାମକିଶନ୍ ଭାକରଙ୍କ ପରାମର୍ଶ କ୍ରମେ ସେ ପିସ୍ତଲ ଶୁଟିଂ କ୍ରୀଡ଼ାକୁ ଆପଣାଇ ନେବା ପରେ ଅନ୍ୟ ଖେଳ ସବୁ ପଛକୁ ରହିଗଲା।
ପିସ୍ତଲ ଶୁଟିଂରେ ମିଳିଲା ଆଶାତୀତ ସଫଳତା
ପିସ୍ତଲ ଶୁଟିଂରେ ସଫଳତାର ସ୍ୱାଦ ଚାଖିବାରେ ମନୁଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିଲା ନାହିଁ। ଜୁନିଅର ସ୍ତରର ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଲାଭ କରିବା ପରେ ମାତ୍ର ୧୫ ବର୍ଷ ବୟସରେ ତାଙ୍କୁ ମିଳିଥିଲା ପ୍ରଥମ ଆନ୍ତର୍ଜାତିକ ସଫଳତା। ୨୦୧୭ରେ ଅନୁଷ୍ଠିତ ଏସୀୟ ଜୁନିଅର ଚାମ୍ପିୟନଶିପ୍ରେ ସେ ହାସଲ କରିଥିଲେ ରୌପ୍ୟ ପଦକ।
ସେହିବର୍ଷ କେରଳରେ ଆୟୋଜିତ ଜାତୀୟ କ୍ରୀଡ଼ାରେ ମନୁ ଭାକର ଜିତିଥିଲେ ନଅଟି ସ୍ୱର୍ଣ୍ଣପଦକ। ଏହି ପ୍ରତିଯୋଗିତା ଅବସରରେ ସେ ୨୦୧୨ର ଅଲିମ୍ପିଆନ୍ ହୀନା ସିଦ୍ଧୁଙ୍କୁ ହରାଇବାର କୃତିତ୍ୱ ହାସଲ କରିଥିଲେ। ୨୦୧୮ରେ ସେ ଯେତେବେଳେ ମେକ୍ସିକୋରେ ଅନୁଷ୍ଠିତ ଆଇଏସଏସଏଫ୍ ବିଶ୍ୱକପରେ ୧୦ ମିଟର ଏୟାର ପିସ୍ତଲର ସ୍ୱର୍ଣ୍ଣ ଜିତିଲେ ସେତେବେଳେ ତାଙ୍କୁ ହୋଇଥିଲା ମାତ୍ର ୧୬ ବର୍ଷ।
ଆନ୍ତର୍ଜାତିକ ସୁଟିଂ ସ୍ପୋର୍ଟସ୍ ଫେଡେରେସନ୍ ଦ୍ୱାରା ଆୟୋଜିତ ସମ୍ମାନଜନକ ବିଶ୍ୱକପ ପ୍ରତିଯୋଗିତାରେ ସେ ଥିଲେ ସର୍ବକନିଷ୍ଠ ସ୍ୱର୍ଣ୍ଣ ବିଜେତା। ସେହି ବିଶ୍ୱକପରେ ସେ ଓମ୍ ପ୍ରକାଶ ମିଥ୍ରାୱାଲଙ୍କ ସହିତ ଏୟାର ପିସ୍ତଲ ମିଶ୍ରିତ ଯୁଗଳର ସ୍ୱର୍ଣ୍ଣ ମଧ୍ୟ ଜିତିଥିଲେ। ପୂର୍ବରୁ ସେହିବର୍ଷ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୋଟିଏ ସ୍ୱର୍ଣ୍ଣ ତଥା ଆର୍ଜେଣ୍ଟିନାର ବୁଏନସ୍ ଆୟାର୍ସରେ ଆୟୋଜିତ ୟୁଥ୍ ଅଲିମ୍ପିକ୍ରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ସେ ରୌପ୍ୟ ଜିତିଥିଲେ। ଜୁନିଅର ବିଶ୍ୱ ଚାମ୍ପିଆନଶିପରେ ଚାରିଟି ସ୍ୱର୍ଣ୍ଣ, ସିନିଅର ବିଶ୍ୱକପରେ ନଅଟି ସ୍ୱର୍ଣ୍ଣ, ଏସୀୟ ଶୁଟିଂ ପ୍ରତିଯୋଗିତାରେ ଚାରିଟି ସ୍ୱର୍ଣ୍ଣ ଜିତିବା ହେଉଛି ମନୁଙ୍କର ଉଲ୍ଲେଖନୀୟ କୃତିତ୍ୱ।
ଟୋକିଓ ଅଲିମ୍ପିକର ନିରାଶା
୨୦୨୧ରେ ଆୟୋଜିତ ଟୋକିଓ ଅଲିମ୍ପିକରେ ମନୁ ଭାକର ଥିଲେ ପଦକର ଦାବିଦାର। ତେବେ ୧୦ ମିଟର ଏୟାର ପିସ୍ତଲରେ ତାଙ୍କ ବନ୍ଧୁକ ଖରାପ ହୋଇଯିବାରୁ ସେ ଦ୍ୱାଦଶ ସ୍ଥାନରେ ରହିଗଲେ, ଯାହାକି ଥିଲା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ୨୫ ମିଟର ପିସ୍ତଲରେ ମଧ୍ୟ ତାଙ୍କୁ ମିଳିଥିଲା ୧୫ତମ ସ୍ଥାନ। ଏତଦ୍ବ୍ୟତୀତ ଟୋକିଓ ଅଲିମ୍ପିକ୍ରେ ମନୁଙ୍କର ଏୟାର ପିସ୍ତଲ ମିଶ୍ରିତ ଯୁଗଳ ପ୍ରତିଯୋଗିତାରେ ମଧ୍ୟ ପଦକର ସମ୍ଭାବନା ଥିଲା, କିନ୍ତୁ ଏଥିରେ ସେ ଓ ତାଙ୍କ ଯୋଡ଼ିଦାର ସୌରଭ ଚୌଧରୀ ସପ୍ତମ ସ୍ଥାନରେ ରହି ପଦକ ହାତଛଡ଼ା କଲେ।
ମନୁ ଓ ସୌରଭଙ୍କ ଯୋଡ଼ି ବିଭିନ୍ନ ପ୍ରତିଯୋଗିତାରେ ମିକ୍ସଡ୍ ଇଭେଣ୍ଟରେ ବିଜୟୀ ହୋଇଥିଲେ ହେଁ ଅଲିମ୍ପିକରେ ବିଫଳ ହେଲେ। ସୌରଭ ମଧ୍ୟ ପୁରୁଷ ଏୟାର ପିସ୍ତଲ ଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ଭାରତୀୟ ଶୁଟିଂ ଦଳ ଟୋକିଓରୁ ଶୂନ୍ୟ ହସ୍ତରେ ପ୍ରତ୍ୟାବର୍ତ୍ତନ କରିଥିଲା। ମନୁ ସେଠାରୁ କାନ୍ଦି କାନ୍ଦି ଫେରିଥିଲେ ଏବଂ ଶୁଟିଂ ଛାଡ଼ିଦେବା ପାଇଁ ମଧ୍ୟ ଚିନ୍ତା କରିଥିଲେ। ଏହି ସମୟରେ ପିତା ରାମକିଶନ ଏବଂ ମାତା ସୁମେଧା ତାଙ୍କୁ ସାନ୍ତ୍ୱନା ଦେଇଥିଲେ ଏବଂ ଖେଳ ଜାରି ରଖିବା ପାଇଁ ପ୍ରବର୍ତ୍ତାଇଥିଲେ।
ବିଶ୍ୱ ଚାମ୍ପିଆନଶିପରେ ସଫଳତା
ପୂର୍ବରୁ ଭାରତର ପ୍ରସିଦ୍ଧ ପିସ୍ତଲ ଶୁଟର ଜଶପାଲ ରାଣାଙ୍କଠାରୁ ମନୁ ପ୍ରଶିକ୍ଷଣ ନେଉଥିଲେ, କିନ୍ତୁ ଟୋକିଓ ଅଲିମ୍ପିକର ବିଫଳତା ଯୋଗୁଁ ସେମାନେ ଅଲଗା ହୋଇଯାଇଥିଲେ। ତେବେ ଦୁଇବର୍ଷ ତଳେ ମତପାର୍ଥକ୍ୟକୁ ଭୁଲି ପୂର୍ବତନ ପ୍ରଶିକ୍ଷକ ଜଶପାଲ ରାଣାଙ୍କ ତତ୍ତ୍ୱାବଧାନରେ ପୁନର୍ବାର ରହିବା ଫଳରେ ମନୁଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଲା। ପୁନର୍ବାର ସେ ବିଭିନ୍ନ ପ୍ରତିଯୋଗିତା ଜିତିବା ଆରମ୍ଭ କଲେ।
ପୂର୍ବରୁ ମନୁ କେବେ ବିଶ୍ୱ ଶୁଟିଂ ଚାମ୍ପିଆନଶିପରେ ପଦକ ଜିତି ନଥିବାବେଳେ ୨୦୨୨ରେ ଇଜିପ୍ଟର କାଏରୋଠାରେ ଅନୁଷ୍ଠିତ ବିଶ୍ୱ ପ୍ରତିଯୋଗିତାର ଟିମ୍ ଇଭେଣ୍ଟରେ ରୌପ୍ୟ ଜିତିଲେ। ଏହାପରେ ୨୦୨୩ରେ ଅଜାରବୈଜାନର ରାଜଧାନୀ ବାକୁଠାରେ ବିଶ୍ୱ ଚାମ୍ପିଆନଶିପରେ ତାଙ୍କୁ ମିଳିଲା ୨୫ ମିଟର ପିସ୍ତଲ ଟିମ୍ ଇଭେଣ୍ଟର ସ୍ୱର୍ଣ୍ଣପଦକ। ଏଥରେ ତାଙ୍କର ସାଥୀ ଥିଲେ ରିଦିମ୍ ସାଙ୍ଗୱାନ ଓ ଈଶା ସିଂହ। ଏହି ତିନିଜଣ ମଧ୍ୟ ଗତବର୍ଷ ହାଙ୍ଗଝାଉ ଏସିଆଡ଼ରେ ସ୍ୱର୍ଣ୍ଣ ଜିତିଥିଲେ।
ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ
ଏବେ ସବୁଠାରୁ ବଡ଼ ପୁରସ୍କାର ସ୍ୱରୂପ ମନୁଙ୍କୁ ମିଳିଛି ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜପଦକ। ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ଦକ୍ଷିଣ କୋରିଆର ଦୁଇଜଣ ପ୍ରତିଯୋଗୀ ଓହ୍ ୟେ ଜିନ୍ ଏବଂ କିମ୍ ୟେ ଜି ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ଜିଣି ନେଇଥିବା ବେଳେ ମନୁ ଭାକରଙ୍କୁ ମିଳିଲା ବ୍ରୋଞ୍ଜପଦକ। ଏଥିରେ ମନୁଙ୍କର ରୌପ୍ୟ ଜିଣିବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ଠିକ୍ ସମୟରେ କିମ୍ ୟେ ଜି ଅଧିକ ପଏଣ୍ଟ ସ୍କୋର କରିବାରୁ ମନୁଙ୍କୁ ବ୍ରୋଞ୍ଜ ପଦକରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଲା।
ସେହିଭଳି ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଯୁଗଳରେ ମନୁ ଭାକର ଓ ସରବଜୋତ ସିଂହଙ୍କ ଯୋଡ଼ି ବ୍ରୋଞ୍ଜ ପଦକ ମୁକାବିଲାରେ ଦକ୍ଷିଣ କୋରିଆର ଯୋଡ଼ି ଓହ୍ ୟେ ଜିନ୍ ଏବଂ ଲୀ ୱାନ୍ହୋଙ୍କୁ ୧୬-୧୦ରେ ପରାସ୍ତ କରି ଦେଇଥିଲେ। ଏଥିରେ ସର୍ବିୟାର ଜୋରନା ଅରୁନୋଭିଚ୍ ଏବଂ ଦାମିର ମିକେଚ୍ ସ୍ୱର୍ଣ୍ଣ ଜିତିଥିବା ବେଳେ ତୁର୍କୀର ସେଭେଲ୍ ତାହରାନ୍ ଓ ୟୁସୁଫ ଦିକେଚ୍ଙ୍କୁ ରୌପ୍ୟ ମିଳିଥିଲା। କ୍ୱାଲିଫାଇଙ୍ଗ୍ ରାଉଣ୍ଡରେ ଆଉ ଗୋଟିଏ ପଏଣ୍ଟ ପାଇଥିଲେ ମନୁ ଓ ସରବଜୋତ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପାଇଁ ମୁକାବିଲାରେ ଅବତୀର୍ଣ୍ଣ ମଧ୍ୟ ହୋଇ ପାରିଥାନ୍ତେ।
ଅଲିମ୍ପିକ୍ସରେ ହାତଛଡ଼ା ହେଲା ତୃତୀୟ ପଦକ
ମନୁଙ୍କ ନିକଟରେ ପ୍ୟାରିସ ଅଲିମ୍ପିକ୍ସରେ ତୃତୀୟ ପଦକ ଜିତିବାର ସୁଯୋଗ ମଧ୍ୟ ଥିଲା। ୨୫ ମିଟର ପିସ୍ତଲ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ସେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଆସିଥିଲେ। ତେବେ ଫାଇନାଲରେ ଦକ୍ଷିଣ କୋରିଆ, ଫ୍ରାନ୍ସ ଓ ହଙ୍ଗେରୀର ଶୁଟର୍ ପ୍ରଥମ ତିନିଟି ସ୍ଥାନ ଦଖଲ କରିନେବାରୁ ମନୁ ରହିଗଲେ ଚତୁର୍ଥ ସ୍ଥାନରେ। ତାଙ୍କୁ ଅଳ୍ପକେ ପଦକରୁ ବଞ୍ଚିତ ରହିବାକୁ ପଡ଼ିଲା, ଯାହାକି ଥିଲା ଅତ୍ୟନ୍ତ ଦୁଃଖଦାୟକ।
ତେବେ ସେ ଯାହା ହେଉ ନା କାହିଁକି ଅଲିମ୍ପିକ୍ସରେ ତାଙ୍କର ଦୁଇଟି ବ୍ରୋଞ୍ଜପଦକ ବିଜୟ ମଧ୍ୟ ଭାରତ ପାଇଁ କିଛି କମ ଆନନ୍ଦଦାୟକ ନଥିଲା। ଏହି ଉପଲବ୍ଧି ପାଇଁ ତାଙ୍କ ନିକଟକୁ ଏବେ ପ୍ରଶଂସାର ସୁଅ ଛୁଟିଛି।
Tags: #ManuBhaker #ParisOlympics #Shooting #BronzeMedal #Sports #India