ଅଭିଷେକ ରାୟ

ସୁଦାନରେ ଗୃହ ଯୁଦ୍ଧ ଯୋଗୁଁ ଦେଖାଦେଇଥିବା ଉତ୍କଟ ଖାଦ୍ୟ ସଙ୍କଟ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ସମସ୍ୟାର ସମାଧାନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସହାୟତା ଲୋଡ଼ିଛି ଡବ୍ଲ୍ୟୁଏଫପି।

ଏକ ବର୍ଷରୁ ଅଧିକ ସମୟ ଧରି ଗୃହ ଯୁଦ୍ଧରେ ଗ୍ରସିତ ଥିବା ଆଫ୍ରିକୀୟ ଦେଶ ସୁଦାନରେ ସ୍ଥିତି ସଙ୍ଗୀନ ହୋଇଛି। ରାଜନୈତିକ ଓ ଅର୍ଥନୈତିକ ଦୁରବସ୍ଥା ଦେଶକୁ ବହୁତ ପଛକୁ ଠେଲି ଦେଇଛି। ଗୃହ ଯୁଦ୍ଧ ପ୍ରଭାବରେ ଦେଶରେ ଉତ୍କଟ ଖାଦ୍ୟ ସଙ୍କଟ ଦେଖାଦେଇଛି। ଲକ୍ଷ ଲକ୍ଷ ସୁଦନୀ ନାଗରିକ ଏବେ ଭୋକ ଉପାସରେ ଜୀବନ ବିତାଉଛନ୍ତି।   

ସୁଦାନରେ ଗୃହ ଯୁଦ୍ଧ ଯୋଗୁଁ ନିଜ ଘର ଦ୍ଵାର ହରାଇ ବାସହୀନ ହୋଇଥିବା ଅନେକ ଲୋକ ଏବେ ଦିନକୁ ମୁଠାଏ ଖାଦ୍ୟ ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି। ଦେଶରେ ଦୁର୍ଭିକ୍ଷ ପଡ଼ିଥିବା ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୁଦାନର ଦୁର୍ଗମ ଅଞ୍ଚଳରେ ଲକ୍ଷାଧିକ ଲୋକଙ୍କୁ ଆହାର ଯୋଗାଇବା ପାଇଁ ଡବ୍ଲ୍ୟୁଏଫପି ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

“ସୁଦାନରେ ପରିସ୍ଥିତ ଦିନକୁ ଦିନକୁ ଜଟିଳ ହେବାରେ ଲାଗିଛି। ଲୋକଙ୍କ ପାଖରେ ଖାଦ୍ୟ ଓ ଅନ୍ୟ ଜରୁରୀକାଳୀନ ସାମଗ୍ରୀ ପହଞ୍ଚାଇବା ପାଇଁ ଡବ୍ଲ୍ୟୁଏଫପି ସମ୍ପୂର୍ଣ୍ଣ ସଫଳ ହୋଇପାରୁନି। ଗୃହ ଯୁଦ୍ଧ ଯୋଗୁଁ ସୁରକ୍ଷିତ ଯାତାୟତର ସୁବିଧା ତଥା ପାଣ୍ଠିର ଅଭାବ ଯୋଗୁଁ ଆମେ ଲୋକଙ୍କ ପାଖରେ ପହଞ୍ଚି ପାରୁନୁ। ଚଳିତବର୍ଷ ସୁଦାନରେ ଲୋକଙ୍କୁ ସହାୟତା ପାଇଁ ୪୫୯ ନିୟୁତ ଆମେରିକୀୟ ଡଲାରର ଆବଶ୍ୟକତା ରହିଛି”, କହିଛନ୍ତି ସୁଦାନରେ ଡବ୍ଲ୍ୟୁଏଫପି ଏମରଜେନ୍ସି କୋର୍ଡିନେଟର ମାର୍କୋ କ୍ଲାଭାସେଣ୍ଟେ।

ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ଏବେ ବି ସୁଦାନର ଏହି ଦୁର୍ଭିକ୍ଷ ପରିସ୍ଥିତିକୁ ବଦଳାଇ ପାରିବା। ଲୋକଙ୍କ ପାଖରେ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ପାଇଁ ଆମେ ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛୁ। ତେବେ ଏହି ଗୃହଯୁଦ୍ଧ ବନ୍ଦ ହେଲେ ଯାଇ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିବ। ଏଥିପାଇଁ ଆମକୁ ଅନ୍ତର୍ଜାତୀୟ ସ୍ତରରେ ସମସ୍ତଙ୍କ ସହଯୋଗ ଦରକାର।”

ସୁଦାନରେ ଗୃହଯୁଦ୍ଧ

୨୦୨୩ର ଏପ୍ରିଲ ମାସ। ଖରାଦିନର ଗରମଠାରୁ ବଳି ଯାଇଥିଲା ସୁଦାନରେ କ୍ଷମତା ରାଜନୀତିର ତାତି। ଦେଶରେ ରାଜନୈତିକ ସଙ୍କଟ ମଧ୍ୟରେ ସୁଦାନୀ ସଶସ୍ତ୍ର ବଳର ପ୍ରମୁଖ ଅବଦେଲ ଫତେହ ଅଲ ବୁରହାନ ଏବଂ ରାପିଡ୍ ସପୋର୍ଟ ଫୋର୍ସର କମାଣ୍ଡର ମହମ୍ମଦ-ହମଦାନ-ଡାଗଲୋଙ୍କର ମଧ୍ୟରେ ସୁଦାନର କ୍ଷମତା ହାତେଇବା ପାଇଁ ଆରମ୍ଭ ହେଲା ଯୁଦ୍ଧ। ଉଭୟ ପକ୍ଷର ସୈନିକ ପରସ୍ପରର ଠିକଣା ଉପରେ କଲେ ଆକ୍ରମଣ।

ଧୀରେ ଧୀରେ ଏହା ଗୃହ ଯୁଦ୍ଧରେ ପରିଣତ ହୋଇ ସାରା ଦେଶରେ ବ୍ୟାପିଗଲା। ସୁଦାନର ରାଜଧାନୀ ଖାର୍ତୁମ୍ ଯୁଦ୍ଧର ଆଡ୍ଡା ପାଲଟିଯିବା ସହ ଦେଶର ଅନ୍ୟ ବଡ଼ ବଡ଼ ସହରରେ ଏହାର ପ୍ରଭାବ ପଡ଼ିଲା। ଦୋହଲି ଯାଇଥିଲା ଦେଶର ରାଜନୈତିକ ଓ ଅର୍ଥନୈତିକ ଅବସ୍ଥା। ସେନାର ଦୁଇ ଗୋଷ୍ଠୀର ସଂଘର୍ଷ ମଧ୍ୟରେ ବଳି ପଡ଼ିଲେ ସାଧାରଣ ଜନତା। ୫ କୋଟି ଜନସଂଖ୍ୟା ବିଶିଷ୍ଟ ସୁଦାନରେ ହାହାକାର ମଚିଗଲା।

ଗତ ୧୬ ମାସରୁ ଚାଲିଥିବା ଏହି ଗୃହ ଯୁଦ୍ଧକୁ ବନ୍ଦ କରିବାକୁ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରୟାସ ହୋଇଥିଲେ ମଧ୍ୟ ସବୁ ବିଫଳ ହୋଇଛି। ଏହାର କୁପରିଣାମ ପୂରା ଦେଶ ଭୋଗୁଛି। ମିଳିତ ଜାତିସଂଘର ରିପୋର୍ଟ ଅନୁସାରେ ଗୃହ ଯୁଦ୍ଧରେ ୩ ଲକ୍ଷରୁ ଅଧିକ ସୁଦନୀ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୫ ଲକ୍ଷ ପରିବାର ବିସ୍ଥାପିତ ହୋଇଛନ୍ତି।

ଏବେ ସୁଦାନର ପ୍ରାୟ ସବୁ ଅଞ୍ଚଳ ଏବେ ଧ୍ଵଂସସ୍ତୂପ ପାଲଟିଛି। ଗୃହ ଯୁଦ୍ଧରୁ ବଞ୍ଚିବା ପାଇଁ ଅନେକ ଲୋକ ଦେଶ ଛାଡ଼ିଥିବାବେଳେ ଅନାହାର ଓ ଦୁର୍ଭିକ୍ଷ ରହି ଯାଇଥିବା ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି।

କେମିତି ଆରମ୍ଭ ହେଲା ଖାଦ୍ୟ ସଙ୍କଟ?

ଗୃହ ଯୁଦ୍ଧ ଆରମ୍ଭରେ ରାପିଡ୍ ସପୋର୍ଟ ଫୋର୍ସ(ଆରଏସଏଫ) ସୁଦାନର ଜଜିରା ରାଜ୍ୟକୁ ନିଜ ଅକ୍ତିଆରକୁ ନେଇଥିଲା। ଏହାସହ ସେମାନେ ଦେଶର ଖାଦ୍ୟ ଭଣ୍ଡାରଗୁଡ଼ିକୁ ଧ୍ଵଂସ କରିବା ଆରମ୍ଭ କରିଥିଲେ। ୨୦୨୩ ଡିସେମ୍ବର ମାସ ବେଳକୁ ଆରଏସଏଫ ରାଜ୍ୟରୁ ଅନ୍ନର ଦାନାଟିଏ ମଧ୍ୟ ବାହାରକୁ ଯିବାକୁ ଦେଇନଥିଲା।  

ସୁଦାନର କୃଷି କ୍ଷେତ୍ରର କେନ୍ଦ୍ର ସ୍ଥଳ କୁହାଯାଉଥିବା ଜଜିରା ବାହ୍ୟ ଜଗତ ବିଚ୍ଛିନ୍ନ ହେବାପରେ ଖାଦ୍ୟ ସଙ୍କଟ ଆରମ୍ଭ ହୋଇଥିଲା। ତେବେ ଗୃହ ଯୁଦ୍ଧ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳରେ ଲୋକଙ୍କ ବିସ୍ଥାପନ ଯୋଗୁଁ ଚାଷ କାମ ପୂରା ଠପ୍ ପଡ଼ି ଯାଇଥିଲା। ଏହାରି ମଧ୍ୟରେ କେବେ ବନ୍ୟା ତ କେବେ ମରୁଡ଼ି ଭଳି ସ୍ଥିତି ସବୁକିଛି ଉଜାଡ଼ି ଦେଇଥିଲା।   

ଏହି ଲଢ଼େଇ ସୁଦାନର ଖାଦ୍ୟ ଉତ୍ପାଦନକୁ ନଷ୍ଟ କରିବା ସହ ଅତ୍ୟାବଶ୍ୟକ ବଜାରଗୁଡ଼ିକୁ ଛାରଖାର କରିଦେଇଛି। ଏହାସହ ଛୋଟ ବଡ଼ ସମୁଦାୟକୁ ଗୁରୁତ୍ୱପୂର୍ଣ୍ଣ ସହାୟତାରୁ ବିଚ୍ଛିନ୍ନ କରିଛି।

ଖାଦ୍ୟ ସଙ୍କଟର ସ୍ଥିତି

ଡବ୍ଲ୍ୟୁଏଫପିର ଅକାଳନ ଅନୁସାରେ ସୁଦାନରେ ପ୍ରାୟ ୨.୬ କୋଟି ଲୋକ ବିପଜ୍ଜନକ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏହାସହ ଚଳିତ ବର୍ଷ ପ୍ରାୟ ୭.୩ ଲକ୍ଷ ଶିଶୁଙ୍କଠାରେ କୁପୋଷଣ ଯୋଗୁଁ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ୫ ବର୍ଷରୁ କମ୍ ଶିଶୁମାନଙ୍କ ମଧ୍ୟରୁ ପ୍ରତି ୭ ଜଣରେ ଗୋଟିଏ ଶିଶୁ ଘୋର କୁପୋଷଣର ଶିକାର ହେଉଛନ୍ତି।

ସେହିପରି ସୁଦାନର ଡାର୍ଫର ଓ ଖାର୍ତୁମ୍ ଅଞ୍ଚଳରେ ଦୁର୍ଭିକ୍ଷ ହୋଇଥିବା ସ୍ପଷ୍ଟ ହୋଇଥିବାବେଳେ ଏଠାରେ ରହୁଥିବା ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ଖାଦ୍ୟ ଅଭାବରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହ ଦେଶର ଅନ୍ୟ ୧୩ଟି ଅଞ୍ଚଳରେ ଦୁର୍ଭିକ୍ଷ ହେବାର ଆଶଙ୍କା ରହିଛି।

ଡାର୍ଫର, ଖାର୍ତୁମ୍, କୋର୍ଡୋଫାନ୍ ଏବଂ ଜାଜିରା ଭଳି ସଂଘର୍ଷପୂର୍ଣ୍ଣ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଶୀଘ୍ର ସହାୟତା ନମିଳିଲେ ଏଠାକର ଜନସାଧାରଣ, ବିଶେଷକରି ଶିଶୁମାନଙ୍କ ପାଇଁ ଜୀବନ ପ୍ରତି ବିପଦ ବଢ଼ିବ ବୋଲି ୟୁନିସେଫ୍ ଏବଂ ଡବ୍ଲ୍ୟୁଏଫପି ପକ୍ଷରୁ ୱାର୍ଣ୍ଣିଂ ଦିଆଯାଇଛି।  

ଡବ୍ଲ୍ୟୁଏଫପିର ପଦକ୍ଷେପ

ସୁଦାନରେ ଏହିଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଡବ୍ଲ୍ୟୁଏଫପି ତଥା ମିଳିତ ଜାତିସଂଘର ଅନ୍ୟ ଏଜେନ୍ସିଗୁଡ଼ିକ ଦେଶବାସୀଙ୍କ ସହାୟତା ପାଇଁ କାର୍ଯ୍ୟ କରୁଛନ୍ତି। ଡବ୍ଲ୍ୟୁଏଫପି ପକ୍ଷରୁ ଦେଶର ଅନେକ ଅଞ୍ଚଳରେ ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଯାଉଛି। କିଛି ସ୍ଥାନରେ ଲୋକଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଦିଆଯାଉଛି। ଏହାସହ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ଦେଶରେ ଖୋଲିଥିବା କମ୍ୟୁନିଟି କିଚେନକୁ ଡବ୍ଲ୍ୟୁଏଫପି ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି।

ତେବେ ଦେଶରେ ଗୃହ ଯୁଦ୍ଧ ଜାରି ରହିଥିବାରୁ ଡବ୍ଲ୍ୟୁଏଫପିକୁ ଅନେକ ଅଞ୍ଚଳରେ ପହଞ୍ଚିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଭିନ୍ନ ସ୍ଥାନରେ ସୈନ୍ୟବାହିନୀଙ୍କ ଘେରାବନ୍ଦୀ ଯୋଗୁଁ ଡବ୍ଲ୍ୟୁଏଫପିର ସପ୍ଲାଏ ଟ୍ରକଗୁଡ଼ିକୁ ଯିବାଆସିବାରେ ବହୁତ କଷ୍ଟକର ହେଉଛି। କିଛି ସମୟରେ ସେଗୁଡ଼ିକ ଆକ୍ରମଣ ଓ ଲୁଟର ଶିକାର ହେଉଛି।

“ଆମେ ସୁଦାନର ବିଭିନ୍ନ ଅଞ୍ଚଳରେ ଦୁର୍ଭିକ୍ଷ ପରିସ୍ଥିତିକୁ ରୋକିବା ପାଇଁ ରିଲିଫ କାର୍ଯ୍ୟକୁ ସମ୍ପ୍ରସାରଣ କରିବାକୁ ଯୋଜନା କରିଛୁ। ଏଥିପାଇଁ ଦେଶରେ ବିବାଦୀୟ ପକ୍ଷମାନେ ସମସ୍ତ କଟକଣା ହଟାଇବା ଦରକାର। ସୀମା ପାର ହୋଇ ନୂତନ ଯୋଗାଣ ମାର୍ଗ ଖୋଲିବା ଦ୍ୱାରା ରିଲିଫ ଏଜେନ୍ସିଗୁଡ଼ିକ ଅତ୍ୟନ୍ତ ଆବଶ୍ୟକ ଖାଦ୍ୟ ଏବଂ ଅନ୍ୟାନ୍ୟ ମାନବୀୟ ସହାୟତା ଲୋକଙ୍କୁ ଯୋଗାଇ ପାରିବେ”, କହିଛନ୍ତି ଡବ୍ଲ୍ୟୁଏଫପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଣ୍ଡି ମ୍ୟାକକେନ୍।

ଗୃହଯୁଦ୍ଧ କାରଣରୁ ସୁଦାନର ଅନେକ ନାଗରିକ ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ଓ ଖାଦ୍ୟ ଭଳି ଜରୁରୀ ଆବଶ୍ୟକତାରୁ ବଞ୍ଚିତ ହେଉଛନ୍ତି। କ୍ଷମତା ପାଇଁ ଚାଲିଥିବା ଏହି ଭୟଙ୍କର ଯୁଦ୍ଧ ଶିଶୁମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି।

ସୁଦାନରେ ଚାଲିଥିବା ଏହି ନୃଶଂସ ସଂଘର୍ଷରେ ଅସ୍ତ୍ରବିରତି କରିବା ଏବଂ ଦେଶରେ ଦୁର୍ଭିକ୍ଷର ଅନ୍ତ ଘଟାଇବା ପାଇଁ ପଦକ୍ଷେପ ନେବାକୁ ମିଳିତ ଜାତିସଂଘ ଓ ଡବ୍ଲ୍ୟୁଏଫପି ପକ୍ଷରୁ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ ଦିଆଯାଇଛି। ଆଫ୍ରିକାର ଏହି ସମଗ୍ର ଅଞ୍ଚଳକୁ ଅସ୍ଥିର କରୁଥିବା ଏକ ମାନବିକ ବିପର୍ଯ୍ୟୟକୁ ପ୍ରତ୍ୟାହାର କରିବାରେ ସବୁ ଦେଶଙ୍କଠାରୁ ରାଜନୈତିକ ଓ ଆର୍ଥିକ ସହଯୋଗ କାମନା କରାଯାଇଛି।  

Tags: #Sudan #CivilWar #Famine #FoodCrisis #WFP #UN   

LEAVE A REPLY

Please enter your comment!
Please enter your name here