ସତୀଶ ଶର୍ମା

ପ୍ୟାରିସ ଅଲିମ୍ପିକ୍ସ ଉଦଯାପିତ ହୋଇଛି। ୧୭ ଦିନ ଧରି ଚାଲିଥିବା ଏହି ବିଶ୍ଵ କ୍ରୀଡ଼ା ମହାସମରରେ ଭାରତର ୧୧୭ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ସେମାନେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇ ମାତ୍ର ଗୋଟିଏ ରୌପ୍ୟ, ପାଞ୍ଚଟି ବ୍ରୋଞ୍ଜ ପଦକ ଜିଣି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ଟୋକିଓ ଅଲିମ୍ପିକରେ ଭାରତ ଗୋଟିଏ ସ୍ଵର୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ଜିତିଥିଲା।

ଏଥର ଭାରତ ୧୦ରୁ ଅଧିକ ପଦକ ଜିତିବା ଲକ୍ଷ୍ୟ ରଖି ପ୍ୟାରିସ ଯାଇଥିଲା, ହେଲେ ଏହା ସମ୍ଭବ ହେଲା ନାହିଁ। ଏଣୁ ଭାରତୀୟ ପ୍ରଦର୍ଶନକୁ “ହୃଦୟ ଭାଙ୍ଗିବା ଭଳି” କୁହା ଯାଇପାରେ। ଭାରତ ଯେତିକି ପଦକ ଜିତିଛି ପ୍ରାୟ ସେତିକି ପଦକକୁ ହାତଛଡ଼ା ମଧ୍ୟ କରିଛି।

ଟୋକିଓରେ ନୀରଜ ଚୋପ୍ରା ସ୍ଵର୍ଣ୍ଣ ପଦକ ଜିତି ଥିବାବେଳେ ଏଥର ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ପୁରୁଷ ହକିରେ ଭାରତୀୟ ଦଳ ନିଜ ବ୍ରୋଞ୍ଜ ପଦକ ଉପରେ ଅଧିକାର ବଯାଏ ରଖିଛି। ଭାରତକୁ କୁସ୍ତିରେ ଗୋଟିଏ ଏବଂ ଅନ୍ୟ ୩ଟି କାଂସ୍ୟ ପଦକ ସୁଟିଂରେ ମିଳିଛି।

ହରିୟାଣାର ଝିଅ ମନୁ ଭାକର ସୁଟିଂରେ ଗୋଟିଏ ନୁହେଁ ଅପିତୁ ଦୁଇଟା ପଦକ ଜିଣି ଏକ ନୂତନ ଇତିହାସ ରଚନା କରିଛନ୍ତି। ସୁଟିଂରେ ଅଲିମ୍ପିକ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ମହିଳା ହେବା ସହ ସ୍ଵାଧୀନତା ଗୋଟିଏ ଅଲିମ୍ପିକରେ ଦୁଇଟା ପଦକ ଜିତିବା ଶ୍ରେୟ ପାଇବାରେ ସେ ପ୍ରଥମ ଭାରତୀୟ।

ମନୁ ଭାକର ୧୦ ମିଟର ଏୟାର ପିସ୍ତଲରେ ତା’ର ପ୍ରଥମ ବ୍ରୋଞ୍ଜ ପଦକ ଜିତିଥିଲେ। ପରେ ସେ ଏହି ମୁକାବିଲାର ମିକ୍ସଡ ପ୍ରତିସ୍ପର୍ଦ୍ଧାରେ ସରବଜୋତ ସିଂହ ସହ ମିଶି ଦ୍ଵିତୀୟ ପଦକ ହାସଲ କରିଛନ୍ତି। ସୁଟିଂର ଅନ୍ୟ ଗୋଟିଏ ପଦକ ସ୍ଵପ୍ନିଲ୍ କୁଶାଲେ ୫୦ ମିଟର ରାଇଫଲ୍ ୩ ପୋଜିସନରେ ଜିଣିଛନ୍ତି। ଅନ୍ୟ ଗୋଟିଏ ପଦକ କୁସ୍ତିରେ ମିଳିଛି। ୨୧ ବର୍ଷୀୟ ଯୁବ ରେସଲର ଅମନ ସହରାବତ ୫୭ କିଲୋ ଫ୍ରିଷ୍ଟାଇଲ କୁସ୍ତିରେ ଏହି ପଦକ ଜିତିଛନ୍ତି।

ମନୁ ଓ ଅନ୍ୟ ଖେଳାଳି ହରାଇଲେ ପଦକ

ମନୁ ଭାକର ସୁଟିଂରେ ୨ଟି ବ୍ରୋଞ୍ଜ ପଦକ ଅଳ୍ପରେ ତାଙ୍କର ତୃତୀୟ ପଦକ ଜିତିବାରୁ ବଞ୍ଚିତ ହେଲେ। ୨୫ ମିଟର ଏୟାର ପିସ୍ତଲ ସୁଟିଂରେ ସେ ଚତୁର୍ଥ ସ୍ଥାନରେ ରହିଲେ। କେବଳ ମନୁ ନୁହନ୍ତି, ଅନ୍ୟ କିଛି ଖେଳାଳି ମଧ୍ୟ ଗୋଟିଏ ପାଦ ଡେଇଁବାରେ ବିଫଳ ହୋଇ ପଦକରୁ ବଞ୍ଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଟୋକିଓରେ ରୌପ୍ୟ ପଦକ ଜିତି ଥିବା ମୀରାବାଇ ଚାନୁ ମଧ୍ୟ ସାମିଲ ଅଛନ୍ତି।

ମିରାବାଇ ଚାନୁ ଭାରୋତ୍ତଳନ ପ୍ରତିଯୋଗିତାର ୪୯ କିଲୋ ବର୍ଗରେ ଚତୁର୍ଥ ସ୍ଥାନରେ ରହିଥିଲେ। ସେହିପରି ତିରନ୍ଦାଜୀରେ ମିକ୍ସଡ ଟିମ୍ ଇଭେଣ୍ଟରେ ଧୀରଜ ବୋମଦେବରା ଓ ଅଙ୍କିତା ଭଗତଙ୍କ ଯୋଡ଼ି ଆମେରିକାର ଯୋଡ଼ିର ସମକ୍ଷରେ ବ୍ରୋଞ୍ଜ ପଦକ ହରାଇଲେ।

ସୁଟିଂର ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ଭାରତର ଅର୍ଜୁନ ବାବୁତା ଚତୁର୍ଥ ସ୍ଥାନରେ ରହିଲେ। ସେହିପରି ସ୍କିଟ ସୁଟିଂ ମିଶ୍ରିତ ମୁକାବିଲାରେ ଅନନ୍ତଜୀତ ସିଂହ ଏବଂ ମହେଶ୍ଵରୀ ଚୌହାନଙ୍କ ଯୋଡ଼ି ମଧ୍ୟ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହେଲେ।

ବ୍ୟାଡମିଣ୍ଟନରେ ନିରାଶ ହେଲେ ଲକ୍ଷ୍ୟ ସେନ

ଅନ୍ୟପଟେ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଲକ୍ଷ୍ୟ ସେନ ଭଲ ଖେଳ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିବା ସ୍ତରରେ ଥିଲେ। ସମସ୍ତଙ୍କ ଆଶା ଥିଲା ଯେ ଲଷୟ ସେନ ବ୍ରୋଞ୍ଜ ପଦକ ଅବଶ୍ୟ ଆଣିବେ। ପ୍ରଥମ ଗେମ ଜିତିଲା ପରେ ଏହି ଆଶା ଅଧିକ ଦୃଢ଼ିଭୂତ ହୋଇଥିଲା। ତେବେ ଅପ୍ରତ୍ୟାଶିତ ଭାବେ ସେ ଅନ୍ୟ ଦୁଇ ଗେମରେ ଦୁର୍ବଳ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ବିରୋଧୀଙ୍କୁ ଦାନ କରିଦେଲେ। ଏହି ମ୍ୟାଚରେ ଲକ୍ଷ୍ୟ ସେନଙ୍କଠାରେ ଲଢୁଆ ମନୋବୃତିର ଘୋର ଅଭାବ ଦେଖା ଯାଇଥିଲା। 

ଲକ୍ଷ୍ୟ ସେନଙ୍କ ପ୍ରଦର୍ଶନକୁ ଦେଖି ତାଙ୍କର କୋଚ ପୂର୍ବ ବିଶ୍ୱ ଚ୍ୟାମ୍ପିୟାନ ପ୍ରକାଶ ପାଡୁକୋଣ ନିଜର ହତାଶାକୁ ଲୁଚାଇ ପାରିନଥିଲେ। ସେ କହିଥିଲେ, “ଏବେ ସରକାର ଖେଳାଳିମାନଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶ୍ରେଷ୍ଠରୁ ଶ୍ରେଷ୍ଠ ସୁବିଧା ଯୋଗାଇ ଦେଉଛନ୍ତି। ଏହି ପରିସ୍ଥିତିରେ ଖେଳାଳିମାନଙ୍କ ମଧ୍ୟ କିଛି ଦାୟିତ୍ଵ ହେଉଛି କି ସେମାନେ ଖେଳିବା ସମୟରେ ଜିତିବା ପାଇଁ ଚେଷ୍ଟା କରିବେ। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କାମଚଳା ମନୋଭାବରେ ଜିତିବା ସମ୍ଭବପର ହେବ ନାହିଁ।”

ଭିନେଶ ଫୋଗଟଙ୍କ ଅପ୍ରତ୍ୟାଶିତ ବିଦାୟ

ଚଳିତ ଅଲିମ୍ପିକ୍ସରେ ଭାରତୀୟମାନଙ୍କୁ ସବୁଠାରୁ ଅଧିକ ପୀଡ଼ା ଦେଇଛି ମହିଳା ରେସଲର ଭିନେଶ ଫୋଗଟଙ୍କ ଅପ୍ରାକୃତିକ ବିଦାୟ। ମହିଳା କୁସ୍ତି ୫୦ କିଲୋଗ୍ରାମ ବର୍ଗରେ ସେ ଚମତ୍କାର ପ୍ରଦର୍ଶନ କରି ଫାଇନଲରେ ପହଞ୍ଚି ଥିଲେ। ତେବେ ଫାଇନଲ ହେବା ଦିନରେ ଯେତେବେଳେ ନିୟମ ଅନୁସାର ତାଙ୍କର ଓଜନ ମାପ କରାଗଲା, ସେତେବେଳେ ଏହା ଧାର୍ଯ୍ୟ ସୀମାଠାରୁ ୧୦୦ ଗ୍ରାମ ଅଧିକ ରହିଲା।

ଅଲିମ୍ପିକ୍ସ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଆୟୋଜନ ସମିତି ନିୟମରେ କୌଣସି ପ୍ରକାରର ଢିଲା ନକରି ଭିନେଶଙ୍କୁ ଫାଇନଲ ଖେଳିବାରୁ ନିଷିଦ୍ଧ କରିଦେଲେ। ସବୁ ଭାରତୀୟ ଭିନେଶ ସ୍ଵର୍ଣ୍ଣ କିମ୍ବା ରୌପ୍ୟ ପଦକ ପାଇବେ ବୋଲି ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ। ହେଲେ ଏହି ସ୍ତବ୍ଧକାରୀ ଘଟଣାକ୍ରମ ସମସ୍ତଙ୍କୁ ଅତ୍ୟନ୍ତ ପୀଡ଼ାରେ ବୁଡ଼ାଇ ଦେଲା। ଭିନେଶଙ୍କୁ ଏହା ଏତେ ଗଭୀର ଆଘାତ ଦେଲା କି ସେ ପ୍ୟାରିସରେ ହିଁ କୁସ୍ତିରୁ ଅବସର ନେବାର ଘୋଷଣା କରିଦେଲେ।

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଟୋକିଓରୁ ଅଧିକ ପଦକ ଜିତିବା ନେଇ ଆଶ୍ଵସ୍ତ ଥିଲା। ଭାରତର ଏହି ଆଶା କୌଣସି କଳ୍ପନା ଉପରେ ନିର୍ଭର ନହୋଇ ବାସ୍ତବିକ ଭିତ୍ତିରେ ଆକଳନ କରାଯାଇଥିଲା। ତେବେ ଯେଉଁ ଖେଳାଳିମାନଙ୍କଠାରୁ ପଦକ ଆଶା ଥିଲା ସେମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ବିଫଳ ରହିଲେ।

ଯେଉଁ ଖେଳାଳିମାନେ ଅଲିମ୍ପସରେ ନିରାଶ କଲେ ସେମାନଙ୍କ ମଧ୍ୟରେ ପ୍ରମୁଖ ନାମ ହେଉଛି – ମହିଳା ବକ୍ସର ନିଖତ ଜରିନ ଏବଂ ଲଭଲିନା ବୋରଗୋହେନ, ବ୍ୟଡ଼ମିନଟନରେ ପି ଭି ସିନ୍ଧୁ ଏବଂ ପୁରୁଷ ଯୋଡ଼ି ସାତ୍ଵିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟି, ଟେନିସରେ ରୋହନ ବୋପନ୍ନା ଓ ଏସ ବାଲାଜୀ, କୁସ୍ତିରେ ଅନ୍ତିମ ପଙ୍ଘାଲ, ଆଚର୍ରିରେ ଦୀପିକା କୁମାରୀ ଏବଂ ଭଜନ କୌର, ସୁଟିଂରେ ସିଫ୍ଟ କୌର ସାମରା (୫୦ ମିଟର ରାଇଫଲ୍ 3 ପୋଜିସନ)। 

ଚଳିତ ଅଲିମ୍ପିକ୍ସରେ ଅନେକ ଖେଳାଳି ଆଶାରୁ ଅଧିକ ଉଚ୍ଚ ପ୍ରଦର୍ଶନ କରି ସମସ୍ତଙ୍କଠାରୁ ପ୍ରଶଂସା ପାଇଛନ୍ତି। ଏମାନଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ଅଛନ୍ତି ହକି ଗୋଲକିପର ପି ଆର ଶ୍ରୀଜେଶ। ନିଜର ଚତୁର୍ଥ ଅଲିମ୍ପିକ ଓ ଶେଷ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳୁଥିବା ଶ୍ରୀଜେଶ ପ୍ରତିଟି ମ୍ୟାଚରେ ପ୍ରାଚୀର ଭଳି ଛିଡ଼ାହୋଇ ବିରୋଧୀଙ୍କ ଆଶା ଧୂଳିସାତ କରିଥିଲେ। ଶ୍ରୀଜେଶଙ୍କ ପ୍ରଦର୍ଶନରୁ ଅଭିଭୂତ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଦଳର କାଂସ୍ୟ ପଦକକୁ ତାଙ୍କୁ ସମର୍ପିତ କରିଛନ୍ତି।

ସେହିପରି ସୁଟିଂରେ ସରବଜୋତ ସିଂହ, ସ୍ଵପ୍ନିଲ କୁଶାଲେ, ଆଥଲେଟିକ୍ସରେ ଅବିନାଶ ସାଵଲେ ୩୦୦୦ ମିଟର ଷ୍ଟିପଲଚେଜ ଫାଇନଲରେ ପହଞ୍ଚି ନୂତନ ଆଶା ଭାବେ ଉଭା ହୋଇ ଛନ୍ତି। ଅନେକ ସଂଖ୍ୟାରେ ଭାରତୀୟ ଖେଳାଳି ଚତୁର୍ଥ ସ୍ଥାନ ଅଧିକାର କରିବାରୁ ଏହା ସ୍ପଷ୍ଟ ଯେ ଭାରତ ଏବଂ ଅନ୍ୟ ଦେଶର ଖେଳାଳିଙ୍କ ମଧ୍ୟରେ ଅନ୍ତର କମି କମି ଯାଉଛି।

ତେବେ ଆମର ଖେଳାଳିମାନେ ମାନସିକ ଦୃଷ୍ଟିରୁ ଆହୁରି ସବଳ ହେବାର ଆବଶ୍ୟକତା ରହିଛି। ଯେବେ ବି ପଡ଼ିଆରେ ସଙ୍ଘର୍ଷର ସ୍ଥିତି ଉପଜୁଛି ଭାରତୀୟ ଖେଳାଳି ଦୁର୍ବଳ ଦିଶିଛନ୍ତି। “କରା ବା ମରା” ପରିସ୍ଥିତିରେ ଆମ ଖେଳାଳିମାନେ ପ୍ରାୟତଃ ବିଫଳ ହୋଇଛନ୍ତି। ଲଢୁଆ ମନୋବୃତିକୁ ବଢ଼ାଇବାର ଉଦ୍ୟମ ତ ନିଜେ ଖେଳାଳିଙ୍କୁ କରିବାକୁ ପଡ଼ିବ। ପ୍ରତି ଅନ୍ତର୍ଜାତୀୟ ପ୍ରତିଯୋଗୀତରୁ ଖେଳାଳିଙ୍କୁ କିଛି ନ କିଛି ଶିଖିବାକୁ ମିଳେ। ଭାରତୀୟ ଖେଳାଳି ଏହି ଶିକ୍ଷା ଗ୍ରହଣ କରି ତାର ପୁନରାବୃତ୍ତିରୁ ବଞ୍ଚି ପାରିଲେ ସେମାନେ ଚତୁର୍ଥ ସ୍ଥାନ ପରିବର୍ତ୍ତେ ନିଜ ବେକରେ ପଦକ ପିନ୍ଧିକି ଦେଶକୁ ଫେରିବାର ସୌଭାଗ୍ୟ ଅର୍ଜନ କରିପାରିବେ।

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)

Tags: #ParisOlympics #IndianPlayers #Medals #Sports #India

Comment