ଓଡ଼ିଶାଲାଇଭ୍ ବ୍ୟୁରୋ

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ପୁଣି ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ପ୍ରତାପ କୁମାର ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ଆସନ୍ତା ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ପହିଲାକୁ ହେବ।

ଗତ ୨୦୨୩ ମସିହା ସେପ୍ଟେମ୍ବର ୨୫ ତାରିଖରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ କୁମାର ଜେନାଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦେଶ ଦେଇଥିଲେ। ଡବଲ ମର୍ଡର ଘଟଣାରେ ହତ୍ୟା ଷଡ଼ଯନ୍ତ୍ର ଏବଂ ଧମକ ଆଦି ଦେଇଥିବା ଦଫାରେ ଏହି ମାମଲାକୁ ଧର୍ତ୍ତବ୍ୟ ଅପରାଧ ଭାବେ ଚାଲୁ ରଖିବାକୁ କୋର୍ଟ ନିର୍ଦେଶ ଦେଇଥିଲେ।

ଗତ ୨୦୨୧ ଜାନୁଆରି ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ମୋଟ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ମାହାଙ୍ଗା ବିଧାୟକ ପ୍ରତାପ କୁମାର ଜେନାଙ୍କୁ ୧୩ ନମ୍ବର ଅଭିଯୁକ୍ତ ଭାବେ ଏତଲାରେ ଦର୍ଶାଯାଇଥିଲା। ତେବେ ଚାର୍ଜସିଟ ଦାଖଲ ବେଳେ ବିଧାୟକଙ୍କ ନାଁକୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ମାହାଙ୍ଗା ଡବଲ ମର୍ଡର ମାମଲାରେ ଏତଲାକାରୀ ରମାକାନ୍ତ ବରାଳଙ୍କର ଗତ ୨୦୨୨ ଡିସେମ୍ବର ୯ ତାରିଖରେ ଭୁବନେଶ୍ଵରର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ପରେ ମୃତ ରମାକାନ୍ତଙ୍କ ଭାଇ ରଞ୍ଜନ ବରାଳ ପ୍ରୋଟେଷ୍ଟ ପିଟିସନ ଦାଖଲ ଲାଗି ସାଲେପୁର ଜେଏମଏଫସି କୋର୍ଟଙ୍କ ଅନୁମତି ଲୋଡ଼ିଥିଲେ। କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ।

Tags: #PratapKumarJena #MahangaDoubleMurderCase #JMFCCourt #MLAPratapJena #CourtSummon

Comment