ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୧ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସାଲେପୁର ଏଡିଜେ କୋର୍ଟ। ଏହି ମାମଲାରେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
ଗତ ୨୦୨୧ ଜାନୁଆରି ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ମୋଟ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବାବେଳେ ୧୦ ଜଣଙ୍କୁ ଗିରଫ କରାଯାଇଥିଲା।
ବୁଧବାର ଦିନ ମାହାଙ୍ଗା ଡବଲ ମର୍ଡର ମାମଲାର ବିଚାର କରି ସାଲେପୁର ଏଡିଜେ କୋର୍ଟ ୯ ଜଣ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି।
ମାହାଙ୍ଗା ଡବଲ ମର୍ଡର ଘଟଣାରେ ଯେଉଁ ୧୩ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା, ସେଥିରେ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କ ନାଁ ରହିଛି। ଏହି ଘଟଣାରେ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଚାର୍ଜସିଟରୁ ନାଁ ହଟାଇବା ଲାଗି ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମାମଲା ଏବେ ହାଇକୋର୍ଟରେ ବିଚାରଧୀନ ଅଛି।
Tags: #MahangaDoubleMurderCase #SalipurADJCourt #LifeImprisonment #Odisha