ଆଶିଷ କୁମାର ରାୟ

ପ୍ୟାରିସ ଅଲିମ୍ପିକ୍ସ ସୁଟିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଭାରତୀୟ ସୁଟର ସ୍ୱପ୍ନିଲ କୁସାଲେ। ସେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି। ଏଥିପାଇଁ ସାରା ଭାରତର କ୍ରୀଡ଼ାନୁରାଗୀଙ୍କ ମଧ୍ୟରେ ସେ ଏବେ ଜଣେ ପ୍ରିୟ ଖେଳାଳିରେ ପରିଣତ ହୋଇ ଯାଇଛନ୍ତି। ଅଲିମ୍ପିକ୍ସରେ ପଦକ ଜିତିବାର ସ୍ୱପ୍ନିଲଙ୍କ ସ୍ୱପ୍ନ ପୂରଣ ହୋଇଛି। ତାଙ୍କ ନାଁ ଏବେ ଭାରତର ଘରେ ଘରେ ପରିଚିତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। 

ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ

ପ୍ୟାରିସ ଅଲିମ୍ପିକ୍ସ ବନ୍ଧୁକଚାଳନା ପ୍ରତିଯୋଗିତାର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ଅଂଶଗ୍ରହଣ ନିମନ୍ତେ ଯୋଗ୍ୟତା ହାସଲ କରିଥିଲେ ଭାରତର ଦୁଇଜଣ ଖେଳାଳି। ଜଣେ ହେଲେ ଐଶ୍ଵର୍ଯ୍ୟ ପ୍ରତାପ ସିଂହ ତୋମର ଏବଂ ଅନ୍ୟ ଜଣକ ସ୍ୱପ୍ନିଲ କୁସାଲେ। ପୂର୍ବରୁ ଏ ଦୁହିଁଙ୍କ ମଧ୍ୟରୁ ଐଶ୍ଵର୍ଯ୍ୟ ପ୍ରତାପ ସିଂହ ତୋମରଙ୍କୁ ହିଁ ଏହି ଖେଳରେ ଭାରତର ପ୍ରମୁଖ ଖେଳାଳି ଭାବେ ବିବେଚନା କରାଯାଉଥିଲା।  

ଆଜରବୈଜାନର ବାକୁଠାରେ ଗତବର୍ଷ ଆୟୋଜିତ ବିଶ୍ୱ ସୁଟିଂ ଚାମ୍ପିୟନସିପରେ ଐଶ୍ଵର୍ଯ୍ୟ ଏହି ଇଭେଣ୍ଟର ଦଳଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ସ୍ୱପ୍ନିଲ ସେ ଦଳର ସଦସ୍ୟ ମଧ୍ୟ ନଥିଲେ। ହେଲେ ତା ପୂର୍ବବର୍ଷ ଅର୍ଥାତ୍ ୨୦୨୨ରେ ଇଜିପ୍ଟର କଏରୋଠାରେ ଆୟୋଜିତ ବିଶ୍ୱ ଚାମ୍ପିଆନଶିପରେ ସ୍ୱପ୍ନିଲ ଚତୁର୍ଥ ସ୍ଥାନରେ ରହି ଅଲିମ୍ପିକ ସକାଶେ କୋଟା ହାସଲ କରିନେଇଥିଲେ ଏବଂ ଏହିବର୍ଷ ଭାରତର ଜାତୀୟ ରାଇଫଲ ସଂଘ ଦ୍ୱାରା କରା ଯାଇଥିବା ଟ୍ରାଏଲରେ ଉନ୍ନତ ପ୍ରଦର୍ଶନ କରି ଐଶ୍ଵର୍ଯ୍ୟଙ୍କ ସହିତ ସେ ଅଲିମ୍ପିକ୍ସକୁ ଆସିଥିଲେ ।

ଅପ୍ରତ୍ୟାଶିତ ପଦକ

ସ୍ୱପ୍ନିଲ ଯେ ଅଲିମ୍ପିକ୍ସରେ ପଦକ ଜିତିବେ ତାହା ଥିଲା ସମସ୍ତଙ୍କ କଳ୍ପନାର ବାହାରେ। ଯଦି କେହି ପଦକ ଜିତନ୍ତି ତେବେ ଐଶ୍ଵର୍ଯ୍ୟ ପ୍ରତାପ ହିଁ ପଦକ ଜିତିବେ ବୋଲି ଅନେକେ କହୁଥିଲେ। କ୍ୱାଲିଫାଇଙ୍ଗ୍ ରାଉଣ୍ଡରେ କିନ୍ତୁ ଐଶ୍ଵର୍ଯ୍ୟ ରହିଗଲେ ୧୧ତମ ସ୍ଥାନରେ। ଅନ୍ୟ ଦିଗରେ ଯୋଗ୍ୟତା ପର୍ଯ୍ୟାୟରେ ସପ୍ତମ ସ୍ଥାନ ହାସଲ କରିଥିଲେ ସ୍ୱପ୍ନିଲ କୁସାଲେ।

କ୍ୱାଲିଫାଇଙ୍ଗ ରାଉଣ୍ଡରେ ଚୀନର ଲିଉ ୟୁକୁନ୍ ସର୍ବାଧିକ ୫୯୪ ପଏଣ୍ଟ ହାସଲ କରିଥିବା ବେଳେ ସ୍ୱପ୍ନିଲ ୫୯୦ ଏବଂ ଐଶ୍ଵର୍ଯ୍ୟ ୫୮୯ ପଏଣ୍ଟ ପାଇଥିଲେ। ଏଥିରେ ନରୱେର ଜନ୍ ହରମନ୍ ହେଗ୍ ୫୯୩ ପଏଣ୍ଟ ସହିତ ଦ୍ୱିତୀୟରେ ଥିଲେ। ଅନ୍ୟ ତିନିଜଣ ଖେଳାଳି ୫୯୨ ସ୍କୋର ଏବଂ ଜଣେ ୫୯୧ ସ୍କୋର କରିଥିଲେ। ସ୍ୱପ୍ନିଲଙ୍କ ସମେତ ତିନିଜଣ ୫୯୦ ପଏଣ୍ଟ ପାଇବାରୁ ଐଶ୍ଵର୍ଯ୍ୟଙ୍କ ୫୮୯ ପଏଣ୍ଟ ତାଙ୍କୁ ଫାଇନାଲକୁ ନେବା ପାଇଁ ଯଥେଷ୍ଟ ହୋଇନଥିଲା। ଅନ୍ୟ ଦିଗରେ ଫାଇନାଲକୁ ଯାଇଥିବା ଆଠଜଣଙ୍କ ମଧ୍ୟରେ ସାମିଲ ହୋଇଯାଇଥିଲେ ସ୍ୱପ୍ନିଲ। ତେବେ ସପ୍ତମ ସ୍ଥାନରେ ଥିବାରୁ ତାଙ୍କର ପଦକ ଜିତିବାରେ ସନ୍ଦେହ ରହିଥିଲା। ଫାଇନାଲରେ କିନ୍ତୁ ସମସ୍ତ ସମୀକରଣକୁ ସେ ଓଲଟପାଲଟ କରିଦେଲେ।

ପ୍ରଥମେ ଆରମ୍ଭ ହୋଇଥିବା ନିଲିଙ୍ଗ୍ ପୋଜିସନ ବା ଆଣ୍ଠେଇବା ଶୈଳୀର ଶୁଟିଂରେ ସ୍ୱପ୍ନିଲ ଯୁଗ୍ମ ପଞ୍ଚମ ସ୍ଥାନରେ ଥିଲେ। ଏହାପରେ ପ୍ରୋନ୍ ପୋଜିସନ୍ ବା ପେଟେଇବା ସ୍ଥିତିରେ ସୁଟିଂ ମଧ୍ୟ ସେ ରହିଥିଲେ ପଞ୍ଚମ ସ୍ଥାନରେ। ସେ ପର୍ଯ୍ୟନ୍ତ ତାଙ୍କର ମେଡାଲ ଜିତିବାର ସମ୍ଭାବନା କମ ଥିଲା କହିଲେ କିଛି ଭୁଲ ହେବନାହିଁ।

ଶେଷରେ ଆରମ୍ଭ ହେଲା ଷ୍ଟାଣ୍ଡିଂ ପୋଜିସନ୍ ବା ଠିଆ ହୋଇ ବନ୍ଧୁକଚାଳନା ରାଉଣ୍ଡ। ଏହି ଶୈଳୀରେ ସେ ଚମତ୍କାର ପ୍ରଦର୍ଶନ କରିବା ସହିତ ଦୁଇଜଣଙ୍କୁ ପଛରେ ପକାଇ ଚାଲି ଆସିଲେ ତୃତୀୟ ସ୍ଥାନକୁ ଏବଂ ଶେଷ ପର୍ଯ୍ୟନ୍ତ ଏହି ସ୍ଥାନ ବଜାୟ ରଖିଥିଲେ। ଚୀନର ଲିଉ ୟୁକୁନ୍ ଏବଂ ୟୁକ୍ରେନର ସେରହାଇ କୁଲିଶ୍‌ଙ୍କ ପଛକୁ ରହି ସେ ଏହି ବ୍ରୋଞ୍ଜପଦକଟି ହାସଲ କରିନେଲେ, ଯାହାକି ସ୍ୱପ୍ନିଲଙ୍କ ପାଇଁ ଥିଲା ଏକ ବିରାଟ ସଫଳତା। 

୬ ଅଗଷ୍ଟ ୧୯୯୫ରେ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର କମ୍ବଲବାଡ଼ିରେ ଜନ୍ମଗ୍ରହଣ କରିଥିବା ସ୍ୱପ୍ନିଲ ବହୁ କଷ୍ଟରେ ନିଜର ଏହି ପ୍ରିୟ ଖେଳରେ ପାରଦର୍ଶିତା ହାସଲ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ କ୍ରୀଡ଼ା ପ୍ରବୋଧିନୀ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ନେଇ ସେ ଏତେ ବାଟକୁ ଆସି ପରିଛନ୍ତି। ନଚେତ ଜଣେ ମଧ୍ୟବିତ୍ତ ଘରର ପିଲା ସୁଟିଂ ଭଳି କ୍ରୀଡ଼ାରେ ଆଗକୁ ଆସିବା ଏତେ ସହଜ କଥା ନୁହେଁ।

ଭାରତର ପୂର୍ବତନ ଶୁଟର ଦୀପାଲି ଦେଶପାଣ୍ଡେଙ୍କ ପ୍ରଶିକ୍ଷଣ ହିଁ ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଛି। ମାତା ଅନିତା ଓ ପିତା ସୁରେଶଙ୍କ ଆଶୀର୍ବାଦ ମଧ୍ୟ ସବୁବେଳେ ରହିଛି ତାଙ୍କ ସହିତ । ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଜର ଆଦର୍ଶ ମାନୁଥିବା ସ୍ୱପ୍ନିଲ ଭବିଷ୍ୟତରେ ମଧ୍ୟ ଦେଶପାଇଁ ଆହୁରି ଅଧିକ ସଫଳତା ପାଇବା ନିମନ୍ତେ ଉଦ୍ୟମ କରିବେ ନିଶ୍ଚୟ। 

Tags: #SwapnilKusale #ParisOlympics #Shooting #BronzeMedal #Sports #India

LEAVE A REPLY

Please enter your comment!
Please enter your name here