ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତରେ ପାଳିତ ହେଉଛି ଜାତୀୟ ମହାକାଶ ଦିବସ। ଚନ୍ଦ୍ରଯାନ-୩ ମିଶନର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣକୁ ବର୍ଷେ ପୂରିଛି। ମହାକାଶ କ୍ଷେତ୍ରରେ ଏହି ଉପଲବ୍ଧିକୁ ମନେ ରଖିବା ପାଇଁ ଆଜିର ଦିନକୁ ପାଳନ କରାଯାଇଛି। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।   

୨୦୨୩ ଆଜିର ଦିନରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଥିଲା। ଏହି ଐତିହାସିକ ଦିନରେ ଚନ୍ଦ୍ରଯାନ-୩ ମିଶନର ସଫଳତା ଭାରତକୁ ସମଗ୍ର ବିଶ୍ଵରେ ଅଗ୍ରଣୀ ମହାକାଶ ଶକ୍ତି ଭାବେ ପରିଣତ କରିଥିଲା। ଚଳିତବର୍ଷର ଜାତୀୟ ମହାକାଶ ଦିବସର ଥିମ୍ ରହିଛି ‘ଟଚିଙ୍ଗ ଲାଇଭସ ହ୍ଵାଇଲ୍ ଟଚିଙ୍ଗ ଦ ମୁନ: ଇଣ୍ଡିଆ’ସ୍ ସ୍ପେସ ସାଗା’।

ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିଥିଲା ବିକ୍ରମ ଲ୍ୟାଣ୍ଡର

ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଦେଇଥିଲା। ଭାରତୀୟ ମହାକାଶ ଅଭିଯାନର ଏହା ଏକ ବିଶେଷ ମହତ୍ତ୍ଵ ରହିଥିଲା। ଭାରତ ପୂର୍ବରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ୟ କୌଣସି ଦେଶ ଅବତରଣ କରିନଥିଲେ। ଏହା ଭାରତ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଥିଲା। ପରେ ଏହି ଅବତରଣ ସ୍ଥାନକୁ ‘ଶିବ ଶକ୍ତି’ ପଏଣ୍ଟ ଭାବେ ନାମିତ କରାଯାଇଥିଲା।     

ଚନ୍ଦ୍ରଯାନ-୩ରୁ ମିଳିଥିବା ବିଶେଷ ତଥ୍ୟ ପ୍ରଦାନ କଲା ଇସ୍ରୋ  

ଜାତୀୟ ମହାକାଶ ଦିବସ ଅବସରରେ ଚନ୍ଦ୍ରଯାନ-୩ ମିଶନ ଦ୍ଵାରା ସଂଗ୍ରହ କରାଯାଇଥିବା କିଛି ବୈଜ୍ଞାନିକ ତଥ୍ୟକୁ ଇସ୍ରୋ ଉନ୍ମୋଚନ କରାଯାଇଛି। ଏଥିରେ ଚନ୍ଦ୍ରର କିଛି ବିରଳ ଫଟୋଗ୍ରାଫ ଓ ଚନ୍ଦ୍ରପୃଷ୍ଠର କିଛି ତଥ୍ୟ ସାମିଲ ରହିଛି।

“ଆଜି ଭାରତ ମହାକାଶ କ୍ଷେତ୍ରରେ ଅଦ୍ଭୁତପୂର୍ବ ବେଗରେ ଆଗେଇ ଚାଲିଛି। ମହାକାଶ କ୍ଷେତ୍ରରେ ସଂସ୍କାର ସହ ଆଗକୁ ଦେଶରେ ନୂଆ ସ୍ପେସ ପଲିସି ଆସିବ। ଏହା ମହାକାଶ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ବୃଦ୍ଧି କରିବ। ଏହାସହ ଏହି କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ମଧ୍ୟ ବଢ଼ିବ। ଇସ୍ରୋ ପକ୍ଷରୁ ଆଗକୁ ଆହୁରି ବଡ଼ ବଡ଼ ମହାକାଶ ମିଶନ ପାଇଁ ଯୋଜନା କରାଯାଇଛି”, କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ।    

ମହାକାଶକୁ ଯିବେ ଭାରତୀୟ ମହାକାଶଚାରୀ  

ମହାକାଶରେ ଭାରତ ଭଲ ଭାବେ ପାଦ ରଖି ସାରିଲାଣି। ଚନ୍ଦ୍ର ମିଶନ ଛଡ଼ା ସୂର୍ଯ୍ୟକୁ ଗଭୀର ଭାବେ ଅଧ୍ୟୟନ କରିବା ପାଇଁ ଆଦିତ୍ୟ ଏଲ୍-ୱାନ ମିଶନକୁ ପଠାଯାଇଥିଲା। ଆସନ୍ତାବର୍ଷ ମହାକାଶକୁ ଭାରତୀୟ ମହାକାଶଚାରୀଙ୍କୁ ପଠାଇବା ଦିଗରେ ଇସ୍ରୋ ପକ୍ଷରୁ କାର୍ଯ୍ୟ କରାଯାଉଛି। ସେମାନେ ଏବେ ମିଶନ ପାଇଁ ପ୍ରଶିକ୍ଷଣ ନେଉଛନ୍ତି।

Tags: #NationalSpaceDay #Chandrayaan-3Mission #MoonLanding #SpaceTechnology #ISRO #India

LEAVE A REPLY

Please enter your comment!
Please enter your name here